ଡିସିପିଙ୍କୁ ଭେଟି ନ୍ୟାୟ ମାଗିଲେ ସୁନିତି, ଭାଜପା ବିଧାୟକ ପ୍ରାର୍ଥୀଙ୍କ ବିରୋଧରେ ଆଣିଥିଲେ ଅଭିଯୋଗ

ଭୁବନେଶ୍ୱର,୯ା୯: ଭାଜପାରୁ ନିଲମ୍ବିତ ହୋଇଥିବା ସୁନିତି ମୁଣ୍ଡ ସୋମବାର ଭୁବନେଶ୍ୱର ଡିସିପି ପ୍ରତୀକ ସିଂଙ୍କୁ ଭେଟିଛନ୍ତି। ଲକ୍ଷ୍ମୀସାଗର ଥାନାରେ ସେପ୍ଟେମ୍ବର ୩ରେ ଭଣ୍ଡାରୀପୋଖରି ଭାଜପା ବିଧାୟକ ପ୍ରାର୍ଥୀ ସୁଧାଂଶୁ ନାୟକଙ୍କ ବିରୋଧରେ ସେ ଦେଇଥିବା ଅଭିଯୋଗ ପଞ୍ଜିକୃତ କରାଯାଉନାହିଁ। ଏହି ଏତଲାକୁ ପଞ୍ଜୀକୃତ କରାଯାଇ ତାଙ୍କୁ ନ୍ୟାୟ ଦିଆଯାଉ ବୋଲି ଡିସିପିଙ୍କୁ ଦାବି କରିଛନ୍ତି। ଡିସିପି ତାଙ୍କ ଅଭିଯୋଗ ଶୁଣି ଏହି ଘଟଣାରେ ତଦନ୍ତ ପ୍ରକ୍ରିୟା ହେବ ବୋଲି ପ୍ରତିଶ୍ରୁତି ଦେଇଥିବା ସୁନିତି କହିଛନ୍ତି।
ଅଭିଯୋଗକାରିଣୀ ସୁନିତି କହିଛନ୍ତି, ଗତ ଦୁଇମାସ ହେଲା ସୁଧାଂଶୁ ତାଙ୍କୁ ଧମକ ଦେଇ ୨୦ଲକ୍ଷ ଟଙ୍କା ମାଗି ବ୍ଲାକମେଲ୍‌ କରିଛନ୍ତି। ଏହି ଟଙ୍କା ନ ଦେଲେ ତାଙ୍କ ରାଜନୈତିକ ଜୀବନ ବରଦାବ କରିଦେବେ ବୋଲି ମଧ୍ୟ ଧମକ୍‌ ଦେଇଥିଲେ। ସତକୁ ସତ ତାଙ୍କ ନାଁରେ ମିଛ ଏଫ୍‌ଆଇଆର୍‌ ଦେଇ ଦଳରୁ ନିଲମ୍ବିତ କରାଇ ସେ ସଫଳ ହୋଇଗଲେ। ସେ ଦଳର ଟଙ୍କା ହେରଫେର କରିନାହାନ୍ତି ବୋଲି ସୁନିତି ଦୃଢ଼ତାର ସହ କହିଛନ୍ତି। ସୁନିତି ଆହୁରି ଅଭିଯୋଗ କରିଛନ୍ତି ଯେ, ନିର୍ବାଚନ କାମ ପାଇଁ ତାଙ୍କ ସଂସ୍ଥା ‘ଦକ୍ଷ କମ୍ୟୁନିକେସନ୍‌’କୁ ସୁଧାଂଶୁ ୧୦ ଲକ୍ଷ ଟଙ୍କା ଦେଇଥିଲେ। ଇଲେକ୍ସନ କ୍ୟାମ୍ପେନିଂ ଏବଂ ବିଭିନ୍ନ ପ୍ରକାର ନିର୍ବାଚନ ପରିଚାଳନାର ୨ ଦିନ ପାଇଁ ସୁଧାଂଶୁ ଏହି ଟଙ୍କା ତାଙ୍କୁ ଦେଇଥିଲେ। ହେଲେ ଅନ୍ୟ ଜଣେ ଲୋକଙ୍କୁ ସେ ସୁଧାଂଶୁଙ୍କ ସହ ପରିଚୟ କରାଇଥିବାରୁ ମିଛରେ ଆଉ ୧୦ ଲକ୍ଷ ଟଙ୍କା ଏଥିରେ ଯୋଡ଼ାଯାଇ ମିଛ ଅଭିଯୋଗ କରାଯାଇଛି। ନିର୍ବାଚନ ହାରିବା ପରେ ସୁଧାଂଶୁ ୨୦ ଲକ୍ଷ ଟଙ୍କା ତାଙ୍କୁ ମାଗିଲେ, ନ ଦେଲେ ରାଜନୈତିକ ଭବିଷ୍ୟତ ନଷ୍ଟ କରିଦେବେ ବୋଲି ଧମକ ଦେଇଥିଲେ। ଏନେଇ ସେ ବହୁ ମାନସିକ ଚାପରେ ଥିବା ସୁନିତି କହିଛନ୍ତି। ସୁନିତିଙ୍କ ଅଭିଯୋଗ ସଂକ୍ରାନ୍ତରେ ସୁଧାଂଶୁ କହିଛନ୍ତି, ପୋଲିସ ଏସଂକ୍ରାନ୍ତରେ ତଦନ୍ତ କରିବ। ଯଦି ସୁନିତିଙ୍କ ଅଭିଯୋଗର ସତ୍ୟତା ଥାଏ ମୋ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ହେବ। ମୁଁ କାହିଁକି ନିଜକୁ ଭଲ କିମ୍ବା ଅପରଧୀ ନୁହେଁ ବୋଲି କହିବି ବୋଲି ସୁଧାଂଶୁ କହିଛନ୍ତି।

Share