କାଲିଫର୍ନିଆର ବିଜ୍ଞାପନରେ ଚାଷୀ ଆନ୍ଦୋଳନ

ନ୍ୟୁୟର୍କ, ୯ା୨- ଏଠାରେ ରବିବାର ଖେଳାଯାଇଥିବା ବାର୍ଷିକ ଫୁଟ୍‌ବଲ ଚାମ୍ପିୟନଶିପ ମ୍ୟାଚ୍‌(ସୁପର ବାଉଲ)କୁ ପୂରା ଆମେରିକାରେ ଲକ୍ଷ ଲକ୍ଷ ଦର୍ଶକ ଦେଖିଥିଲେ। ଏହି ବହୁ ପ୍ରତୀକ୍ଷିତ ମ୍ୟାଚ୍‌ ବେଳେ ଦେଖିବାକୁ ମିଳିଥିଲା ଭାରତରେ ଚାଲିଥିବା ଚାଷୀ ଆନ୍ଦୋଳନ ସମ୍ପର୍କିତ ପ୍ରାୟ ୩୦ ସେକେଣ୍ଡ୍‌ର ଏକ ବିଜ୍ଞପନ। ସେଣ୍ଟ୍ରାଲ କାଲିଫର୍ନିଆର ଏକ ସହରର ଫ୍ରେସ୍ନୋର ଶିଖ ସଂମ୍ପ୍ରଦାୟ ପକ୍ଷରୁ ଏହି ବିଜ୍ଞପନ ଦିଆଯାଇଥିଲା।

ବ୍ୟବସାୟୀକ ବିଜ୍ଞପନ ଆରମ୍ଭ ହୋଇଥିଲା ମାର୍ଟିନ ଲୁଥର କିଙ୍ଗ୍‌ ଜୁନିୟରଙ୍କ ବାଣୀ (କୌଣସି ସ୍ଥାନରେ ଅନ୍ୟାୟ ହେଲେ, ତାହା ପ୍ରତ୍ୟେକ ସ୍ଥାନର ନ୍ୟାୟ ଉପରେ ବିପଦ) ସହ। ଆଉ ଫ୍ରେସ୍‌ନୋ ସହରର ମେୟର ଜେରି ଡାୟର କହୁଛନ୍ତି, ‘ଆମେ ଆପଣଙ୍କୁ ଜଣାଇବାକୁ ଚାହୁଁଛୁ, ଆମେ ଭାରତର ଭାଇ ଓ ଭଉଣୀଙ୍କ ସହ ଛିଡ଼ା ହୋଇଛୁ ’। ଏହା ଇତିହାସର ସବୁଠୁ ବଡ଼ ଆନ୍ଦୋଳନ ବୋଲି ବିଜ୍ଞାପନରେ କୁହାଯାଇଛି। ତେବେ ଏହି ବିଜ୍ଞପନ ପୂରା ଆମେରିକାରେ ପ୍ରସାରିତ ହୋଇନାହିଁ। ଏହି ବିଜ୍ଞପନକୁ ଟୁଇଟରରେ ପୋଷ୍ଟ କରି କିଷାନ ଏକତା ମୋର୍ଚ୍ଚା ପ୍ରଶଂସା କରିଛି। ଉଲ୍ଲେଖଥାଉ କି, ଫ୍ରେସ୍ନୋ ସହରରେ ଶିଖଙ୍କ ସଂଖ୍ୟା ସର୍ବାଧିକ। ପ୍ରାୟ ୪୦ ହଜାର ଶିଖ କାଲିଫର୍ନିଆର ଏହି ସହରରେ ବାସ କରନ୍ତି।

Share