ଏସ୍‌ୟୁପି ନିଷିଦ୍ଧ: ଏକ ବଡ଼ ପଦକ୍ଷେପ

ଭୂପେନ୍ଦ୍ର ଯାଦବ

୨୦୧୮ରେ ବିଶ୍ୱ ପରିବେଶ ଦିବସ ପାଳନ ଅବସରରେ ଆମର ବାର୍ତ୍ତା ଥିଲା ପ୍ଲାଷ୍ଟିକ ପ୍ରଦୂଷଣର ମୁକାବିଲା। ଦେଶରେ ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ(ଏସ୍‌ୟୁପି)ର ଅବସାନ ଘଟାଇବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତଙ୍କୁ ଆହ୍ବାନ ଜଣାଇଥିଲେ। ଏହାର ବର୍ଷକ ପରେ ନିଜର ସ୍ବାଧୀନତା ଦିବସ ଭାଷଣରେ ପ୍ରଧାନମନ୍ତ୍ରୀ ମୋଦି ପୁନର୍ବାର ଏହି ପ୍ରସଙ୍ଗ ଉତ୍ଥାପନ କରି କହିଥିଲେ, ଆମେ ଭାରତକୁ ଥରେ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକରୁ ମୁକ୍ତ କରିପାରିବା କି ? ଏହି ଲକ୍ଷ୍ୟ ପୂରଣ କରିବାକୁ କାର୍ଯ୍ୟ ଆରମ୍ଭ କରିବାର ସମୟ ଆସିଯାଇଛି। ଏ ଦିଗରେ କାମ କରିବାକୁ ସମୟ ଉପଗତ ହୋଇଛି। ଦୋକାନୀମାନେ ଏହି ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ ଓ ମୁଣା ପରିବର୍ତ୍ତେ ଝୋଟ ଓ କନା ମୁଣା/ ବ୍ୟାଗ ବ୍ୟବହାର କରିବା ଉଚିତ। କ୍ରେତାମାନେ ମଧ୍ୟ ସଚେତନ ହୋଇ ଏଭଳି ପ୍ଲାଷ୍ଟିକକୁ ବର୍ଜନ କରିବା ସହ ପ୍ଲାଷ୍ଟିକ ପ୍ରଦୂଷଣ ହ୍ରାସ ଦିଗରେ ସହଯୋଗ ଯୋଗାଇବା ଆବଶ୍ୟକ। ଆମକୁ ମଧ୍ୟ ଏ କ୍ଷେତ୍ରରେ ନୂଆ ଟେକ୍ନୋଲୋଜି ବ୍ୟବହାର କରିବାକୁ ପଡ଼ିବ। ତେବେ ଯାଇ ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକର ବ୍ୟବହାର ରୋକିହେବ।
ପ୍ଲାଷ୍ଟିକ ବ୍ୟବହାରକୁ ବନ୍ଦ କରିବାର ଅନେକ ଯଥାର୍ଥ କାରଣ ରହିଛି। ଏହା ପରିବେଶ ସମେତ ମଣିଷର ସ୍ବାସ୍ଥ୍ୟ ପ୍ରତି କ୍ଷତିକାରକ। ଆମେ ବ୍ୟବହାର କରୁଥିବା ପ୍ଲାଷ୍ଟିକର ଏକ ନଗଣ୍ୟ ଭାଗ ପୁନଃ ପ୍ରକ୍ରିୟାକୃତ (ରିସାଇକ୍ଲିଂ) ବା ନଷ୍ଟ ହେଉଛି। ଆବର୍ଜନାରୁ ଶକ୍ତି ସୃଷ୍ଟି କରିବାର ଯେଉଁ ବ୍ୟବସ୍ଥା ରହିଛି ସେଥିରେ ପ୍ଲାଷ୍ଟିକର ବ୍ୟବହାର ଅତ୍ୟନ୍ତ ସ୍ବଳ୍ପ। ଫଳରେ ପରିତ୍ୟକ୍ତ ପ୍ଲାଷ୍ଟିକ ଆବର୍ଜନା ଏଣେତେଣେ ବିକ୍ଷିପ୍ତ ଭାବେ ପଡୁଛି ବା ଖାଲପୋତା କାମରେ ଲାଗୁଛି। ବିପଜ୍ଜନକ କଥା ହେଲା ପ୍ଲାଷ୍ଟିକରୁ ବିଷାକ୍ତ ପଦାର୍ଥ ନିର୍ଗତ ହୋଇ ମାଟି ଓ ପାଣିରେ ମିଶିଥାଏ। ପ୍ଲାଷ୍ଟିକ ନଷ୍ଟ ହେବା ପ୍ରକ୍ରିୟାରେ ଅତି କ୍ଷୁଦ୍ର କ୍ଷୁଦ୍ର ଭାଗରେ ବିଭକ୍ତ ହୋଇ ସୂକ୍ଷ୍ମାତିସୂକ୍ଷ୍ମ ଭାବେ ପରିବେଶକୁ ପ୍ରଦୂଷିତ କରେ। ନୂଆ ଗବେଷଣାରୁ ଜଣାପଡ଼ିଛି ଯେ ଏହି ସୂକ୍ଷ୍ମାତିସୂକ୍ଷ୍ମ (ମାଇକ୍ରୋ) ପ୍ଳାଷ୍ଟିକର ଉପସ୍ଥିତି ଏବେ ମୃତ୍ତିକା, ଜଳଉତ୍ସ ଏବଂ ଆମେ ପ୍ରଶ୍ୱାସରେ ଗ୍ରହଣ କରୁଥିବା ବାୟୁରେ ଦେଖିବାକୁ ମିଳୁଛି। ଏହା ଏକ ବିଶେଷ ଚିନ୍ତାର ବିଷୟ।
ଏକକ ବ୍ୟବହାର ପ୍ଲାଷ୍ଟିକ ଦୂରୀକରଣ ପାଇଁ ଭାରତ ଆହ୍ବାନ ଦେବା ପରେ ସମଗ୍ର ବିଶ୍ୱରେ ଏ ନେଇ ତତ୍ପରତା ପ୍ରକାଶ ପାଇଛି। ପ୍ଲାଷ୍ଟିକ ପ୍ରଦୂଷଣ ରୋକିବାକୁ ସମସ୍ତେ ତତ୍ପରତା ପ୍ରକାଶ କଲେଣି। କେନିଆର ରାଜଧାନୀ ନାଇରୋବିଠାରେ ଜାତିସଂଘ ପରିବେଶ ପରିଷଦର ଯେଉଁ ବୈଠକ ଗତ ମାର୍ଚ୍ଚରେ ଅନୁଷ୍ଠିତ ହୋଇଥିଲା ସେଥିରେ ମୁଖ୍ୟ ପ୍ରସଙ୍ଗ ଥିଲା ପ୍ଲାଷ୍ଟିକ ପ୍ରଦୂଷଣକୁ ରୋକିବା। ଏହି ବୈଠକରେ ଏକ ଐତିହାସିକ ପଦକ୍ଷେପ ଗ୍ରହଣ କରାଯାଇ ଏକକ ବ୍ୟବହାର ପ୍ଲାଷ୍ଟିକକୁ ନିଷିଦ୍ଧ କରିବାକୁ ଜାତିସଂଘର ସବୁ ରାଷ୍ଟ୍ରଙ୍କୁ ଆହ୍ବାନ ଦିଆଯାଇଥିଲା। ଏହି ପ୍ରସ୍ତାବରେ ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକକୁ ଆନ୍ତର୍ଜାତିକ ସ୍ତରରେ ନିଷିଦ୍ଧ କରାଯାଇଛି ଏବଂ ଏହାକୁ ମାନିବାକୁ ସବୁ ଦେଶ ଆଇନତଃ ବାଧ୍ୟ।
ଚଳିତବର୍ଷ ଜୁଲାଇ ପହିଲାରୁ ଭାରତରେ ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକକୁ ନିଷିଦ୍ଧ କରାଯାଇଛି। ଏ ସମ୍ପର୍କରେ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଆବଶ୍ୟକ ନିର୍ଦ୍ଦେଶାବଳୀ ଜାରି କରିଛି। ଏଥିରେ ପ୍ଲାଷ୍ଟିକ ପ୍ୟାକେଜିଂ କ୍ଷେତ୍ରରେ ଉତ୍ପାଦକଙ୍କ ପରିବର୍ଦ୍ଧିତ ଦାୟିତ୍ୱ ଇପିଆର ଅନ୍ତର୍ଭୁକ୍ତ ହୋଇଛି। ଏହି ନିର୍ଦ୍ଦେଶାବଳୀ ଅନୁସାରେ ପ୍ୟାକେଜିଂରେ ପ୍ଲାଷ୍ଟିକ ବ୍ୟବହାର କରୁଥିବା ଉତ୍ପାଦକମାନଙ୍କୁ ବ୍ୟବହୃତ ପ୍ଲାଷ୍ଟିକର ଏକ ସର୍ବନିମ୍ନ ଭାଗକୁ ସାମଗ୍ରୀ ବିକ୍ରି ପରେ ବଜାରରୁ ସଂଗ୍ରହ କରି ରିସାଇକ୍ଲିଂ କରିବା ବାଧ୍ୟତାମୂଳକ ହୋଇଛି। ସେହିଭଳି ଆମଦାନୀକାରୀ ସାମଗ୍ରୀର ମାଲିକ ପ୍ୟାକେଜିଂରେ ବ୍ୟବହୃତ ହେଉଥିବା ପ୍ଲାଷ୍ଟିକକୁ ମଧ୍ୟ ବ୍ୟବହାର ପରେ ସଂଗ୍ରହ କରି ତାହାକୁ ନଷ୍ଟ ବା ରିସାଇକ୍ଲିଂ କରିବାକୁ ବାଧ୍ୟ। ତେବେ ଏହା କେତେ ପରିମାଣରେ ସଂଗୃହୀତ ହେବ ତାହାର ମଧ୍ୟ ନିର୍ଦ୍ଦେଶ ରହିଛି। ଏହାଛଡା ଇପିଆର ଗାଇଡଲାଇନରେ ପ୍ଲାଷ୍ଟିକ ପ୍ୟାକେଜିଂ ପରିବର୍ତ୍ତେ ବିକଳ୍ପ ପ୍ୟାକେଜିଂ ପଦାର୍ଥ ବ୍ୟବହାରକୁ ପ୍ରୋତ୍ସାହିତ କରିବାକୁ କୁହାଯାଇଛି।
ଏହାଛଡା ଏହି ଇପିଆରରେ ପ୍ୟାକେଜିଂ ପାଇଁ ପୁନଃପ୍ରକ୍ରିୟାକୃତ (ରିସାଇକ୍ଲିଂ) ପ୍ଲାଷ୍ଟିକ ବ୍ୟବହାର କରିବାର ନିର୍ଦ୍ଦେଶ ଅଛି। ଏସବୁ ସତ୍ତ୍ୱେ ଏବେ ପ୍ରଶ୍ନ ହେଉଛି ପ୍ଲାଷ୍ଟିକର ବିକଳ୍ପ କ’ଣ ? ମୋଦି ସରକାର ପରିବେଶର କ୍ଷତି ସାଧନ କରି ବିକାଶ ହାସଲ ନୀତିର ବିରୋଧୀ। ବିକାଶ ସହିତ ପରିବେଶର ସୁରକ୍ଷା ଓ ଯତ୍ନ ଉପରେ ଏହା ଗୁରୁତ୍ୱ ଦିଏ। ଏହି ମୌଳିକ ନୀତି ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କ ପରିବେଶ ପାଇଁ ଜୀବନଶୈଳୀ ଆହ୍ବାନ (ଲାଇଫ)କୁ ସ୍ମରଣ ରଖି କେନ୍ଦ୍ର ପରିବେଶ ମନ୍ତ୍ରଣାଳୟ ପ୍ଲାଷ୍ଟିକର ବିକଳ୍ପ ସମ୍ପର୍କରେ ଏକ ଜାତୀୟ ପ୍ରଦର୍ଶନୀ ଆୟୋଜନ କରିଥିଲା। ପ୍ଲାଷ୍ଟିକର ଅପକାରିତା ଓ ବିକଳ୍ପ ସାମଗ୍ରୀ ବ୍ୟବହାର ପାଇଁ ଜନସଚେତନତା ସୃଷ୍ଟି ଥିଲା ଏହି ପ୍ରଦର୍ଶନୀର ମୁଖ୍ୟ ଉଦ୍ଦେଶ୍ୟ। ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଏଭଳି ପ୍ରଦର୍ଶନୀମାନ ଆୟୋଜନ କରି ପ୍ଲାଷ୍ଟିକ ବ୍ୟବହାର ବନ୍ଦ କରିବା ଓ ବିକଳ୍ପ ସାମଗ୍ରୀ ବ୍ୟବହାରକୁ ପ୍ରୋତ୍ସାହିତ କରିବାକୁ ଜନସାଧାରଣଙ୍କୁ ସଚେତନ କରିବାକୁ କୁହାଯାଇଛି।
କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରାକୃତିକ ଉପାୟରେ ସହଜରେ ନଷ୍ଟ ହେବା ଭଳି ପ୍ଲାଷ୍ଟିକ ସମ୍ପର୍କରେ ଏକ ଅସ୍ଥାୟୀ ମାନକ ନିର୍ଦ୍ଧାରଣ କରାଯାଉଛି। ତଦନୁସାରେ ପ୍ଲାଷ୍ଟିକର ବିକଳ୍ପ ସାମଗ୍ରୀ ଉତ୍ପାଦନ କରିବାକୁ ଏମ୍‌ଏସ୍‌ଏମ୍‌ଇଗୁଡିକୁ ସହଯୋଗ ଯୋଗାଇ ଦେବାକୁ କେନ୍ଦ୍ର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟ ଏକ ଯୋଜନା ପ୍ରସ୍ତୁତ କରିଛି। ରାଜ୍ୟ ସରକାରମାନେ ମଧ୍ୟ ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକର ବିକଳ୍ପ ପ୍ରସ୍ତୁତ କରିବାକୁ ଏମ୍‌ଏସ୍‌ଏମ୍‌ଇକୁ ଆବଶ୍ୟକ ସାହାଯ୍ୟ ସହଯୋଗ ଓ ଦିଗ୍‌ଦର୍ଶନ ଦେବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି। ଷ୍ଟାର୍ଟଅପ ଇଣ୍ଡିଆ ଯୋଜନାରେ ପ୍ଲାଷ୍ଟିକର ବିକଳ୍ପ ବାହାର କରିବାକୁ ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ, ଉଦ୍ୟୋଗ ଓ ଆଭ୍ୟନ୍ତରୀଣ ବାଣିଜ୍ୟ ପ୍ରୋତ୍ସାହନ ବିଭାଗ(ଡିପିଆଇଆଇଟି) ସହ କାମ କରୁଛି।
କମ୍ପୋଷ୍ଟଯୋଗ୍ୟ ପ୍ଲାଷ୍ଟିକ ଉତ୍ପାଦନ କରିବାକୁ କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ପ୍ରାୟ ୨୦୦ଉତ୍ପାଦକଙ୍କୁ ଏକକାଳୀନ ସାର୍ଟିଫିକେଟ ପ୍ରଦାନ କରିଛି। ମୋଦି ସରକାରଙ୍କ ସୁଗମ ବ୍ୟବସାୟ ନୀତି ଅନୁସାରେ ଏହି ସାର୍ଟିଫିକେଟର ନବୀକରଣ ଅନାବଶ୍ୟକ। ଅନ୍‌ଲାଇନ ପୋର୍ଟାଲରେ ସମ୍ପୃକ୍ତ ଉତ୍ପାଦନକାରୀ ଏହି ସାର୍ଟିଫିକେଟ ହାସଲ କରି ନିଜର ଉତ୍ପାଦନ ଆରମ୍ଭ କରିପାରିବେ। ଆହୁରି ମଧ୍ୟ ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକର ବିକଳ୍ପ ବାହାର କରିବାକୁ ସିପେଟ(କେନ୍ଦ୍ରୀୟ ପେଟ୍ରୋ-ରସାୟନ ଇଞ୍ଜିନିୟରିଂ ଓ ଟେକ୍ନୋଲୋଜି) କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସହଯୋଗରେ ଏମ୍‌ଏସ୍‌ଏମ୍‌ଇଗୁଡିକ ପାଇଁ କର୍ମଶାଳାମାନ ଆୟୋଜନ କରୁଛି। ଇ-କମର୍ସ କମ୍ପାନୀ, ପ୍ରମୁଖ ବିକ୍ରେତା / ବ୍ୟବହାରକାରୀ ଓ ପ୍ଲାଷ୍ଟିକ କଞ୍ଚାମାଲ ଉତ୍ପାଦକମାନଙ୍କୁ ମଧ୍ୟ ଏହି ଏକକ ବ୍ୟବହାର ପ୍ଲାଷ୍ଟିକର ଉତ୍ପାଦନ ଓ ବ୍ୟବହାରକୁ ନିଷିଦ୍ଧ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏସବୁ ସତ୍ତ୍ୱେ ଜନଭାଗୀଦାରି ବିନା ପରିବେଶ ସୁରକ୍ଷା ଓ ପ୍ରଦୂଷଣ ନିୟନ୍ତ୍ରଣ ଲକ୍ଷ୍ୟ ସଫଳ ହୋଇପାରିବ ନାହିଁ। ଜନସାଧାରଣଙ୍କୁ ଏଥିପାଇଁ ଉତ୍ସାହିତ କରିବାକୁ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି।
