ପିଡିଏସ ସାମଗ୍ରୀ ଆଣିବାକୁ ଯାଇ ଅଂଶୁଘାତର ଶିକାର

ଖଡ଼ିଆଳ,୧୯।୫(ଡି.ଏନ.ଏ.): ନୂଆପଡା ଜିଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ରାଣୀମୁଣ୍ଡା ପଞ୍ଚାୟତ ମହୁଲକୋଟ ଗ୍ରାମର ଜଣେ ବୃଦ୍ଧା ପିଡିଏସ ସାମଗ୍ରୀ ଆଣିବାକୁ ଯାଇ କୋଟାମାଲଠାରେ ଅଂଶୁଘାତର ଶିକାର ହୋଇଥିବା ଅଭିଯୋଗ ହୋଇଛି। ପରିବାର ଲୋକେ ସେଠାରୁ ଆଣି କରି ଚିକିତ୍ସା କରୁଥିବା ଜଣାପଡ଼ିଛି। ମହୁଲକୋଟ ଗ୍ରାମରୁ ରାଣୀମୁଣ୍ଡା ପଞ୍ଚାୟତ ମହୁଲକୋଟକୁ ୪ କି.ମି. ଦୂରରେ ଅବସ୍ଥିତ। ଗୋଟିଏ ପିଡିଏସ ସବସେଣ୍ଟର ଖୋଲିବାକୁ ଦୀର୍ଘ ଦିନ ଧରି ଦାବି ହୋଇ ଆସୁଛି। ହେଲେ ବ୍ଲକ ପ୍ରଶାସନ ଦୃଷ୍ଟି ଦେଉ ନ ଥିବା ଅଭିଯୋଗ କରିଛନ୍ତି। ଫଳରେ ଗ୍ରାମବାସୀମାନଙ୍କୁ ପିଡ଼ିଏସ ସାମଗ୍ରୀ ପାଇଁ ଅନେକ ଅସୁବିଧା ହେଉଛି। ଏହାକୁ ଦୃଷ୍ଟିରେ ରଖି ରାଣିମୁଣ୍ଡା ସରପଞ୍ଚ ତୁକାରାମ ହିଆଲ ରାଣିମୁଣ୍ଡା, ପଲମା, କମ୍ପାନୀଗୁମା ଓ କୋଟାମାଲ ଗ୍ରାମକୁ ରାଣିମୁଣ୍ଡା ସବସେଣ୍ଟର ଏବଂ ମହୁଲକୋଟ ଓ ସମାଡପଦରକୁ ନେଇ ଅନ୍ୟ ଏକ ନୂଆ ସବସେଣ୍ଟର ଖୋଲିବାକୁ ଦାବି କରି ଯୋଗାଣ ବିଭାଗଙ୍କୁ ଲିଖିତ ଅଭିଯୋଗ ସତ୍ତ୍ୱେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିବା ନେଇ ପ୍ରତିକ୍ରିୟା ରଖିଛନ୍ତି।

Share