ଅଂଶୁଘାତ ନେଲା ବୃଦ୍ଧଙ୍କ ଜୀବନ, ସହାୟତା ପାଇଁ ଦାବି

ନୟାଗଡ଼ ଅଫିସ,୩୦।୪: ଅଂଶୁଘାତରେ ଚାଲିଗଲା ବୃଦ୍ଧଙ୍କ ଜୀବନ। ଏଭଳି ଅଭାବନୀୟ ଘଟଣା ଘଟିଛି ଖୋର୍ଦ୍ଧା ଜିଲା ରଣପୁର ବ୍ଲକ୍‌ ବଳଭଦ୍ରପୁର ପଞ୍ଚାୟତ ଲେଖପଡ଼ା ଗାଁରେ।
ଗାଁର ୬୪ ବର୍ଷୀୟ ଗୋବିନ୍ଦ ଜେନା ଗତ ୨୫ ତାରିଖରେ ଲେଖପଡ଼ା ବାଇଢଙ୍କ ଜଙ୍ଗଲକୁ କାଠ ସଂଗ୍ରହ କରିବାକୁ ଯାଇଥିବା ବେଳେ ହଠାତ ଅସୁସ୍ଥ ହୋଇ ପଡ଼ିଥିଲେ । ତେବେ ତାଙ୍କୁ ଚିକିତ୍ସା ପାଇଁ ରଣପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତଦେହ ବ୍ୟବଚ୍ଛେଦ ପରେ ଅଂଶୁଘାତରେ ଗୋବିନ୍ଦଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତ ବ୍ୟକ୍ତିଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଆର୍ଥିକ ସହାୟତା ପାଇଁ ଦାବି ହୋଇଛି।