Posted inଫୁରସତ

ସୁପର୍‌ ଦାଦି

ବୟସ ହୋଇଗଲେ ଅନେକଙ୍କର ମନୋବଳ ଦୁର୍ବଳ ହୋଇଯାଏ।  କାମ କରିବାକୁ ସେମାନେ ଅସମର୍ଥ ହୋଇଯାନ୍ତି। ତାଙ୍କୁ ଦେଖିଲେ ଲାଗେ ସତେ ଯେମିତି ବାର୍ଦ୍ଧକ୍ୟ ସେମାନଙ୍କୁ ସମ୍ପୂର୍ଣ୍ଣ କାବୁ କରିନେଇଛି। ହେଲେ ଏଠାରେ ଯେଉଁ କେତେଜଣ ମହିଳାଙ୍କ ସମ୍ପର୍କରେ ଉଲ୍ଲେଖ କରାଯାଉଛି, ସେମାନଙ୍କର ବୟସ ଯଥେଷ୍ଟ ହୋଇଯାଇଥିଲେ ବି ଶାରୀରିକ ଓ ମାନସିକ ଦୃଷ୍ଟିରୁ ସେମାନେ ଏବେ ବି ବେଶ୍‌ ଫୂର୍ତ୍ତି ଅନୁଭବ କରୁଛନ୍ତି। ଆଉ ଏମିତି କିଛି କାମ କରି ଦେଖାଉଛନ୍ତି, ଯାହାକୁ ଦେଖିଲେ ଲାଗୁଛି ସତେ ଯେମିତି ବୟସ ସେମାନଙ୍କ ପାଖରେ ହାର୍‌ ମାନିଯାଇଛି। ସେଥିପାଇଁ ତ ଲୋକମୁଖରେ ସେମାନେ ଜଣେ ଜଣେ ସୁପର୍‌ ଦାଦିର ପରିଚୟ ପାଇଛନ୍ତି…
* ଡ୍ୟାନ୍ସିଂ ଦାଦି: ଉତ୍ତରପ୍ରଦେଶର ମୋରାଦାବାଦ୍‌ରେ ଜନ୍ମିତ ରବି ବାଲା ଶର୍ମାଙ୍କୁ ଏବେ ବୟସ ପ୍ରାୟ ୬୪ ବର୍ଷ ହେବ। ଏ ବୟସରେ ଯେଉଁଠି ଅଧିକାଂଶଙ୍କଠାରେ ଆଣ୍ଠୁଗଣ୍ଠି ବିନ୍ଧା ରୋଗ ଦେଖିବାକୁ ମିଳେ, ସେଠି କିନ୍ତୁ ରବି ବାଲା ନାଚ, ଗୀତ କରିବା ସହିତ ବେଶ୍‌ ସୁସ୍ଥ ଅଛନ୍ତି। ପିଲାଟି ଦିନରୁ ନାଚ ପ୍ରତି ତାଙ୍କର ଦୁର୍ବଳତା ରହିଆସିଛି। ସେ କଥକ ନୃତ୍ୟ ଉପରେ ବିଧିବଦ୍ଧ ଶିକ୍ଷା ମଧ୍ୟ ଗ୍ରହଣ କରିଛନ୍ତି। ତା’ସହିତ ତାଙ୍କ ବାପା ଯେହେତୁ ଜଣେ ତବଲା ବାଦକ ଓ କଣ୍ଠଶିଳ୍ପୀ ଥିଲେ, ତେଣୁ ରବି ବାଲାଙ୍କର ମଧ୍ୟ ଏ ଦୁଇଟି କଳା ପ୍ରତି ଶ୍ରଦ୍ଧା ରହିଆସିଛି। ବାହାଘର ପରେ ତାଙ୍କୁ ତାଙ୍କ ସ୍ବାମୀ ଓ ଶାଶୁଘର ଲୋକେ ସହଯୋଗ କରିବାରୁ ସିଏ ଏକ ବିଦ୍ୟାଳୟରେ ପିଲାମାନଙ୍କୁ ନୃତ୍ୟ ଶିକ୍ଷା ଦେଉଥିଲେ। ୬୦ ବର୍ଷ ହୋଇଯିବାରୁ ଚାକିରିରୁ ଅବସର ନେବାକୁ ପଡିଲା ତା’ସହିତ ସ୍ବାମୀଙ୍କର ଅକାଳ ବିୟୋଗ ରବି ବାଲାଙ୍କର ମନୋବଳକୁ ପୂରା ଦୋହଲାଇଦେଲା। ମୁହଁରୁ ତାଙ୍କର ହସ ଲିଭିଗଲା। ନାଚିବାକୁ ଆଉ ତାଙ୍କୁ ଆଗ୍ରହ ଆସିଲାନି। ଏମିତି କିଛିଦିନ ବିତିଯିବା ପରେ ରବି ବାଲାଙ୍କ ପରିବାର ଲୋକେ ତାଙ୍କୁ ପୁଣି ନାଚିବାକୁ ବାଧ୍ୟ କଲେ। କାରଣ ସେମାନେ ଜାଣିଥିଲେ, ନାଚ ଦ୍ୱାରା ହିଁ ତାଙ୍କୁ ପୁଣି ଥରେ ସ୍ବାଭାବିକ ଅବସ୍ଥାକୁ ଫେରାଇ ଆଣିହେବ। ସେୟା ହିଁ ହେଲା, ନାଚ ଦ୍ୱାରା ରବି ବାଲା ଧୀରେ ଧୀରେ ଠିକ୍‌ ହେବାକୁ ଲାଗିଲେ। ତେବେ କରୋନା ପାଇଁ ଲକ୍‌ ଡାଉନ୍‌ ଚାଲିଥିବାବେଳେ ତାଙ୍କର କେତୋଟି ନୃତ୍ୟ ଭିଡିଓକୁ ତାଙ୍କ ପିଲାମାନେ ପ୍ରଥମେ ଇନ୍‌ଷ୍ଟାଗ୍ରାମ୍‌ରେ ପୋଷ୍ଟ କଲେ; ଯାହାକୁ ଭିୟୋର୍ସମାନେ ବେଶ୍‌ ପସନ୍ଦ ବି କଲେ। କ୍ରମେ ଇନ୍‌ଷ୍ଟାଗ୍ରାମ୍‌ରେ ତାଙ୍କ ଫଲୋର୍ସଙ୍କ ସଂଖ୍ୟା ବଢିବାକୁ ଲାଗିଲା ଆଉ ତାଙ୍କୁ ଡ୍ୟାନ୍ସିଂ ଦାଦି ଭାବେ ନୂଆ ଏକ ପରିଚୟ ମିଳିଗଲା। ବାସ୍‌ ତା’ପରଠୁ ରବି ବାଲା ଆଉ ପଛକୁ ଫେରି ଚାହିଁ ନାହାନ୍ତି। ବଲିଉଡ୍‌ର ଟ୍ରେଣ୍ଡି ଗୀତଗୁଡ଼ିକରେ ଖୁବ୍‌ ସୁନ୍ଦର ନୃତ୍ୟ ପରିବେଷଣ କରି ତାହାକୁ ଇନ୍‌ଷ୍ଟାଗ୍ରାମ୍‌ରେ ପୋଷ୍ଟ କରୁଛନ୍ତି ଆଉ ଭିୟୋର୍ସଙ୍କର ପ୍ରଶଂସା ସାଉଁଟି ଚାଲିଛନ୍ତି। କେବଳ ସେତିକି ନୁହେଁ, ୟା’ ଭିତରେ ରବି ବାଲା ଡ୍ୟାନ୍ସ ଦିଓ୍ବାନେ ନାମକ ଏକ ଡ୍ୟାନ୍ସିଂ ରିୟାଲିଟି ଶୋ’ରେ ଭାଗ ନେଇ ଦର୍ଶକଙ୍କ ସମେତ ଅନେକ ସେଲିବ୍ରିଟିଙ୍କର ମଧ୍ୟ ମନ ଜିଣିବାରେ ସକ୍ଷମ ହୋଇଛନ୍ତି। ତେବେ ନିଜର ଏହି ସଫଳତାକୁ ନେଇ ନିକଟରେ ଏକ ଗଣମାଧ୍ୟମ ସଂସ୍ଥାକୁ ଦେଇଥିବା ସାକ୍ଷାତ୍‌କାରରେ ରବି ବାଲା କହିଛନ୍ତି ଯେ, ‘ନାଚ ହେଉଛି ମୋ ଜୀବନ; ଯାହା ମୋତେ ଏ ବୟସରେ ଫିଟ୍‌ ରଖିବା ସହ ଡ୍ୟାନ୍ସିଂ ଦାଦି ଭାବେ ଭିନ୍ନ ଏକ ପରିଚୟ ଦେଇଛି। ତା’ସହିତ ନିୟମିତ ଯୋଗାଭ୍ୟାସ, ସନ୍ତୁଳିତ ଆହାର ଏବଂ ଉପଯୁକ୍ତ ବିଶ୍ରାମ ବି ମୋତେ ସୁସ୍ଥ ରଖିବାରେ ଅନେକ ସାହାଯ୍ୟ କରିଛି। ତେଣୁ ମୁଁ ଆଜିର ଯୁବପିଢି ଓ ମୋ ବୟସର ବ୍ୟକ୍ତିବିଶେଷଙ୍କୁ ଏଠାରେ ଗୋଟେ କଥା କହି ରଖିବାକୁ ଚାହେଁ ଯେ, ଅଳସୁଆ ନ ହୋଇ ପରିଶ୍ରମୀ ଓ ସମୟାନୁବର୍ତ୍ତୀ ହେଲେ ଏବଂ ମନରେ ସକାରାତ୍ମକ ଭାବନା ରଖିଲେ ଅସମ୍ଭବ କାର୍ଯ୍ୟ ବି ସମ୍ଭବ ହୋଇପାରେ। ଯାହାର ଜ୍ୱଳନ୍ତ ଉଦାହରଣ ହେଉଛି ମୁଁ ନିଜେ।’
* ଦଓ୍ବୋସ୍‌ର ରକେଟ୍‌ ଦାଦି: ମଧ୍ୟପ୍ରଦେଶର ଦଓ୍ବୋସ୍‌ଠାରେ ୯୫ ବର୍ଷ ବୟସର ଜଣେ ବୃଦ୍ଧା ରାସ୍ତାରେ ପ୍ରାୟ ୬୦ରୁ ୮୦ ସ୍ପିଡ୍‌ରେ କାର୍‌ ଚଲାଉଥିବାର ଏକ ଭିଡିଓ ଏଇ କିଛିଦିନ ତଳେ ଇଣ୍ଟରନେଟ୍‌ରେ ବେଶ୍‌ ଭାଇରାଲ୍‌ ହୋଇଥିଲା। ୯୫ ବର୍ଷ ବୟସରେ ପ୍ରାୟତଃ ଲୋକମାନଙ୍କୁ ରୋଗାଗ୍ରସ୍ତ ହୋଇ ଯାଉଥିବାର ଦେଖିବାକୁ ମିଳିଥାଏ। କିନ୍ତୁ ରେଶମବାଈ ତମ୍ବରଙ୍କ କ୍ଷେତ୍ରରେ ଏସବୁର ବ୍ୟତିକ୍ରମ ଦେଖାଯାଏ। ସୂଚନାନୁଯାୟୀ, ସ୍ବାମୀଙ୍କର ଦେହାନ୍ତ ପରେ ରେଶମବାଈ ପରିବାର ପ୍ରତିପୋଷଣ କରିବାକୁ ଏକ ଫ୍ୟାକ୍ଟ୍ରିରେ କାମ କରିବାକୁ ଲାଗିଲେ। ଘରର ସମସ୍ତ ଦାୟିତ୍ୱ ବୁଝି