ଏକକ ବ୍ୟବହାର ପ୍ଲାଷ୍ଟିକ ନିଷେଧାଦେଶକୁ ସଫଳ କରିବାକୁ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ମଧ୍ୟ ବ୍ୟାପକ ପଦକ୍ଷେପ ଓ କାର୍ଯ୍ୟକ୍ରମ ହାତକୁ ନେଇଛି। ଏଥିରେ ପ୍ଲାଷ୍ଟିକର କଞ୍ଚାମାଲ ଯୋଗାଣ ହ୍ରାସ, ଏକକ ବ୍ୟବହାର ପ୍ଲାଷ୍ଟିକର ଚାହିଦା କମାଇବା, ନିଷେଧାଦେଶର ଉପଯୁକ୍ତ କାର୍ଯ୍ୟକାରିତା ଓ ତଦାରଖ ବ୍ୟବସ୍ଥା ଦେଖିବାକୁ ଡିଜିଟାଲ କୌଶଳର ବ୍ୟବହାର ଆଦି ଅନ୍ତର୍ଭୁକ୍ତ। ଏହା ସହିତ ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକକୁ ବର୍ଜନ କରିବାକୁ ଜନସଚେତନତା କାର୍ଯ୍ୟ ବ୍ୟାପକ ଭାବେ ତଦାରଖ କରିବା ପାଇଁ ଏକ ଜାତୀୟ ଡ୍ୟାସ ବୋର୍ଡ ସ୍ଥାପନ କରାଯାଇଛି।
ଏକ ସୁସ୍ଥ, ଉତ୍ତମ ଓ ନିରନ୍ତର ବିକାଶଶୀଳ ପୃଥିବୀ ଗଠନ ଦିଗରେ ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକକୁ ନିଷିଦ୍ଧ କରାଯିବା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏହା ମାଧ୍ୟମରେ ଆମେ ଆମ ପରିବର୍ତ୍ତୀ ବଂଶଧରଙ୍କୁ ଏକ ସୁସ୍ଥ, ସବୁଜ ଓ ପ୍ରଦୂଷଣମୁକ୍ତ ପୃଥିବୀ ହସ୍ତାନ୍ତର କରିପାରିବା। ଏହା ଆମ ପାଇଁ ନିଶ୍ଚିତ ଏକ ଗର୍ବ ଓ ଗୌରବର ବିଷୟ ହେବ। ସମସ୍ତଙ୍କ ସହଯୋଗ ଓ ମିଳିତ ଉଦ୍ୟମରେ ଆମେ ଭାରତରୁ ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକକୁ ଦୂର କରିପାରିବା। ପ୍ରଧାନମନ୍ତ୍ରୀ ଯେଉଁ ‘ଲାଇଫ’ ଲକ୍ଷ୍ୟ (ଷ୍ଟାଇଲ ଫର୍‌ ଏନ୍‌ଭାଇରନମେଣ୍ଟ ବା ପରିବେଶ ପାଇଁ ଜୀବନଶୈଳୀ) ରଖିଛନ୍ତି, ତାହାକୁ ସାକାର କରିବା ପାଇଁ ଆମକୁ ପରିବେଶ ଅନୁକୂଳ ପଦ୍ଧତି ଓ ବିକଳ୍ପ ବାହାର କରିବାକୁ ପଡ଼ିବ। ତେବେ ଯାଇ ଆମର ଭବିଷ୍ୟତ ସୁରକ୍ଷିତ ହୋଇପାରିବ।
(ଲେଖକ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ)


