ମିଠାଦୋକାନୀଙ୍କୁ ହତ୍ୟା ପଛରେ ସୁପାରି

ଭୁବନେଶ୍ୱର,୧୩।୧୦(ବ୍ୟୁରୋ):  ଭୁବନେଶ୍ୱର ସାମନ୍ତରାପୁର ଛକରେ ମିଠା ଦୋକାନୀ ପ୍ରଭାକର ବେହେରାଙ୍କୁ ହତ୍ୟା ଘଟଣାର ପର୍ଦ୍ଦାଫାଶ କରିଛି କମିଶନରେଟ ପୋଲିସ। ହତ୍ୟା ପଛରେ ସୁପାରି କିଲରଙ୍କ ସମ୍ପୃକ୍ତି ଥିବା ସ୍ପଷ୍ଟ ହୋଇଛି। ମୁଖ୍ୟ ଅଭିଯୁକ୍ତ ତଥା ଦୁଇ ସୁପାରି କିଲରଙ୍କୁ ସ୍ପେଶାଲ ସ୍କ୍ବାଡ୍‌ ଟିମ୍‌ କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ଅଞ୍ଚଳରୁ ଗିରଫ କରିବା ପରେ ଏହା ଜଣାପଡିଛି। ସେମାନେ ହଲେ ଶିଶୁପାଳଗଡ଼ର ଶ୍ରୀତିକ ବିଶ୍ୱାଳ ଓ ଆଶୁତୋଷ ମହାନ୍ତି। ଏହାସହ ସେମାନଙ୍କୁ ଲୁଚାଇ ରଖିଥିବା ଅଭିଜିତ୍‌ ସାହୁଙ୍କୁ ମଧ୍ୟ ପୋଲିସ ଗିରଫ କରିଛି। ହତ୍ୟାରେ ବ୍ୟବହୃତ ଦୁଇଟି ବାଇକ୍‌ ଓ ଶାର୍ଟକୁ ପୋଲିସ ଜବତ କରିଥିବାବେଳେ ଓଡ଼ିଆଣୀ ଢାବା ପଛ ପଟୁ ଖଣ୍ଡା ମିଳିଛି। ଗିରଫ ଅଭିଯୁକ୍ତଙ୍କୁ ସୋମବାର କୋର୍ଟ ଚାଲାଣ କରାଯାଇଛି। ଏହି ମାମଲାରେ ପୂର୍ବରୁ ୫ଜଣ ଗିରଫ ହୋଇଥିବାବେଳେ ଜଣେ ଆତ୍ମସର୍ମପଣ କରିଥିବା ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି।
ସେ କହିଛନ୍ତି, ମୃତ ପ୍ରଭାକର ସାମନ୍ତରାପୁର ଛକରେ ଥିବା ବଳାରାମ ମିଠା ଦୋକାନରେ ମୁଖ୍ୟ ମିସ୍ତ୍ରିଭାବେ କାମ କରୁଥିଲେ। କୌଣସି କାରଣକୁ ନେଇ ପ୍ରଭାକର ଉକ୍ତ ଦୋକାନକୁ ଛାଡ଼ିଦେଇ ନିକଟରେ ପାଲଟାଣି ମିଠା ବ୍ୟବସାୟ କରିଥିଲେ। ଏହାକୁ ନେଇ ବଳରାମ ମିଠା ଦୋକାନୀଙ୍କ ସହ ପ୍ରଭାକରଙ୍କ ଶତ୍ରୁତା ହୋଇଥିଲା। ମିଠା ଦୋକାନୀଙ୍କ ନାତି ରାଜ କିଶୋର ବେହେରା ତାଙ୍କୁ ସେଠାରୁ ଉଠି ଯିବାକୁ ଧମକ ଦେବା ସହ କେତେଜଣ ସାଙ୍ଗଙ୍କ ସହଯୋଗରେ ତାଙ୍କ ଦୋକାନ ଭଙ୍ଗାରୁଜା କରିଥିଲେ। ଏନେଇ ଲିଙ୍ଗରାଜ ଥାନାରେ କ୍ଷତିପୂରଣ ବାବଦକୁ ପ୍ରଭାକରଙ୍କୁ ୧୦ ହଜାର ଟଙ୍କା ଦେବାପରେ ମାମଲା ସମାଧାନ ହୋଇଥିଲା। ଏହାପରେ ରାଜକିଶୋର ଓ ତାଙ୍କ ପରିବାର ସଦସ୍ୟ ତାଙ୍କୁ ହତ୍ୟା ପାଇଁ ଯୋଜନା କରିଥିଲେ। ଏଥିପାଇଁ ଶ୍ରୀତିକ ଓ ଆଶୁତୋଷଙ୍କ ସହ ୫୦ ହଜାର ଟଙ୍କା ଡିଲ୍‌ ହୋଇଥିଲା। ପ୍ରଥମେ ଶ୍ରୀତିକ ୧୦ ହଜାର ଟଙ୍କା ଅଗ୍ରିମ ଆକାରରେ ନେଇଥିବାବେଳେ ହତ୍ୟା କରି ଫେରାର ସମୟରେ ଆଉ ୪୦ ହଜାର ନେବେ ଓ ଓକିଲ ଖର୍ଚ୍ଚ ବଳାରାମ ମିଠାଦୋକାନୀ ବହନ କରିବେ ବୋଲି କଥା ଛିଣ୍ଡି ଥିଲା। ଗତ ୪ ତାରିଖ ଅପରାହ୍ନରେ ଆଶୁତୋଷ ଗାଡ଼ି ଚଲାଉଥିବାବେଳେ ଶ୍ରୀତିକ ଖଣ୍ଡାଧରି ଗାଡି ପଛରେ ବସିଥିଲେ। ପ୍ରଭାକର ଦୋକାନକୁ ଯାଉଥିବାବେଳେ ଶ୍ରୀତିକ ଖଣ୍ଡାରେ ହାଣି ହତ୍ୟା କର ଅଭିଜିତଙ୍କ ସହଯୋଗରେ ଲୁଚି ରହିଥିଲେ। ୮ ତାରିଖରେ ରାଜକିଶୋର କୋର୍ଟରେ ଆତ୍ମସମର୍ପଣ କରିଥିଲେ ଏବଂ ୯ରେ ଜେଜେ ବଳରାମ, ବାପା ଦିଲୀପ, ମା’ସସ୍ମିତା, ସୁରକ୍ଷା ଦାତା ରଞ୍ଜନ ବାରିକ ଓ ବିଶ୍ୱଜିତ ବାରିକଙ୍କୁ ପୋଲିସ ଗିରଫ କରିଥିଲା। ମୁଖ୍ୟ ଅଭିଯୁକ୍ତ ଶ୍ରୀତିକ ଏୟାରଫିଲ୍ଡ ଥାନାଞ୍ଚଳରେ ଅମରେଶ ନାୟକଙ୍କୁ ହତ୍ୟା କରିଥିବା ଗ୍ୟାଙ୍ଗ୍‌ର ସଦସ୍ୟ। ଏହି ମାମଲାରେ ଜେଲରୁ ବାହାରିଥିବା ଅଭିଯୁକ୍ତଙ୍କୁ କୋଭିଡ଼ ନିୟମ ଭାଙ୍ଗି ରାଲିରେ ଆଣିବା ମାମଲାରେ ଶ୍ରୀତିକ ଗିରଫ ହୋଇଥିଲେ।

Share