‘ଗଦ୍ଦର-୨’ର ଫାଷ୍ଟ ଲୁକ୍‌: ଏଥର ହ୍ୟାଣ୍ଡପମ୍ପ ନୁହେଁ ଶଗଡ଼ ଚକ ଉଠାଇଲେ ତାରା ସିଂ

ବମ୍ବେ: ୨୦୦୧ରେ ରିଲିଜ ହୋଇଥିଲା ଫିଲ୍ମ ‘ଗଦ୍ଦର’। ଦର୍ଶକ ଏହାକୁ ବେଶ ପସନ୍ଦ କରିବା ଯୋଗୁ ଫିଲ୍ମଟି ବ୍ଲକବଷ୍ଟର ସାବ୍ୟସ୍ତ ହୋଇଥିଲା। ଏବେ ଏହାର ସିକୁଏଲ୍‌ ‘ଗଦ୍ଦର-୨’ ଆସିବାକୁ ଯାଉଛି। ପୂର୍ବଭଳି ଏଥିରେ ମୁଖ୍ୟ କଳାକାର ଭାବେ ସନ୍ନି ଦେଓଲ ଏବଂ ଅମୀଷା ପଟେଲଙ୍କ ଯୋଡ଼ି ନଜର ଆସିବେ। ଫିଲ୍ମର ରିଲିଜକୁ ଢେର ଦିନ ଥିବା ବେଳେ ଏହାର ଫାଷ୍ଟ ଲୁକ୍‌ ସାମ୍ନାକୁ ଆସିଛି। ଏଥିରେ ସନ୍ନି ହ୍ୟାଣ୍ଡପମ୍ପ ବଦଳରେ ଶଗଡ଼ ଚକକୁ ହାତରେ ଉଠାଇଥିବା ଦେଖାଯାଇଛି।

ଜି ଷ୍ଟୁଡିଓ ପକ୍ଷରୁ ଇନଷ୍ଟାଗ୍ରାମରେ ଏକ ରିଲ ଭିଡିଓ ଶେୟାର କରାଯାଇଛି। ଏଥିରେ ୨୦୨୩ରେ ରିଲିଜ ହେବାକୁ ଥିବା ଅନେକ ବଡ଼ ବଜେଟ ଫିଲ୍ମର ଝଲକ ରହିଛି। ୫୦ ସେକେଣ୍ଡର ଏହି ଭିଡିଓରେ ଅଜୟ ଦେବଗନଙ୍କ ‘ମଇଦାନ’, ସଲମାନ ଖାଁଙ୍କ ‘ଭାଇଜାନ’, ସୋନୁ ସୁଦଙ୍କ ‘ଫତେହ’, ନଓ୍ବାଜୁଦ୍ଦିନ ସିଦ୍ଧକୀଙ୍କ ‘ହଡ୍ଡି’ ସହ ଅନେକ ପ୍ରୋଜେକ୍ଟର କ୍ଲିପ୍‌ ରହିଛି। ଶେଷରେ ଥିବା ‘ଗଦ୍ଦର ୨’ରେ ସନ୍ନିଙ୍କ ତାରା ସିଂହ ଲୁକ୍‌ ବେଶ ବାରି ହୋଇ ପଡ଼ିଛି। ପୁରା ଆକ୍ସନ ସହ ସନ୍ନି ଶଗଡ଼ ଗାଡ଼ି ଉଠାଉଛନ୍ତି।

ଫାଷ୍ଟ ଲୁକ୍‌ ଆସିବା ପରେ ଟୁଇଟରରେ ଟ୍ରେଣ୍ଡ କରୁଛି #ଗଦ୍ଦର୨। ପ୍ରଶଂସକମାନେ ସନ୍ନିଙ୍କ ଫିଲ୍ମକୁ ଆରମ୍ଭରୁ ବ୍ଲକବଷ୍ଟର କହିବା ଆରମ୍ଭ ମଧ୍ୟ କରିଦେଲେଣି। ତେବେ ଫିଲ୍ମଟି ଚଳିତ ବର୍ଷ ମଧ୍ୟଭାଗରେ ଏହା ରିଲିଜ ହେବ ବୋଲି ଆଶା କରାଯାଉଛି।

Share