Categories: ଖେଳ

କୋଲକାତାକୁ ହରାଇ ସନ୍‌ରାଇଜର୍ସର ଦ୍ୱିତୀୟ ବିଜୟ

କୋଲକାତା, ୧୪।୪: ହ୍ୟାରି ବ୍ରୁକ୍‌ଙ୍କ ଅପରାଜିତ ଶତକ ବଳରେ ସନ୍‌ରାଇଜର୍ସ ହାଇଦ୍ରାବାଦ ଶୁକ୍ରବାର ଅନୁଷ୍ଠିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ର ୧୯ ତମ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସକୁ ୨୩ ରନ୍‌ରେ ପରାସ୍ତ କରିଛି। ସନ୍‌ରାଇଜର୍ସ ୨୦ ଓଭରରେ ୪ ଉଇକେଟ ହରାଇ ୨୨୮ ରନ କରିଥିବାବେଳେ କୋଲକାତା ୨୦ ଓଭରରେ ୭ ଉଇକେଟ ହରାଇ ୨୦୫ ରନ କରିବାକୁ ସକ୍ଷମ ହୋଇଥିଲା। ଚଳିତ ଆଇପିଏଲ୍‌ରେ ସନ୍‌ରାଇଜର୍ସର ଏହା ହେଉଛି ଦ୍ୱିତୀୟ ବିଜୟ। ୨୨୯ ରନ୍‌ ବିଜୟ ଲକ୍ଷ୍ୟ ନେଇ କୋଲକାତା ୨୦ ରନ୍‌ ମଧ୍ୟରେ ୩ ଉଇକେଟ ହରାଇ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଏନ୍‌. ଜଗଦୀଶନ ୩୬ ରନ କରିଥିବା ବେଳେ ଅଧିନାୟକ ନୀତୀଶ ରାଣା ୭୫ (୪୧ବଲ, ୫ ଚୌକା, ୬ ଛକା) ରନ୍‌ କରି ଆଉଟ ହେବା ପରେ ଦଳର ବିଜୟ ଆଶା ମଉଳି ଯାଇଥିଲା। ଗୁଜରାଟ ଟାଇଟନ୍ସ ବିପକ୍ଷ ମ୍ୟାଚର ହିରୋ ରିଙ୍କୁ ସିଂ ଦମ୍‌ଦାର ବ୍ୟାଟିଂ କରି ୩୧ ବଲ୍‌ରୁ ୫୮ (୪ ଚୌକା, ୪ ଛକା) ରନ୍‌ କରିଥିଲେ ମଧ୍ୟ ଦଳର ବିଜୟ ପାଇଁ ତାହା ସକ୍ଷମ ହୋଇ ନ ଥିଲା।

Share