Categories: ଖେଳ

ସୁପର-୮ ଲାଇନ୍‌ଅପ୍‌ ଚୂଡ଼ାନ୍ତ

ସେଣ୍ଟ ଭିନ୍‌ସେଣ୍ଟ, ୧୮ା୬ (ପି.ଟି.): ଟି୨୦ ବିଶ୍ୱକପରେ ସୋମବାର ବାଂଲାଦେଶ ୨୧ ରନ୍‌ରେ ନେପାଳକୁ ପରାସ୍ତ କରିଛି। ଶେଷ ଦଳ ଭାବେ ସୁପର-୮ରେ ପ୍ରବେଶ କରିଥିବା ବେଳେ ଲାଇନ୍‌ ଅପ୍‌ ମଧ୍ୟ ଚୂଡାନ୍ତ ହୋଇଛି। ସେଣ୍ଟ ଭିନ୍‌ସେଣ୍ଟରେ ଖେଳାଯାଇଥିବା ଲୋ ସ୍କୋରିଂ ମ୍ୟାଚରେ ବାଂଲାଦେଶ ୧୯.୩ ଓଭରରେ ସମସ୍ତ ଉଇକେଟ ହରାଇ ୧୦୬ ରନ୍‌ କରିଥିଲା। ଜବାବରେ ନେପାଳ ୧୯.୨ ଓଭରରେ ୮୫ ରନ୍‌ରେ ଅଲ୍‌ଆଉଟ ହୋଇଥିଲା। ଏହା ସହିତ ସୁପର-୮ର ଗ୍ରୁପ୍‌ ଏରେ ଭାରତ, ଅଷ୍ଟ୍ରେଲିଆ ଓ ଆଫଗାନିସ୍ତାନ ସହିତ ସାମିଲ ହୋଇଛି ବାଂଲାଦେଶ। ଅନ୍ୟ ପକ୍ଷରେ ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା, ଓ୍ବେଷ୍ଟଇଣ୍ଡିଜ ଓ ଆମେରିକା ଗ୍ରୁପ ବି’ରେ ସ୍ଥାନ ପାଇଛନ୍ତି।
ନେପାଳ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ବୋଲିଂ ସହାୟକ ପିଚ୍‌ରେ ବାଂଲାଦେଶ ବ୍ୟାଟର ରନ୍‌ ସଂଗ୍ରହ କରିବାରେ ବିଫଳ ହୋଇଥିଲେ। ୩୦ ରନ୍‌ରେ ଦଳ ୪ ଉଇକେଟ ହରାଇ ସଂଘର୍ଷ କରୁଥିଲା। ଟପ୍‌ ସ୍କୋରର ଶାକିବ୍‌ ଅଲ ହସନ ୧୭ ଓ ମହମ୍ମଦୁଲ୍ଲା ୧୩ ରନ୍‌ କରି ଇନିଂସ ସମ୍ଭାଳିଥିଲେ। ଶେଷ ଆଡକୁ ଜାକର ଅଲୀ ୧୨, ରିଶଦ ହୋସେନ୍‌ ୧୩ ଓ ଟାସ୍କିନ ଅହମଦ ୧୨ ରନ୍‌ କରିବାରୁ ବାଂଲାଦେଶ ୧୦୬ ରନ୍‌ରେ ପହଞ୍ଚିଥିଲା। ନେପାଳ ପକ୍ଷରୁ ସୋମପାଲ କାମି, ଦୀପେନ୍ଦ୍ର ସିଂ ଐରୀ, ରୋହିତ ପୌଡେଲ ଓ ସନ୍ଦୀପ ଲାମିଚାନେ ପ୍ରତ୍ୟେକ ଦୁଇଟି ଲେଖାଏ ଉଇକେଟ ନେଇଥିଲେ। ୨ ଜଣ ବ୍ୟାଟର ରନ୍‌ଆଉଟ ହୋଇଥିଲେ।
୧୦୭ ରନ୍‌ ଲକ୍ଷ୍ୟରେ ବ୍ୟାଟିଂ ଆରମ୍ଭ କରିଥିବା ନେପାଳ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ତାଞ୍ଜିମ ହସନ ଶାକିବ ଚମତ୍କାର ବୋଲିଂ କରିବା କାରଣରୁ ନେପାଳ ୨୬ ରନ୍‌ରେ ୫ ଉଇକେଟ ହରାଇଥିଲା। ୪ ଓଭରରେ ୨ ମେଡେନ ସହ ୭ ରନ୍‌ ଦେଇ ସେ ୪ ଉଇକେଟ ନେଇଥିଲେ। କୁଶାଲ ମଲ୍ଲ ୨୭ ଓ ଦୀପେନ୍ଦ୍ର ସିଂ ଐରୀ ୨୫ ରନ୍‌ କରିବା ସହ ଷଷ୍ଠ ଉଇକେଟରେ ୫୨ ରନ୍‌ ଯୋଡିଥିଲେ। ଦଳୀୟ ସ୍କୋର ୭୮ ରନ୍‌ରେ କୁଶାଲ ଆଉଟ ହେବା ପରେ ଅନ୍ତିମ ୩ ବ୍ୟାଟର ମାତ୍ର ୭ ରନ୍‌ ଯୋଡିଥିଲେ। ତାଞ୍ଜିମଙ୍କ ବ୍ୟତୀତ ମୁସ୍ତାଫିଜୁର ରେହମାନ ୩, ଶାକିବ ଅଲ ହସନ ୨ ଓ ଟାସ୍କିନ ଅହମଦ ୧ଉଇକେଟ ନେଇଥିଲେ। ଘାତକ ବୋଲିଂ କରିଥିବା ତାଞ୍ଜିମ ହସନ ଶାକିବଙ୍କୁ ପ୍ଲେୟର ଅଫ୍‌ ଦ ମ୍ୟାଚ୍‌ ଘୋଷଣା କରାଯାଇଥିଲା।
୍‌ସଂକ୍ଷିପ୍ତ ସ୍କୋର
ବାଂଲାଦେଶ ୧୯.୩ ଓଭରରେ ୧୦୬/୧୦ (ଶାକିବ ଅଲ ହସନ-୧୭, ମହମ୍ମଦୁଲ୍ଲା-୧୩, ରିଶଦ ହୋସେନ-୧୩, ସୋମପାଲ କାମି-୨/୧୦, ସନ୍ଦୀପ ଲାମିଚାନେ-୨/୧୭, ରୋହିତ ପୌଡେଲ-୨/୨୦)। ନେପାଳ ୧୯.୨ ଓଭରରେ ୮୫/୧୦ (କୁଶାଲ ମଲ୍ଲ-୨୭, ଦୀପେନ୍ଦ୍ର ସିଂ ଐରୀ-୨୫, ଆସିଫ୍‌ ଶେଖ-୧୭, ତାଞ୍ଜିମ ହସନ ଶାକିବ-୪/୭, ମୁସ୍ତାଫିଜୁର ରେହମାନ-୩/୭, ଶାକିବ ଅଲ ହସନ-୨/୯)।

Share