Categories: ଖେଳ

ମୁମ୍ବାଇ ଆକ୍ରମଣ ବେଳେ ଫେରିଥିଲା ଇଂଲଣ୍ଡ ଟିମ୍‌, ଭାରତ ତାହା ଭୁଲି ନ ଯାଉ: ଗାଭାସ୍କର

ନୂଆଦିଲ୍ଲୀ,୧୧।୯: ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ ଅଭିଜ୍ଞ ଓପନର ସୁନୀଲ ଗାଭାସ୍କର ବିସିସିଆଇର ଯୋଜନାକୁ ପ୍ରଶଂସା କରିଛନ୍ତି। ବାତିଲ ହୋଇଥିବା ମାଞ୍ଚେଷ୍ଟର ଟେଷ୍ଟକୁ ପୁଣି ଥରେ ଆୟୋଜନ କରିବା ଲାଗି ବୋର୍ଡ ତରଫରୁ କୁହାଯାଇଥିଲା। ଗାଭାସ୍କର ଏହାକୁ ଠିକ୍‌ ବୋଲି କହିବା ସହ ଭାରତକୁ ମୁମ୍ବାଇ ଆକ୍ରମଣ ବେଳେ ଇଂଲଣ୍ଡର ଆଚରଣକୁ କେବେ ହେଲେ ଭୁଲିବା ଉଚିତ ନୁହେଁ ବୋଲି କହିଛନ୍ତି।

ମୋତେ ଲାଗୁଛି ଏହା ଠିକ୍‌ ପଦକ୍ଷେପ। ୨୦୦୮ରେ ୨୬/୧୧ ଆତଙ୍କବାଦୀ ଆକ୍ରମଣ ପରେ ଇଂଲଣ୍ଡ ଟିମ୍‌ କ’ଣ କରିଥିଲା ଭାରତ ଭୁଲିବା ଉଚିତ ନୁହେଁ। ସେମାନେ ଶୃଙ୍ଖଳା ପୁରା କରିବା ଲାଗି ପୁନର୍ବାର ଆସିଥିଲେ। ସେତେବେଳେ ସେମାନେ ସୁରକ୍ଷିତ ନ ଥିବା ଏବଂ ଫେରିବେ ନାହିଁ ବୋଲି କହିପାରିଥାନ୍ତେ। ହେଲେ ସେମାନେ ସେଭଳି କରି ନ ଥିବା ଗାଭାସ୍କର କହିଛନ୍ତି।

ମୁମ୍ବାଇ ଆକ୍ରମଣ ସମୟରେ ଅତିଥି ଇଂଲଣ୍ଡ ଟିମ୍‌ କଟକରେ ଭାରତ ବିପକ୍ଷରେ ଦିନିକିଆ ମ୍ୟାଚ୍‌ ଖେଳୁଥିଲା। ଏହି ୭ ମ୍ୟାଚ୍‌ ବିଶିଷ୍ଟ ସିରିଜର ଶେଷ ଦୁଇ ମୁକାବିଲାକୁ ବାତିଲ କରିଦିଆଯାଇଥିଲା। ଇଂଲଣ୍ଡ ଟିମ୍‌ ତୁରନ୍ତ ସ୍ବଦେଶ ଫେରିଯାଇଥିଲା। ହେଲେ ପରେ ଦୁଇଟି ମ୍ୟାଚ୍‌ ଖେଳିବା ପାଇଁ ଦଳ ଫେରିଥିଲା। କେଭିନ ପିଟରସେନ ଉକ୍ତ ଟିମ୍‌ର ନେତୃତ୍ୱ ନେଇଥିଲେ। ଏହି ନିଷ୍ପତ୍ତି ପଛରେ ସେ ମୁଖ୍ୟ ବ୍ୟକ୍ତି ଥିଲେ। ଯଦି ସେହି ସମୟରେ ସେ ଭାରତ ଫେରିବେ ନାହିଁ ବୋଲି କହିଥାନ୍ତେ ତେବେ ଉକ୍ତ ଗସ୍ତ ସେଇଠି ଶେଷ ହୋଇଯାଇଥାନ୍ତା। ଏବେ ବାତିଲ ହୋଇଥିବା ଟେଷ୍ଟକୁ ଆଇପିଏଲ୍‌ ପରେ ଆସନ୍ତା ବର୍ଷ ଆୟୋଜନ କରାଯାଇପାରେ ବୋଲି ଗାଭାସ୍କର କହିଛନ୍ତି।

Share