ସୁନ୍ଦରଗଡ଼ବାସୀଙ୍କୁ ଯିବାକୁ ପଡ଼ିବନି କଟକ, ଭୁବନେଶ୍ୱର

ରାଉରକେଲା,୨୦।୩: ସୁନ୍ଦରଗଡ଼ ଜିଲାରେ ନ ଥିଲା ସୁପର ସ୍ପେଶିଆଲିଟି ହସ୍ପିଟାଲ। ଉତ୍ତମ ଚିକିତ୍ସା ପାଇଁ କଟକ, ଭୁବନେଶ୍ୱର ଯାଉଥିଲେ ଜିଲାବାସୀ। ବର୍ତ୍ତମାନ ଏହା ଦୁର ହୋଇଛି। ବହୁ ପ୍ରତୀକ୍ଷିତ ଇସ୍ପାତ ସ୍ନାତକୋତ୍ତର ପ୍ରତିଷ୍ଠାନ ଓ ଆଇଜିଏଚ୍‌ ସୁପର ସ୍ପେଶିଆଲିଟି ହସ୍ପିଟାଲ ରବିବାର ଲୋକାର୍ପିତ ହୋଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଏହି ଅତ୍ୟାଧୁନିକ ହସ୍ପିଟାଲକୁ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ରାଷ୍ଟ୍ରପତି ହସ୍ପିଟାଲ ପରିସର ବୁଲି ଦେଖିଛନ୍ତି l ତାଙ୍କ ସହ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ଇସ୍ପାତ ରାଜ୍ୟ ମନ୍ତ୍ରୀ ଫଗନ ସିଂହ କୁଲସ୍ତେ, ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାଶ, ସୁନ୍ଦରଗଡ଼ ଏମ୍‌ପି ଜୁଏଲ ଓରାମଙ୍କ ସହ ଅନ୍ୟ ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ଥିଲେ। ୨୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ର୍ନିମାଣରେ ପ୍ରାୟ ୨୯୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ୪୭୪୨.୬୯ ବର୍ଗ ମିଟର ଜାଗାରେ ସର୍ଭିସ ବ୍ଲକ, କିଚେନ, ମେଡିକାଲ ଷ୍ଟୋର, ପ୍ରଶାସନିକ ଅଫିସ, କର୍ମଚାରୀ ଓ ଫ୍ୟାକଲ୍‌ଟି ରୁମ ରହିଛି। ୫୨୮୮.୪ ବର୍ଗ ମିଟରରେ ଅଡିଟୋରିୟମ ଏବଂ ଏକାଡେମିକ ବ୍ଳକ ରହିଛି। ସ୍ନାୟୁଜନିତ ରୋଗ, ସ୍ନାୟୁବିକ ଅସ୍ତ୍ରୋପଚାର, ଯକୃତଜନିତ ରୋଗ, ହୃଦରୋଗ, ହୃଦରୋଗ ଅସ୍ତ୍ରୋପଚାର, ଏଣ୍ଡୋସ୍କୋପି, ପ୍ରାଇଭେଟ ୱାର୍ଡ, ୩ ଟେଲ୍‌ସା ଏମ୍‌ଆର୍‌ଆଇ, ସିଟି ସ୍କାନ, ଲ୍ୟାବ, ସିଆର୍‌ଆଟି ମେସିନ ସମେତ ୫ଟି ଅତ୍ୟାଧୁନିକ ଅପରେଶନ ଥିଏଟର ରହିଛି। ଏପରିକି ଆପତ୍ତିକାଳୀନ ସୁବିଧା, ଆଇସିୟୁ, ଏନ୍‌ଆଇସିୟୁ, ପିଆଇସିୟୁ ଆଦି ବିଭାଗ ରହିଛି। ଅନୁରୂପ ଭାବେ ୫୦୦ ଲୋକ ବସିବା ପାଇଁ ଅଡିଟୋରିୟମ, ଏକାଡେମିକ ବ୍ଲକ, ୪ଟି ଲେକଚର ଥିଏଟର, ଲାଇବ୍ରେରୀ, ସମ୍ମିଳନୀ କକ୍ଷ ରହିଛି।

Share