Categories: ଜାତୀୟ

ସୁନ୍ନି ଓ୍ବାକଫ୍‌ ବୋର୍ଡକୁ ମିଳିଲା ଜମି

ଅଯୋଧ୍ୟା,୪।୮(ଆଇଏଏନ୍‌ଏସ୍‌): ରାମମନ୍ଦିର ନିର୍ମାଣ ଲାଗି ଭୂମିପୂଜାର ବିରାଟ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ଅଯୋଧ୍ୟା ଜିଲାପାଳ ଅନୁଜ କୁମାର ଝା ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ମସ୍‌ଜିଦ ଲାଗି ଫୈଜାବାଦର ଧନିପୁରଠାରେ ଥିବା ୫ ଏକର ଜମି ସୁନ୍ନି ଓ୍ବାକଫ୍‌ ବୋର୍ଡକୁ ହସ୍ତାନ୍ତର କରିଛନ୍ତି। ଜୁଫର ଫାରୁକିଙ୍କ ଅଧ୍ୟକ୍ଷତାରେ ଗଠିତ ନୂତନ ମସ୍‌ଜିଦ ଟ୍ରଷ୍ଟ ଓ ବୋର୍ଡର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୟାଦ୍‌ ମୋହମ୍ମଦ ଶୋଇବ୍‌ ଅଯୋଧ୍ୟା ଜିଲାପାଳଙ୍କୁ ଭେଟିବା ପରେ ଏହି କାର୍ଯ୍ୟ ସମ୍ପାଦନ କରାଯାଇଛି। ଜିଲାପାଳ ରେଭେନ୍ୟୁ ରେକର୍ଡର ସାର୍ଟିଫାଏଡ୍‌ କପି ପ୍ରଦାନ କରିଥିଲେ। ସୁପ୍ରିମକୋର୍ଟ ପକ୍ଷରୁ ୨୦୧୯ ନଭେମ୍ବର ୯ରେ ସୁନ୍ନି ଓ୍ବାକଫ୍‌ ବୋର୍ଡକୁ ଅଯୋଧ୍ୟାରେ ମସ୍‌ଜିଦ୍‌ ନିର୍ମାଣ ଲାଗି ୫ ଏକର ଜମି ଦେବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ୨୦୨୦ ଫେବୃୟାରୀରେ ଉତ୍ତରପ୍ରଦେଶ ସରକାର ରାମ ଜନ୍ମଭୂମିଠାରୁ ୨୫ କିମି ଦୂର ଧନିପୁର ଗ୍ରାମରେ ଏଥିଲାଗି ଜମି ଦେବାକୁ ଘୋଷଣା କରିଥିଲେ। ମସ୍‌ଜିଦ୍‌ ଲାଗି ଜମି ପାଇବା ପରେ ସୁନ୍ନି ଓ୍ବାକଫ୍‌ ବୋର୍ଡର ସିଇଓ ଶୋଏବ୍‌ କହିଛନ୍ତି, ପରବର୍ତ୍ତୀ ବୈଠକରେ ମସ୍‌ଜିଦ୍‌ ନିର୍ମାଣ ସମ୍ପର୍କରେ ଆଲୋଚନା କରାଯିବ।

Share