Categories: ଜାତୀୟ

ମଧୁମେହ ଚିକିତ୍ସାରେ ସହାୟକ ହେବ ସୂର୍ଯ୍ୟାଲୋକ

ନୂଆଦିଲ୍ଲୀ,୩ା୧୦: ଟାଇପ୍‌-୨ ମଧୁମେହ ଚିକିତ୍ସା ଓ ପ୍ରତିକାରରେ ପ୍ରାକୃତିକ ସୂର୍ଯ୍ୟାଲୋକ ସହାୟକ ହୋଇପାରିବ ବୋଲି ଏକ ଅଧ୍ୟୟନରୁ ଜଣାପଡ଼ିଛି। ଜର୍ମାନୀରେ ଅକ୍ଟୋବର ୨ରୁ ୬ ଅନୁଷ୍ଠିତ ହେଉଥିବା ୟୁରୋପିଆନ୍‌ ଆସୋସିଏଶନ ଫର୍‌ ଦି ଷ୍ଟଡି ଅଫ୍‌ ଡାଇବେଟିସ୍‌ (ଇଏଏସ୍‌ଡି)ର ବାର୍ଷିକ ବୈଠକରେ ଗବେଷକମାନେ ଉକ୍ତ ଅଧ୍ୟୟନ ଉପସ୍ଥାପନ କରିଛନ୍ତି। ଟାଇପ୍‌-୨ ଡାଇବେଟିସ୍‌ ଥିବା ବିଭିନ୍ନ ବୟସ ବର୍ଗର ଲୋକଙ୍କ ଏକାଧିକ ମେଟାବୋଲିକ୍‌ ଟେଷ୍ଟ କରାଯାଇଥିଲା। ସେମାନଙ୍କୁ ପ୍ରାକୃତିକ ଆଲୋକ ଏବଂ କୃତ୍ରିମ ଆଲୋକରେ ରଖି ପରୀକ୍ଷା କରାଯିବା ପରେ ଉଭୟ ଫଳାଫଳକୁ ତୁଳନା କରାଯାଇଥିଲା। ଶରୀର ଜାଗ୍ରତ ଓ ଶୟନ ସମୟରେ ଆଭ୍ୟନ୍ତରରେ କେତେକ ପରିବର୍ତ୍ତନ ଘଟିଥାଏ, ଯାହା ଟାଇପ୍‌-୨ ଡାଇବେଟିସ୍‌ ଭଳି କେତେକ ମେଟାବୋଲିକ୍‌ ରୋଗ ସହ ସମ୍ପୃକ୍ତ ବୋଲି ଗବେଷକ ତଥା ନେଦରଲାଣ୍ଡର ମାଷ୍ଟ୍ରିଚ୍‌ ୟୁନିଭର୍ସିଟିର ଇଭୋ ହାବେଟ୍ସ କହିଛନ୍ତି। ପ୍ରାକୃତିକ ଦିବାଲୋକ ଉକ୍ତ ସିର୍କାଡିଆନ୍‌ କ୍ଲକ୍‌ର ଏକ ବଳିଷ୍ଠ ପ୍ରକ୍ରିୟା ବା ପରିବେଶୀୟ ସଂକେତ। କିନ୍ତୁ ଅଧିକାଂଶ ଲୋକେ ଦିନବେଳା ଘରେ ନିୟମିତ ଭାବେ କୃତ୍ରିିମ ଆଲୋକ ମଧ୍ୟରେ ରହୁଥିବାରୁ ସେମାନେ ଉକ୍ତ ସୁବିଧାରୁ ବଞ୍ଚତ୍ତ ହୋଇଥାନ୍ତି। ଅଧ୍ୟୟନରେ ଭାଗ ନେଇଥିବା ୧୩ ଜଣଙ୍କୁ ଅନେକ ଦିନ ପର୍ଯ୍ୟନ୍ତ ଗବେଷଣା ପ୍ରତିଷ୍ଠାନରେ ରଖାଯାଇ ସକାଳ ୮ରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଉଭୟ ପ୍ରାକୃତିକ ଓ କୃତ୍ରିମ ଆଲୋକରେ କିଛିଦିନ ଲେଖାଏ ବସିବାକୁ କୁହାଯାଇଥିଲା। ମଧ୍ୟାହ୍ନ ସମୟରେ ପ୍ରାକୃତିକ ଆଲୋକର ତୀବ୍ରତା ସର୍ବାଧିକ ୨୪୫୩ ଲକ୍ସ ହେଉଥିବାବେଳେ ସକାଳେ ଓ ଅପରାହ୍ନରେ ଏହା କମ୍‌ ରହୁଥିଲା। ତେବେ କୃତ୍ରିମ ଆଲୋକ ସବୁବେଳେ ୩୦୦ ଲକ୍ସ ରହୁଥିଲା। ଶୋଇବା ସମୟ ରାତି ୧୧ରୁ ସକାଳ ୭ ପର୍ଯ୍ୟନ୍ତ ପ୍ରକୋଷ୍ଠକୁ ଅନ୍ଧାର କରାଯାଇଥିଲା। ଏହି ସମୟରେ ସେମାନଙ୍କର ରକ୍ତ ଶର୍କରା ନିୟମିତ ଯାଞ୍ଚ ହେଉଥିଲା। ପ୍ରାକୃତିକ ଦିବାଲୋକରେ ବ୍ଲଡ୍‌ ଗ୍ଲୁକୋଜ୍‌ ସ୍ତର ସ୍ବାଭାବିକ ୪.୪ରୁ ୭.୮ ରହୁଥିଲା। ସେହିପରି ଶ୍ୱାସକ୍ରିୟା ଅନୁପାତ ମଧ୍ୟ ଦିବାଲୋକରେ କମ୍‌ ରହୁଥିଲା। ତେଣୁ ପ୍ରାକୃତିକ ଆଲୋକରେ କାର୍ବୋହାଇଡ୍ରେଟ୍‌ ସହଜରେ ଶ୍ୱେତସାରରେ ପରିଣତ ହୋଇ ଶକ୍ତି ଯୋଗାଇପାରିବ ବୋଲି ଉକ୍ତ ଅଧ୍ୟୟନରୁ ଜଣାପଡ଼ିଛି।

Share