ଫ୍ୟାକ୍ଟ୍ରି କାମ ସୁଚାରୁରୂପେ ତୁଲାଇବାରେ ସେ ବେଶ୍‌ ମାହିର ଥିଲେ। ଚଞ୍ଚଳ ସ୍ବଭାବର ରେଶମବାଈଙ୍କୁ ନୂଆ ନୂଆ କଥା ଜାଣିବା ପ୍ରତି ସବୁବେଳେ ଆଗ୍ରହ ରହିଆସିଥିଲା। କୌଣସି କାର୍ଯ୍ୟ ପାଇଁ ସିଏ କାହା ଉପରେ ନିର୍ଭର କରିବାକୁ ପସନ୍ଦ କରୁ ନ ଥିଲେ। ସେଥିପାଇଁ ରୋଷେଇବାସଠୁ ଆରମ୍ଭ କରି ଗାଈଗୋରୁଙ୍କ କଥା ବୁଝିବା, ଚାଷବାସ ତଦାରଖ କରିବା ଏପରିକି ଫ୍ୟାକ୍ଟ୍ରି କାମ ସବୁକିଛି ସେ ଠିକ୍‌ଠାକ୍‌ କରି ନେଉଥିଲେ। ଆଜକୁ ୧୦/୧୨ ବର୍ଷ ତଳେ ତାଙ୍କର ଟ୍ରାକ୍ଟର ଶିଖିବାକୁ ହଠାତ୍‌ ଇଚ୍ଛା ହେବାରୁ ସେ ନିଜ ମନ କଥା ତାଙ୍କ ଘର ଲୋକଙ୍କୁ ଜଣାଇଲେ। ଘର ଲୋକଙ୍କ ସହାୟତାରେ ଟ୍ରାକ୍ଟର ଶିଖିବାରେ ବି ସେ ସକ୍ଷମ ହୋଇଗଲେ। ଆଉ ତାଙ୍କୁ ଯେତେବେଳେ ୯୫ ବର୍ଷ ବୟସ ହେଲା କାର୍‌ ଶିଖିବାକୁ ତାଙ୍କର ଆଗ୍ରହ ହେଲା। ପୁଅକୁ ଏକଥା ଜଣାଇବାରୁ ପୁଅ ତାଙ୍କୁ କାର୍‌ ଶିଖାଇଲେ। ମାତ୍ର ୩ ମାସ ଭିତରେ ସେ କାର୍‌ ଚଲାଇବାରେ ବି ବେଶ୍‌ ମାହିର ହୋଇଗଲେ। ଏବେ ସିଏ ଆରାମରେ ୬୦ରୁ ୮୦ ସ୍ପିଡ୍‌ରେ କାର୍‌ ଚଲେଇ ରାସ୍ତାରେ ଯାଇପାରୁଛନ୍ତି। ତେବେ ବୟସ ଅଧିକ ହୋଇଯାଇଥିବାରୁ ପରିବାର ଲୋକଙ୍କ ମଧ୍ୟରୁ ଜଣେ କେହି ତାଙ୍କ ସହିତ ସବୁବେଳେ ରହୁଛନ୍ତି। ଗଳିକନ୍ଦିରେ କାର୍‌ ଚଲେଇବାକୁ ନ ଦେଇ କେବଳ ମେନ୍‌ରୋଡ୍‌ରେ ଫାଙ୍କା ଜାଗାରେ ଚଲାଇବାକୁ ଦେଉଛନ୍ତି। ଆଉ ୨୦ କି.ମି.ରୁ ଅଧିକ ବାଟ ତାଙ୍କୁ କାର୍‌ ଚଲାଇବାକୁ ଦେଉନାହାନ୍ତି। ତେବେ ଯାହାବି ହେଉନା କାହିଁକି ତାଙ୍କର ଏହି କାର୍‌ ଚଲେଇବାର ଭିଡିଓ ଯେତେବେଳେ ସୋସିଆଲ୍‌ ମିଡିଆରେ ପୋଷ୍ଟ କରାଗଲା, ତାହା ବେଶ୍‌ ମାଇଲେଜ୍‌ ନେଲା। ଆଉ ଖୁବ୍‌ କମ୍‌ ଦିନ ଭିତରେ ତାହା ଭାଇରାଲ୍‌ ବି ହୋଇଗଲା।
