Categories: ଜାତୀୟ

କଂଗ୍ରେସ ବିଜୟ ପଛରେ ସୁନୀଲ

ନୂଆଦିଲ୍ଲୀ,୪ା୧୨: ତେଲଙ୍ଗାନାରେ କଂଗ୍ରେସକୁ ବିସ୍ମୟକର ଭାବେ ବିଜୟୀ କରାଇ ସୁନୀଲ କନୁଗୋଲୁ ପୁଣିଥରେ ନିଜକୁ ଜଣେ ସଫଳ ନିର୍ବାଚନୀ ରଣନୀତିକାର ଭାବେ ପ୍ରମାଣିତ କରିଛନ୍ତି। କର୍ନାଟକରେ କଂଗ୍ରେସ କ୍ଷମତାକୁ ଆଣିବାର ମୁଖ୍ୟ ବିନ୍ଧାଣୀର ଭୂମିକା ନେଇଥିବା କନୁଗୋଲୁ ଅଳ୍ପ କେତେମାସ ହେଲା ତେଲଙ୍ଗାନାରେ ସର୍ବପୁରାତନ ଦଳର ନିର୍ବାଚନ ଦାୟିତ୍ୱ ନେଇଥିଲେ।
ପ୍ରଶାନ୍ତ କିଶୋରଙ୍କ ଆଇ-ପିଏସିରୁ କାମ ଆରମ୍ଭ କରିଥିବା କନୁଗୋଲୁ କର୍ନାଟକରେ କଂଗ୍ରେସକୁ ବିଜୟୀ କରାଇବା ପରେ ସିଦ୍ଦାରାମାୟା ସରକାରରେ କ୍ୟାବିନେଟ୍‌ ପାହ୍ୟା ପାଇଥିଲେ। ଏଥର ତେଲଙ୍ଗାନାରେ କେ. ଚନ୍ଦ୍ରଶେଖର ରାଓଙ୍କ ନେତୃତ୍ୱାଧୀନ ବିଆର୍‌ଏସ୍‌ ସରକାରକୁ କ୍ଷମତାରୁ ହଟାଇବା ପାଇଁ କନୁଗୋଲୁ ଏବଂ ତେଲଙ୍ଗାନା ପିସିସି ସଭାପତି ଏ. ରେଭନ୍ଥ ରେଡ୍ଡୀ ଦଳ ପାଇଁ ରଣନୀତି ପ୍ରସ୍ତୁତ କରିଥିଲେ। ହିନ୍ଦୀ ଭାଷାଭାଷୀ ରାଜ୍ୟ ମଧ୍ୟପ୍ରଦେଶ, ଛତିଶଗଡ଼ ଏବଂ ରାଜସ୍ଥାନରେ କଂଗ୍ରେସ ପରାଜିତ ହୋଇଥିବାବେଳେ ତେଲଙ୍ଗାନାରେ ବିଜୟ ହାସଲ କରିପାରିଛି। କଂଗ୍ରେସ କେନ୍ଦ୍ରୀୟ ନେତୃତ୍ୱର ନିର୍ଦ୍ଦେଶକ୍ରମେ କନୁଗୋଲୁ ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ରଣନୀତି ପ୍ରସ୍ତୁତ କରିବାକୁ ଆଗେଇ ଆସିଥିଲେ ମଧ୍ୟ ଆଞ୍ଚଳିକ ନେତା ଅଶୋକ ଗେହଲଟ୍‌ ଏବଂ କମଲ ନାଥଙ୍କ ସମର୍ଥନ ପାଇ ନ ଥିଲେ।

 

Share