Enter your email to get our daily news in your inbox.

All Right Reserved By Dharitri.Com

କୃତଜ୍ଞତାର ସ୍ବର

ବୁଝିଲ ବନ୍ଧୁ, ଈଶ୍ବରଙ୍କ ଆଶୀର୍ବାଦରୁ ଆମେ ଏ ଜୀବନ ପ୍ରାପ୍ତ ହେଇଛେ ସତ, ହେଲେ ଆମ ଜୀବନରେ ଆମ ମା’ବାପା, ଭାଇ ବନ୍ଧୁ, ପୃଥିବୀ, ଆକାଶ,...

ଆଚାର୍ଯ୍ୟ, ଅବଧାନ ଓ ଶିକ୍ଷକ

ବୈଦିକ ଯୁଗରେ ଅରଣ୍ୟରେ ଥିବା ଋଷିମାନଙ୍କର ଆଶ୍ରମଗୁଡ଼ିକ ଥିଲା ବିଦ୍ୟାଦାନର କେନ୍ଦ୍ର। ଧନୀ, ଗରିବ, ରାଜପୁତ୍ର ସମସ୍ତେ ସେଠାରେ ଏକତ୍ର ବିଦ୍ୟାଗ୍ରହଣ କରୁଥିଲେ। ସନ୍ଦିପନୀ ଉଭୟ...

ସମ୍ପ୍ରସାରଣର ଶାସନ

ମୋଦି ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳରୁ ଅବସର ପରେ ବରିଷ୍ଠ ସିଭିଲ ସର୍ଭାଣ୍ଟଙ୍କୁ ବିଭିନ୍ନ ପଦବୀରେ ଅବସ୍ଥାପିତ କରାଯାଇଆସୁଛି। ମୋଦି ସରକାର କ୍ଷମତାକୁ ଫେରିବାର ସପ୍ତାହକ ପରେ...

ସଦ୍‌ଗୁରୁ ଓ ସତ୍‌ନାମ

ଆମର ଗୋଟାଏ ଦୋଷ ଯେ, କିଛି ନ ବୁଝି, ମହାପୁରୁଷଙ୍କ ଉପରେ ମୂଳରୁ ଭରଷା କରୁ। ଭଗବତ୍‌ ଶକ୍ତିରେ ଅଲୌକିକ ଭାବରେ ସବୁ ସେ କରିଦେବେ...

ବିଷମୁକ୍ତ ହେବ କି ଭାତହାଣ୍ଡି

ମ୍ପ୍ରତିକ ସମୟକୁ ଲକ୍ଷ୍ୟକଲେ କୃଷି ହିଁ ଆମ ଭବିଷ୍ୟତ ବୋଲି କୁହାଯାଇପାରେ। ଏହି କୃଷି ଆମ ଅର୍ଥନୀତିର ସଂସ୍କାରକ। ଆମ ରାଜ୍ୟରେ ସତୁରି ଭାଗରୁ ଅଧିକ...

ଟ୍ରମ୍ପ୍‌ ଓ କପ୍‌ ସମ୍ମିଳନୀ

ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ବିଜୟ ବକୁରେ ଅନୁଷ୍ଠିତ ମିଳିତ ଜାତିସଂଘର ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ (କପ୍‌୨୯) ଉପରେ କଳାବାଦଲ ଛାଇ ଦେଇଛି। ଏକଥା...

ପୋଷଣୀୟ ମତ୍ସ୍ୟକ୍ଷେତ୍ର

ଶ୍ୱ ଅର୍ଥନୀତି, ପୁଷ୍ଟିକର ଖାଦ୍ୟ, ନିଯୁକ୍ତି ଓ ସର୍ବୋପରି ପରିବେଶ ପ୍ରତି ମତ୍ସ୍ୟ ସମ୍ପଦର ଅବଦାନ ଓ ଏହାର ଗୁରୁତ୍ୱ ନିଦର୍ଶନ ପାଇଁ ବିଶ୍ୱ ମତ୍ସ୍ୟ...

ଦୁର୍ନୀତିର ବଳୟ

ଆଜି ଘରେ, ବାହାରେ, ରାଜ୍ୟରେ, ଦେଶ ଭିତରେ ଓ ଦେଶ ବାହାରେ ‘ଦୁର୍ନୀତି’ ତା’ର କାୟା ବିସ୍ତାର କରି ଚାଲିଛି। ଏହାକୁ ରୋକିବା ପାଇଁ ଶପଥ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri