Categories: ଖେଳ

ଐତିହାସିକ ରେକର୍ଡ ହାସଲ କଲେ ସୁନୀଲ ନାରିନ

ଲକ୍ଷ୍ନୌ,୬।୫: ଆଇପିଏଲ ୨୦୨୪ରେ କୋଲକାତା ନାଇଟ ରାଇଡର୍ସ ପାଇଁ ବଲ ଅପେକ୍ଷା ସୁନୀଲ ନାରିନ ବ୍ୟାଟ ସହିତ ଅଧିକ ପ୍ରଭାବଶାଳୀ ବୋଲି ପ୍ରମାଣ କରୁଛନ୍ତି। ଚଳିତ ସିଜନରେ ସର୍ବାଧିକ ରନ ସଂଗ୍ରହ କରିଥିବା ବ୍ୟାଟ୍ସମ୍ୟାନ ତାଲିକାରେ ନାରିନ ତୃତୀୟ ସ୍ଥାନରେ ଅଛନ୍ତି। ଲକ୍ଷ୍ନୌ ସୁପର ଜିଆଣ୍ଟସ ବିପକ୍ଷ ମ୍ୟାଚ୍‌ରେ ନାରିନ ୩୯ଟି ବଲରେ ୮୧ ରନ୍‌ର ଇନିଂସ ଖେଳି ୬ ଚୌକା ଓ ୭ ଛକା ସହାୟତାରେ ଖେଳିଥିଲେ ଏବଂ ପରେ ବୋଲିଂରେ ଗୋଟିଏ ଉଇକେଟ ନେଇଥିଲେ।
ଲକ୍ଷ୍ନୌ ବିପକ୍ଷରେ ଏହି ଚମତ୍କାର ପ୍ରଦର୍ଶନ ପରେ, ନାରିନ ତାଙ୍କ ନାମରେ ଏକ ଐତିହାସିକ ରେକର୍ଡ ସୃଷ୍ଟି କରିଥିଲେ, ଯାହାକି ଡ୍ବେନ ବ୍ରାଭୋ ଏବଂ ରବିନ୍ଦ୍ର ଜାଡେଜାଙ୍କ ପରି ମହାନ ଅଲରାଉଣ୍ଡର ମଧ୍ୟ କରିପାରି ନ ଥିଲେ। ଏହି ସିଜିନ୍‌ରେ ନାରିନ ୪୫୨ ରନ ସଂଗ୍ରହ କରି ବୋଲିଂ ବେଳେ ୧୪ ଉଇକେଟ ନେଇଛନ୍ତି, ଏହା ପରେ ସେ ଅରେଞ୍ଜ କ୍ୟାପ ତାଲିକାରେ ତୃତୀୟ ଏବଂ ପର୍ପଲ କ୍ୟାପ ତାଲିକାରେ ଷଷ୍ଠ ସ୍ଥାନରେ ରହିଛନ୍ତି।
ଏହା ସହିତ, ନାରିନ ଆଇପିଏଲ ଇତିହାସରେ ପ୍ରଥମ ଖେଳାଳି ଭାବେ ୧୫୦୦ରୁ ଅଧିକ ରନ ସଂଗ୍ରହ କରିଥିଲେ ଏବଂ ସମାନ ଦଳ ପାଇଁ ଖେଳିବାବେଳେ ୧୫୦ ରୁ ଅଧିକ ଉଇକେଟ ନେଇଥିଲେ। ନାରିନ ୨୦୧୨ରେ ନିଜର ଆଇପିଏଲ କ୍ୟାରିୟର ଆରମ୍ଭ କରିଥିଲେ। କେକେଆରରେ ଯୋଗ ଦେଇଥିବା ନାରିନ ବର୍ତ୍ତମାନ ପର୍ଯ୍ୟନ୍ତ ଅନ୍ୟ କୌଣସି ଫ୍ରାଞ୍ଚାଇଜ ପାଇଁ ଖେଳି ନାହାଁନ୍ତି।
ଏହି ତାଲିକାରେ ଏକରୁ ଅଧିକ ଫ୍ରାଞ୍ଚାଇଜ ଖେଳିଥିବା ରବିନ୍ଦ୍ର ଜାଡେଜା ପ୍ରଥମ ସ୍ଥାନରେ ଏବଂ ଡ୍ବେନ ବ୍ରାଭୋ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଖେଳୁଥିବାବେଳେ ବ୍ରାଭୋ ୧୦୦୪ ରନ ସଂଗ୍ରହ କରି ୧୪୦ ଉଇକେଟ ନେଇଥିଲେ। ଏହା ବ୍ୟତୀତ ରବିନ୍ଦ୍ର ଜାଡେଜା ଚେନ୍ନାଇ ପାଇଁ ଖେଳୁଥିବାବେଳେ ୧୬୩୯ ରନ ସଂଗ୍ରହ କରିଛନ୍ତି ଏବଂ ତାଙ୍କ ନାମରେ ୧୩୩ ଉଇକେଟ ନେଇଛନ୍ତି।

Share