Categories: ଖେଳ

‘କାର୍ତ୍ତିକଙ୍କ ବୟସ ଦେଖ ନାହିଁ, ଖେଳ ଦେଖ’

ନୂଆଦିଲ୍ଲୀ,୧୯।୪: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌-୨୦୨୨ରେ ଦମ୍‌ଦାର ଫର୍ମରେ ନଜର ଆସୁଛନ୍ତି ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ଦିନେଶ କାର୍ତ୍ତିକ। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଏହି ବ୍ୟାଟ୍ସମ୍ୟାନ୍‌ ଏଯାବତ ୬ ମ୍ୟାଚ୍‌ ଖେଳିଥିବା ବେଳେ ୧୯୭ ରନ୍‌ କରିଛନ୍ତି। ତାଙ୍କର ହାରାହାରି ୧୯୭ ଏବଂ ୨୦୯.୫୭ ଷ୍ଟାଇକ୍‌ ରେଟ୍‌ ରହିଛି। କେବଳ ଗୋଟିଏ ମୁକାବିଲାରେ ସେ ଆଉଟ୍‌ ହୋଇଛନ୍ତି। କୋଲକାତା ନାଇଟ୍‌ ରାଇଡର୍ସର ଏହି ପୂର୍ବ ଅଧିନାୟକ ସିଜନ୍‌ରେ ୩୨*, ୧୪*,୪୪*,୭*,୩୪* ଏବଂ ୬୬* ରନ୍‌ର ଇନିଂସ ଖେଳିଛନ୍ତି। କାର୍ତ୍ତିକଙ୍କ ଏଭଳି ବ୍ୟାଟିଂରେ ପ୍ରଭାବିତ ହୋଇଛନ୍ତି ମହାନ ବ୍ୟାଟ୍ସମ୍ୟାନ୍‌ ସୁନୀଲ ଗାଭାସ୍କର। ଆଗାମୀ ଟି୨୦ ବିଶ୍ୱକପ୍‌ରେ ଫିନିସର ଭୂମିକା ତୁଲାଇବେ ବୋଲି ଗାଭାସ୍କର କହିଛନ୍ତି।

ଏକ ସାକ୍ଷାତକାରରେ ଗାଭାସ୍କର କହିଛନ୍ତି, କାର୍ତ୍ତିକ ଟି୨୦ ବିଶ୍ୱକପ୍‌ ପାଇଁ ଭାରତୀୟ ଟିମ୍‌ର ଅଂଶ ହେବାକୁ ଚାହାନ୍ତି। ତାଙ୍କର ବୟସ ଦେଖିବା କଥା ନୁହେଁ। କେବଳ ସେ କେଉଁଭଳି ଖେଳୁଛନ୍ତି ତାହା ଦେଖନ୍ତୁ। ସେ ତାଙ୍କ ପ୍ରଭାବୀ ବ୍ୟାଟିଂରେ ମ୍ୟାଚ୍‌ର ଦିଗ ବଦଳାଇ ଦେଉଛନ୍ତି। ଟିମ୍‌ର ୬ଷ୍ଟ ଏବଂ ୭ମ ବ୍ୟାଟ୍ସମ୍ୟାନ୍‌ ଯେଉଁଭଳି ବ୍ୟାଟିଂ କରିବା ଉଚିତ ସେ ସେଭଳି କାମ କରୁଛନ୍ତି।

ତେବେ କାର୍ତ୍ତିକ ଭାରତ ପାଇଁ ୨୬ ଟେଷ୍ଟ, ୯୪ ଦିନିକିଆ ଏବଂ ୩୨ ଟି୨୦ ଅନ୍ତରାଷ୍ଟ୍ରୀୟ ମ୍ୟାଚ୍‌ ଖେଳିଛନ୍ତି।