Categories: ଖେଳ

ଗାଭାସ୍କରଙ୍କ ଭବିଷ୍ୟବାଣୀ: କହିଲେ ଏଥର ଏହି ଦଳ ହାତେଇବ ଆଇପିଏଲ୍‌ ଟାଇଟଲ

ନୂଆଦିଲ୍ଲୀ,୧୬।୩: ଚଳିତ ବର୍ଷ ଆଇପିଏଲ୍‌ ମାର୍ଚ୍ଚ ୩୧ରୁ ଆରମ୍ଭ ହେବାକୁ ଯାଉଛି। ତେବେ ଆଇପିଏଲ୍‌ ପ୍ରଥମ ମ୍ୟାଚ୍‌ ଗୁଜୁରାଟ ଟାଇଟାନ୍ସ ଏବଂ ଚେନ୍ନାଇ ସୁପର୍‌ କିଙ୍ଗ୍ସ ମଧ୍ୟରେ ଖେଳାଯିବ। ଏହି ସମୟରେ ଭାରତର ପୂର୍ବତନ ଅଧିନାୟକ ସୁନୀଲ ଗାଭାସ୍କର ଆଇପିଏଲ୍‌ର ବିଜେତା ଦଳ ବିଷୟରେ ଏକ ବଡ଼ ଭବିଷ୍ୟବାଣୀ କରିଛନ୍ତି। ଷ୍ଟାର ସ୍ପୋର୍ଟସ ସହ ବାର୍ତ୍ତାଳାପରେ ଗାଭାସ୍କର ସେହି ଟିମ୍‌ ବିଷୟରେ କହିଛନ୍ତି, ଯେଉଁ ଟିମ୍‌ ଏଥର ଆଇପିଏଲ୍‌ ଟାଇଟଲ ଜିତିପାରିବ। ସେ କହିଛନ୍ତି, ଗତ ସିଜନ୍‌ରେ ଖରାପ ପ୍ରଦର୍ଶନ ସତ୍ତ୍ୱେ ଏଥର ମୁମ୍ବାଇ ଇଣ୍ଡିଆନ୍ସ ଟାଇଟଲ ଜିତିବା ପାଇଁ ଶକ୍ତିଶାଳୀ ପ୍ରତିଦ୍ୱନ୍ଦ୍ୱୀ। ସେ ଆହୁରି ମଧ୍ୟ କହିଛନ୍ତି, ଗତ ବର୍ଷ କରିଥିବା ପ୍ରଦର୍ଶନକୁ ତାଙ୍କୁ ଭୁଲିଯିବାକୁ ପଡିବ। ଯଦିଓ ଜସପ୍ରୀତ୍‌ ବୁମ୍‌ରା ଆଇପିଏଲରେ ନାହାଁନ୍ତି କିନ୍ତୁ ମୁମ୍ବାଇ ଟିମ୍‌ରେ ଏଭଳି ଖେଳାଳି ଅଛନ୍ତି ଯେଉଁମାନେ ଟାଇଟଲ ଜିତିପାରିବେ। ମୁଁ ଏହି ଟିମ୍‌କୁ ଶ୍ରେଷ୍ଠ ୩ରେ ଦେଖୁଛି।

ଆଇପିଏଲ୍‌ ୨୦୨୨ର ଟାଇଟଲ ଗୁଜୁରାଟ ଟାଇଟାନ୍ସ ଜିତିଥିଲା। ମୁମ୍ବାଇ ଟିମ୍‌ ଶେଷ ସ୍ଥାନରେ ଥିଲା। ତେବେ ୫ ଥର ଚାମ୍ପିୟନ ହୋଇଥିବା ମୁମ୍ବାଇ ଟିମ୍‌ କିପରି ପ୍ରଦର୍ଶନ କରିବ ତାହା ଏଥର ଦେଖିବାକୁ ବାକି ରହିଲା। ଆଇପିଏଲ୍‌ ୨୦୨୩ରେ ମୁମ୍ବାଇ ଟିମ୍‌ ଏପ୍ରିଲ ୨ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ସହିତ ପ୍ରଥମ ମ୍ୟାଚ୍‌ ଖେଳିବ।

Share