ସୁପାରି କିଲରଙ୍କୁ ଧରିଲା ପୋଲିସ: ପୂର୍ବରୁ ଗିରଫ ହୋଇଥିଲେ ମହିଳାଙ୍କ ସ୍ବାମୀ

କେନ୍ଦୁଝର,୨୩ା୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ନୟାକୋଟ ଥାନା ଅଞ୍ଚଳ ବୈତରଣୀ ନଦୀରୁ ମହିଳାଙ୍କ ମୃତଦେହ ଜବତ ଘଟଣାରେ ଟାଉନ ଥାନା ପୋଲିସ ଆଉ ଜଣେ ସୁପାରି କିଲରଙ୍କୁ ଗିରଫ କରିଛି। ହତ୍ୟା ବେଳେ ବ୍ୟବହୃତ ଏକ ବାଇକ୍‌କୁ ପୋଲିସ ଜବତ କରିଛି। ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ନୟାକୋଟ ଥାନା ଅଧୀନ ଫୁଲଝର ଗ୍ରାମର ଚମ୍ପେଇ ମୁଣ୍ତା(୨୮)। ଏହି ଘଟଣାରେ ପୋଲିସ ପୂର୍ବରୁ ମୃତ ମହିଳାଙ୍କ ସ୍ବାମୀ ସୁରେଶ ପରିଡ଼ା ଓ ଜଣେ ସୁପାରିକିଲରଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲ।
ସୂଚନା ଅନୁଯାୟୀ, ଗତ ସେପ୍ଟେମ୍ବର ୧୮ରେ ନୟାକୋଟ ପୋଲିସ ବୈତରଣୀରୁ ଜଣେ ମହିଳାଙ୍କ ମୃତଦେହ ଜବତ କରିଥିଲା। ସେ ସେପ୍ଟେମ୍ବର ୩ରେ ନିଖୋଜ ନେଇ ଟାଉନ ଥାନାରେ ଅଭିଯୋଗ ହୋଇଥିଲା। ତାଙ୍କୁ ଗଣବଳାତ୍କାର କରି ହତ୍ୟା କରାଯାଇଥିବା ଓ ତାଙ୍କ ସ୍ବାମୀ ହିଁ ହତ୍ୟା କରାଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିଥିଲେ। ଏ ନେଇ ଏକ ହତ୍ୟା ମାମଲା (ନଂ. ୩୩୪/୨୩) ରୁଜୁ କରି ପୋଲିସ ତଦନ୍ତ କରିଥିଲା। ରବିବାର ସୁପାରିକିଲର ଚମ୍ପେଇ ମୁଣ୍ତାଙ୍କୁ କୋର୍ଟ ଚାଲାଣ କରାଯାଇଛି। ତାଙ୍କଠାରୁ ପୋଲିସ ଏକ ବାଇକ୍‌ (ନଂ. ଓଡି-୯-ଏ-୮୮୫୫) ଜବତ କରିଛି। ହତ୍ୟା ସମୟରେ ଏହି ଗାଡ଼ି ବ୍ୟବହାର କରାଯାଇଥିବା ଟାଉନ ଥାନା ଅଧିକାରୀ ସୁନିଲ କର କହିଛନ୍ତି।
Share