Categories: ଜାତୀୟ

‘ତାନାଶାହାର ବିନାଶ ହୋଇଯାଉ, ଏବେ ଭଗବାନଙ୍କ ପାଖରେ ଏତିକି ପ୍ରାର୍ଥନା’

ନୂଆଦିଲ୍ଲୀ,୨୭।୬: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ଅଡ଼ୁଆ ଦିନକୁ ଦିନ ବଢ଼ିବାରେ ଲାଗିଛି। ପ୍ରଥମେ ଇଡି ତାଙ୍କୁ ଗିରଫ କରିଥିବା ବେଳେ ଏବେ ସିବିଆଇ ତାଙ୍କୁ ଗିରଫ କରିନେଇଛି। ଏପରିକି ଦିଲ୍ଲୀ କୋର୍ଟ ତାଙ୍କୁ ୩ ଦିନିଆ ସିବିଆଇ ରିମାଣ୍ଡରେ ପଠାଇଛି। ସ୍ବାମୀଙ୍କ ଅଡ଼ୁଆ ବଢ଼ୁଥିବା ଦେଖି କେଜ୍‌ରିଓ୍ବାଲଙ୍କ ପତ୍ନୀ ସୁନୀତା କେଜ୍‌ରିଓ୍ବାଲ ରାଗରେ ବର୍ଷିଛନ୍ତି। ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ପୋଷ୍ଟ କରି ବଡ଼ ମନ୍ତବ୍ୟ ଦେଇଛନ୍ତି।

ସୁନୀତା କହିଛନ୍ତି, ଏବେ ଯାଏ ଭଗବାନ ସମସ୍ତଙ୍କୁ ସଦ୍‌ବୁଦ୍ଧି ଦିଅନ୍ତୁ ବୋଲି ପ୍ରାର୍ଥନା କରୁଥିଲି। ହେଲେ ଏବେ ପ୍ରାର୍ଥନା କରୁଛି ଯେ ତାନାଶାହାର ବିନାଶ ହୋଇଯାଉ।

ସୂଚନାଯୋଗ୍ୟ, ପୂର୍ବରୁ ସୁନୀତା କେଜ୍‌ରିଓ୍ବାଲ ଆଉ ଏକ ପୋଷ୍ଟ ଲେଖି କେଜ୍‌ରିଓ୍ବାଲଙ୍କ ଗିରଫର ପ୍ରତିବାଦ କରିଥିଲେ। ଜୁନ ୨୦ରେ କେଜ୍‌ରିଓ୍ବାଲଙ୍କୁ ଜାମିନ ମିଳିଥିଲା। ଏଥିରେ ଇଡି ତୁରନ୍ତ ରହିତାଦେଶ ଲଗାଇଦେଲା। ପରଦିନ ସିବିଆଇ ତାଙ୍କୁ ଅଭିଯୁକ୍ତ କରିନେଲା, ଆଜି ତାଙ୍କୁ ଗିରଫ କରାଯାଇଛି। ପୁରା ଶାସନ କଳ ଚାହୁଁଛି ଯେ ସେ ଜେଲରୁ ବାହାରକୁ ବାହାରି ନ ପାରନ୍ତୁ। ଏହା ଆଇନବ୍ୟବସ୍ଥା ନୁହେଁ। ଏହା ଏକଛତ୍ରବାଦ,ଜରୁରୀକାଳୀନ ପରିସ୍ଥିତି।

Share