ଫୁଲଚାଷରେ ଇଞ୍ଜିନିୟରିଂ ଛାତ୍ରୀ ସୁନୀତା

ଖୋର୍ଦ୍ଧା ଅଫିସ,୩୧ା୩: ଦୃଢ଼ ଇଚ୍ଛାଶକ୍ତି ଏବଂ ନିରନ୍ତର ସାଧନା ସଫଳତା ଆଣିଥାଏ। ନିଜ ପ୍ରଚେଷ୍ଟାରେ ଆତ୍ମନିର୍ଭର ହେବା ସହ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି ଖୋର୍ଦ୍ଧା ଜିଲା ଟାଙ୍ଗୀ ବ୍ଲକ ରତନପୁର ଗ୍ରାମର ଗୋଲା ବେହେରା ଓ ଚଞ୍ଚଳାଙ୍କ ଝିଅ ସୁନୀତା। ନିଜ ପ୍ରଚେଷ୍ଟାରେ ସୁନୀତା ୭୨ରୁ ଊର୍ଦ୍ଧ୍ୱ ଔଷଧୀୟ ଗୁଳ୍ମ ଲଗାଇବା ସହ ତା’ର ଯତ୍ନ ନେଉଛନ୍ତି। ପ୍ରାୟ ୨ହଜାରରୁ ଊର୍ଦ୍ଧ୍ୱ ଖବରକାଗଜ ସଂଗ୍ରହ କରି ଘରେ ଚିଲିକା ଖବରକାଗଜ ସଂଗ୍ରହାଳୟ କରିଛନ୍ତି। ଏଥିସହ ଓଡ଼ିଶାର ପ୍ରଥମ ବାଳିକା କଳିଙ୍ଗ କନ୍ୟା ପାଇକ ଆଖଡ଼ା ପ୍ରତିଷ୍ଠା କରିଛନ୍ତି। ପରିବେଶ ସୁରକ୍ଷା, ଚାରାରୋପଣ ଦିଗରେ ଅବଦାନ ଲାଗି ସେ ରାଜ୍ୟ ସରକାରଙ୍କ ଜଙ୍ଗଲ ବିଭାଗ ପକ୍ଷରୁ ପ୍ରକୃତିବନ୍ଧୁ ସମ୍ମାନରେ ସମ୍ମାନିତ ହେବା ସହ ବିଭିନ୍ନ ଅନୁଷ୍ଠାନରୁ ସମ୍ମାନିତ ହୋଇଛନ୍ତି। ଉତ୍କଳ ବିଶ୍ୱବିଦ୍ୟାଳୟ ତାଙ୍କୁ ସରସ୍ବତୀ ରାୟ ଗୋଲ୍ଡ ମେଡାଲ ତଥା ରାଜ୍ୟସ୍ତରୀୟ ଶ୍ରେଷ୍ଠ ସ୍ବେଚ୍ଛାସେବୀ ଭାବେ ସମ୍ମାନିତ କରିଛିି। ଏବେ ନିଜ ଘର ବାରିରେ ଗେଣ୍ଡୁ ଫୁଲ ଚାଷ କରି ସମସ୍ତଙ୍କର ପ୍ରଶାଂସାର ପାତ୍ର ହେବା ସହ ସ୍ବାବଲମ୍ବୀ ହୋଇପାରିଛନ୍ତି। ତାଙ୍କର ଏହି ସଫଳତା ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇଛି।
ସୁନୀତା ବିଟେକ୍‌ ପଢୁଥିବା ବେଳେ କରୋନା ମହାମାରୀ ଯୋଗୁ ଲକ୍‌ଡାଉନ ହୋଇଗଲା। କଲେଜରେ ପାଠପଢ଼ା ବନ୍ଦ ହେବାରୁ ସେ ଘରକୁ ଚାଲି ଆସିଥିଲେ। ସମୟ ଅପଚୟ କରିବା ପରବର୍ତ୍ତେ ବାରିରେ ଫୁଲ ଚାଷ କରିବାକୁ ମନସ୍ଥ କରିଥିଲେ। ଏନେଇ ସୁନୀତା ଖୋର୍ଦ୍ଧା ଉଦ୍ୟାନ ବିଭାଗ ସହ ଆଲୋଚନା କରିଥିଲେ। ହର୍ଟିକଲଚରିଷ୍ଟ ପ୍ରମୋଦ ସାମନ୍ତସିଂହାରଙ୍କ ପ୍ରେରଣା ଓ ଦୁଇ ଭାଇଙ୍କ ସହଯୋଗରେ ଫୁଲ ଚାଷ ଆରମ୍ଭ କରିଥିଲେ। ଏବେ ପ୍ରତି ଗେଣ୍ଡୁ ଗଛରେ ୨୦ରୁ ୨୫ଟି ଫୁଲ ଫୁଟୁଛି। ସ୍ଥାନୀୟ ଲୋକେ ଏଠାକୁ ଦେଖିବାକୁ ଆସୁଥିବା ବେଳେ ଫୁଲବଗିଚା ଏବେ ସେଲ୍ଫି ପଏଣ୍ଟ ପାଲଟିଛି। ସ୍ଥାନୀୟ ଅଞ୍ଚଳରେ ସୁନୀତା ଫୁଲର ରାଣୀ ଭାବେ ପରିଚୟ ପାଇଛନ୍ତି। ବାରିରେ କୂଅ ନ ଥିବାରୁ ପଡ଼ିଶା ଘର, ଏପରିକି ଗଁା ମନ୍ଦିରରୁ ପାଣି ବୋହିବାକୁ ପଡ଼ିଛି। କେବଳ ସଉକ ଲାଗି ଫୁଲଚାରା ଲଗାଇଥିଲି। ଏବେ ଏହା ମୋର ରୋଜଗାରର ମାଧ୍ୟମ ପାଲଟିଛି। ବହୁ ଫୁଲ ବ୍ୟବସାୟୀ, ଫୁଲ ଡେକୋରେଟର ଆସି ଫୁଲ କିଣି ନେଉଛନ୍ତି। ପରିଶ୍ରମ ଅନୁସାରେ ଫୁଲର ଦାମ ମିଳୁନି। ତଥାପି ଆତ୍ମସନ୍ତୋଷ ମିଳିଛି। ଆଗାମୀ ଦିନରେ ପାଣି ସମସ୍ୟା ଦୂର ଲାଗି ବଗିଚାରେ ଏକ କୂଅ ଖନନ ସହ ସମ୍ମନ୍ବିତ ଚାଷ ପାଇଁ ଯୋଜନା ରଖିଛନ୍ତି। ନିଷ୍ଠା ଓ ଏକାଗ୍ରତା ସଫଳତା ଆଣିଥାଏ। ଛାତ୍ରୀଛାତ୍ରମାନେ ପାଠପଢ଼ା ସହିତ ଫୁଲଚାଷ ପ୍ରତି ଆଗ୍ରହ ପ୍ରକାଶ କଲେ ସ୍ବାବଲମ୍ବୀ ହେବା ସହ ନିଜର ପରିଚୟ ସୃଷ୍ଟି କରିପାରିବେ ବୋଲି ସୁୁନୀତା କହିଛନ୍ତି।

Share