Categories: ଜାତୀୟ

ପରଲୋକରେ ସୁନୀଲ କୋଠାରୀ

ନୂଆଦିଲ୍ଲୀ,୨୭।୧୨: ପ୍ରସିଦ୍ଧ ଐତିହାସିକ ନୃତ୍ୟ ବିଶାରଦ ତଥା ସମାଲୋଚକ ସୁନୀଲ କୋଠାରୀଙ୍କ ପରଲୋକ ଘଟିଛି। ରବିବାର ଦିଲ୍ଲୀର ଏକ ଡାକ୍ତରଖାନାରେ ହୃଦ୍‌ଘାତରେ ତାଙ୍କର ଦେହାନ୍ତ ହୋଇଛି। ଏକ ମାସ ପୂର୍ବରୁ ସେ କରୋନା ସଂକ୍ରମିତ ଥିଲେ। ମୃତ୍ୟୁବେଳକୁ ତାଙ୍କୁ ୮୭ ବର୍ଷ ହୋଇଥିଲା। କୋଠାରୀ ୨୦ ଡିସେମ୍ବର, ୧୯୩୩ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ଭାରତୀୟ ନୃତ୍ୟ କଳା ଶିକ୍ଷା ଗ୍ରହଣ କରିବା ପୂର୍ବରୁ ସେ ଜଣେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଥିଲେ। କୋଠାରୀ ଭାରତୀୟ ନୃତ୍ୟ କଳା ଉପରେ ଭାରତନାଟ୍ୟମ୍‌, ଓଡ଼ିଶୀ, ଛଉ, କଥକ ସହିତ ୨୦ରୁ ଅଧିକ ପୁସ୍ତକ ଲେଖିଛନ୍ତି। ତାଙ୍କୁ ୧୯୯୫ରେ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଥିଲା। ୨୦୦୦ରେ ଗୁଜରାଟ ସଙ୍ଗୀତ ନାଟକ ଏକାଡେମୀ ଦ୍ୱାରା ତାଙ୍କୁ ଗୌରବ ପୁରସ୍କାରରେ ମଧ୍ୟ ସମ୍ମାନିତ କରାଯାଇଥିଲା। କୋଠାରୀ ରବୀନ୍ଦ୍ର ଭାରତୀ ବିଶ୍ୱବିଦ୍ୟାଳୟରେ ଉଦୟ ଶଙ୍କର ଚେୟାରର ନେତୃତ୍ୱ ନେଇଥିଲେ ଏବଂ ଫୁଲବ୍ରାଇଟ ପ୍ରଫେସର ଭାବରେ ନ୍ୟୁୟର୍କ ବିଶ୍ୱବିଦ୍ୟାଳୟର ନୃତ୍ୟ ବିଭାଗରେ ଶିକ୍ଷାଦାନ କରିଥିଲେ। ସେ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର (୧୯୯୫), ଗୁଜୁରାଟ ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ଗୌରବ ପୁରସ୍କାର (୨୦୦୦), ପଦ୍ମଶ୍ରୀ (୨୦୦୧) ଏବଂ ତାଙ୍କୁ ଆମେରିକାରେ ଡ୍ୟାନ୍ସ ସମାଲୋଚକ ସଂଘ ପକ୍ଷରୁ ୨୦୧୧ରେ ଲାଇଭ୍‌ ଟାଇମ୍‌ ଆଚିଭ୍‌ମେଣ୍ଟ ପୁରସ୍କାର ପ୍ରଦାନ କରାଯାଇଥିଲା।

Share