ଆଇଏସ୍‌ଏସ୍‌ରେ ଆଉ ୬ ମାସ ରହିବେ ସୁନୀତା

ଓ୍ବାଶିଂଟନ,୧୦ା୮: ବୋଇଂର ଷ୍ଟାର୍‌ଲାଇନ ମହାକାଶ ଯାନରେ ଗୋଟିଏ ସପ୍ତାହ ପାଇଁ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସ୍‌ଏସ୍‌)କୁ ଯାଇଥିବା ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନୀତା ଓ୍ବିଲିୟମ୍ସ ଏବଂ ବୁଚ୍‌ ଓ୍ବିଲ୍‌ମୋର ଫେବୃଆରୀ ପୂର୍ବରୁ ଫେରୁନାହାନ୍ତି। ତାଙ୍କୁ ଆଉ ୬ ମାସ ସେଠାରେ ଅଟକି ରହିବାକୁ ପଡ଼ିବ। ବୋଇଂ ଷ୍ଟାର୍‌ଲାଇନରେ ସୃଷ୍ଟ ବୈଷୟିକ ସମସ୍ୟାର ସମାଧାନ ହୋଇପାରୁ ନ ଥିବାରୁ ଆମେରିକା ମହାକାଶ ଗବେଷଣା ସଂସ୍ଥା ନାସା ସ୍ପେସ୍‌ଏକ୍ସ ସହାୟତାରେ ସୁନୀତା ଓ ଓ୍ବିଲ୍‌ମୋରଙ୍କୁ ଆସନ୍ତା ବର୍ଷ ଫେବୃଆରୀରେ ଫେରାଇ ଆଣିବାକୁ ଯୋଜନା କରିଛି। ଯଦି ଷ୍ଟାର୍‌ଲାଇନ ମହାକାଶଚାରୀମାନଙ୍କୁ ଧରି ପୃଥିବୀ ଫେରିବା ପାଇଁ ସୁରକ୍ଷିତ ନ ହୁଏ, ତେବେ ସ୍ପେସ୍‌ଏକ୍ସର କ୍ରିଉ ଡ୍ରାଗନ୍‌ ସେମାନଙ୍କୁ ଫେରାଇ ଆଣିବା ପାଇଁ ପଠାଯାଇପାରେ ବୋଲି ନାସା କହିଛି। ବୋଇଂର ପ୍ରତିଦ୍ୱନ୍ଦ୍ୱୀ କୁହାଯାଉଥିବା ଏଲନ ମସ୍କଙ୍କ ସ୍ପେସ୍‌ଏକ୍ସ ସେପ୍ଟେମ୍ବର ୨୪ରେ ଏହାର କ୍ରିଉ-୯ ମିଶନ ପାଇଁ ଯୋଜନା ଚଳାଇଛି। ତେବେ ଏଥିରେ ୪ ଜଣ ପରିବର୍ତ୍ତେ ମାତ୍ର ୨ ଜଣ ମହାକାଶଚାରୀ ଆସିପାରିବେ। ଯଦି ଏହାକୁ କାର୍ଯ୍ୟକାରୀ କରାଯାଏ, ତେବେ କ୍ରିଉ ଡ୍ରାଗନ କ୍ୟାପ୍‌ସୁଲ୍‌ ଫେବୃଆରୀରେ ସୁନୀତା ଏବଂ ଓ୍ବିଲ୍‌ମୋରଙ୍କୁ ଧରି ପୃଥିବୀ ଫେରିବ।

Share