ଲୋକେ ତାଙ୍କୁ ଖୁସିରେ ରକେଟ୍‌ ଦାଦି କହିବାକୁ ମଧ୍ୟ ଲାଗିଲେ; ଯାହା ରେଶମବାଈଙ୍କୁ ଭିନ୍ନ ଏକ ପରିଚିତି ଦେଲା। କେବଳ କାର୍‌ ଚଲେଇବା ନୁହେଁ, ଆଜିର ଏହି ଯୁଗରେ ଆଣ୍ଡ୍ରୋଏଡ୍‌ ଫୋନ୍‌ ବ୍ୟବହାର କରିବାରେ ବି ବେଶ୍‌ ମାହିର ଅଛନ୍ତି ରେଶମବାଈ। ପ୍ରାୟ ୪୦ ବର୍ଷ ତଳେ ପାହାଡ ଚଢିବାକୁ ନେଇ ମନରେ ଏକ ଆଶା ବାନ୍ଧିଥିଲେ। କିନ୍ତୁ ପରିବାରର ଦାୟିତ୍ୱ ଭିତରେ ଛନ୍ଦି ହୋଇ ତାଙ୍କର ସେହି ଆକାଂକ୍ଷାକୁ ପୂରଣ କରିପାରି ନ ଥିଲେ। ଏବେ ତାଙ୍କ ପିଲାମାନେ ବଡ଼ ହୋଇ ନିଜ ନିଜ ଦାୟିତ୍ୱ ସମ୍ଭାଳି ନେବାରୁ ତାଙ୍କର ସେହି ଶୁପ୍ତ ଆଶାକୁ ପୂରଣ କରିବାକୁ ସିଏ ପୁଣି ଅଣ୍ଟାଭିଡିଲେ। ନିଜ ମନ କଥା ପୁଅ ଆଗରେ ପ୍ରକାଶ କରିବାରୁ ପୁଅ ଓ ତାଙ୍କର କେତେଜଣ ସାଙ୍ଗ ମିଶି କେରଳ ନିକଟସ୍ଥ ଅଗସ୍ତ୍ୟାରକୁଡମ୍‌ ନାମକ ଏକ ପାହାଡ଼କୁ ବୁଲିଯିବା ପାଇଁ ପ୍ଲାନିଂ କଲେ। ପ୍ରାୟ ୬୧୨୯ ଫୁଟ୍‌ ଉଚ୍ଚତାବିଶିଷ୍ଟ ଏହି ପାହାଡ଼ ଉପରକୁ ରଶି ଧରି ଧରି ଚଢିବାର ସୁବିଧା ଥିବାରୁ ନାଗରତନମ୍ମା ଏହିଠାରେ ହିଁ ନିଜ ଇଚ୍ଛାକୁ ପୂରଣ କରିବାକୁ ସମସ୍ତ ଚେଷ୍ଟା ଲଗାଇଦେଲେ ଆଉ ସେଥିରେ ସଫଳ ବି ହେଲେ। ଜଣେ ବୃଦ୍ଧା ଶାଢି ପିନ୍ଧି ରଶିକୁ ଧରି ଧରି ପାହାଡ ଚଢିବାର ଏହି ପ୍ରୟାସକୁ ସେଠାରେ ଉପସ୍ଥିତ ଥିବା ଲୋକଙ୍କ ଭିତରୁ ଯିଏ ବି ଦେଖିଲେ ସିଏ ଆଶ୍ଚର୍ଯ୍ୟ ହୋଇଗଲେ। କେହି କେହି ତ ଏହି ଦୃଶ୍ୟର ଭିଡିଓ କରି ସୋସିଅଲ୍‌ ମିଡିଆରେ ଶେୟାର୍‌ ବି କଲେ। ଯଦ୍ଦ୍ବାରା ଖୁବ୍‌ କମ୍‌ ସମୟ ଭିତରେ ନାଗରତନମ୍ମାଙ୍କର ଏହି ପାହାଡ଼ ଚଢା ଦୃଶ୍ୟ ଇଣ୍ଟରନେଟ୍‌ରେ ବେଶ୍‌ ଭାଇରାଲ୍‌ ହୋଇଗଲା। ଆଉ ତାଙ୍କ ଭିଡିଓ ଦେଖି କିଏ ତାଙ୍କୁ ସୁପର୍‌ ଦାଦିର ଆଖ୍ୟା ଦେଲା ତ କିଏ ତାଙ୍କୁ ଭାଇରାଲ ଦାଦି ବୋଲି ବି କହିବାକୁ ଲାଗିଲେ।
* ଉଡ଼ନପରୀ ଦାଦି: ହରିୟାଣାର ଚରଖୀ ଦାଦରି ଜିଲା ଅନ୍ତର୍ଗତ କଦ୍‌ମା ଗାଁର ବାସିନ୍ଦା ହେଲେ ରାମବାଈ। ବୟସ ପାଖାପାଖି ୧୦୬ ବର୍ଷ ହେବ। ସୂଚନାନୁଯାୟୀ, ଉକ୍ତ ଗାଁର ସେ ହେଉଛନ୍ତି ସବୁଠାରୁ ବୟସ୍କା ମହିଳା। ହେଲେ ଏ ବୟସରେ ବି ସେ ଖାଲି ଫିଟ୍‌ ଆଉ ହେଲ୍‌ଦି ନାହାନ୍ତି ବରଂ ଦୌଡ଼ ଅଭ୍ୟାସ କରି ଅନେକ ପୁରସ୍କାର ମଧ୍ୟ ଜିତିଛନ୍ତି। ଯେଉଁଥିପାଇଁ ତାଙ୍କୁ ତାଙ୍କ ଗାଁ ଲୋକେ ଏବେ ସ୍ନେହରେ ଉଡ଼ନପରୀ ଦାଦି ବୋଲି ସମ୍ବୋଧନ କରୁଥିବାର ଶୁଣିବାକୁ ମିଳୁଛି। ରାମବାଈ ତାଙ୍କ ଜୀବନର ବହୁ ମୂଲ୍ୟବାନ ସମୟ ଘରର ଦେଖାଚାହାଁ, ପରିବାର କଥା ବୁଝିବା ତଥା ଚାଷବାସ କାମ ତଦାରଖ କରିବାରେ ବିତାଇ ଦେଇଥିଲେ। କିନ୍ତୁ କିଛି ଗୋଟେ ଭିନ୍ନ କରିବାର ଇଚ୍ଛା ତାଙ୍କ ମନ ଭିତରେ ସବୁବେଳେ ରହୁଥିଲା, ହେଲେ ସୁଯୋଗ ପାଉ ନ ଥିଲେ। ୨୦୧୭ରେ ସେ ଯେତେବେଳେ ଜାଣିବାକୁ ପାଇଲେ ଯେ, ପଞ୍ଜାବର ମାନ୍‌ କୌର୍‌ ନାମ୍ନୀ ଜଣେ ୧୦୧ ବର୍ଷୀୟା ମହିଳା ୧୦୦ ମିଟର ରନ୍‌କୁ ମାତ୍ର ୭୪ ସେକେଣ୍ଡରେ ପୂରଣ କରି ନୂଆ ଏକ ରେକର୍ଡ କରିଛନ୍ତି ବୋଲି, ତା’ପରଠୁ ତାଙ୍କ ଭିତରେ ବି ଏମିତି କିଛି ରେକର୍ଡ କରିବାର ନିଶା ଜୋର୍‌ ଧରିଲା। ସେଥିପାଇଁ ସେବେଠାରୁ ସିଏ ଦୌଡ଼ ଅଭ୍ୟାସ କରିବା ଆରମ୍ଭ କରିଦେଇଥିଲେ। ତା’ପରେ ଅନେକ ପ୍ରତଯୋଗିତାରେ ମଧ୍ୟ ଭାଗ ନେଇ ପ୍ରଶଂସା ସାଉଁଟିଲେ। ତେବେ ରାମବାଈଙ୍କୁ ଯେତେବେଳେ ୧୦୫ ବର୍ଷ ବୟସ ହୋଇଥିଲା, ତାଙ୍କୁ ଭଦୋଦରାରେ ହେଉଥିବା ନ୍ୟାଶନାଲ ଓପେନ୍‌ ମାଷ୍ଟର୍ସ ଆଥଲେଟିକ୍ସ ଚାମ୍ପିୟନ୍‌ଶିପ୍ସରେ ଭାଗ ନେବାର ସୁଯୋଗ ମିଳିଲା। ସେଠାରେ ସିଏ ୮୫ ବର୍ଷରୁ ଊର୍ଦ୍ଧ୍ୱ କାଟେଗୋରିରେ ଭାଗ ନେଇ ୧୦୦ ମିଟର ରନ୍‌କୁ ମାତ୍ର ୪୫.୪0 ସେକେଣ୍ଡରେ ଶେଷ କରି ନୂଆ ଏକ ରେକର୍ଡ ସ୍ଥାପନ କଲେ। ତା’ପରେ ୨୦୦ ମିଟର ରନ୍‌ ଏବଂ ଶଟ୍‌ ପୁଟ୍‌ ପାଇଁ ବି ତାଙ୍କୁ ଗୋଲ୍ଡ ମେଡାଲ୍‌ ମିଳିଲା; ଯାହା ତାଙ୍କୁ ନୂଆ ଏକ ପରିଚୟ ଆଣିଦେଲା।  ବାସ୍‌ ସେବେଠାରୁ ସିଏ ଆଉ ପଛକୁ ଫେରି ଚାହିଁ ନାହାନ୍ତି। ଏବେ ବି ପ୍ରତିଦିନ ପ୍ରାୟ ୫ କି.ମି ସିଏ ଦୌଡ଼ ଅଭ୍ୟାସ କରୁଛନ୍ତି। ବ୍ୟାୟାମ୍‌ କରିବା, ସନ୍ତୁଳିତ ଖାଦ୍ୟ ଖାଇବା ତଥା କ୍ଷୀର ପିଇବାରେ ବେଶ୍‌ ଆଗ୍ରହ ରଖିଥାନ୍ତି ରାମବାଈ।
*ସୁଟର୍‌ ଦାଦି: ଉତ୍ତରପ୍ରଦେଶରେ ଦୁଇଜଣ ବୃଦ୍ଧାଙ୍କୁ ଶୁଟର ଦାଦି ବା ରିଭଲଭର୍‌ ଦାଦି ବୋଲି କୁହାଯାଇଥାଏ। କିନ୍ତୁ ପ୍ରକୃତରେ ସେମାନଙ୍କର ନାମ ହେଉଛି ଚନ୍ଦ୍ରୋ ତୋମର ଓ ପ୍ରକାଶୀ ତୋମର। ସମ୍ପର୍କରେ ସେମାନେ ଦୁଇ ଯାଆ। ଚନ୍ଦ୍ରୋ ଓ ପ୍ରକାଶୀଙ୍କର ଅଧା ଜୀବନ ଗୃହିଣୀ ଭାବେ ଘର ସମ୍ଭାଳିବାରେ ବିତିଗଲା। ଘର କାମ କରିବା, ପିଲାଙ୍କ କଥା ବୁଝିବା, ପରିବାରର ସବୁ ଦାୟିତ୍ୱ ସମ୍ଭାଳିବା ଏହି ସବୁ ଥିରେ ସେମାନଙ୍କର ସମୟ ବିତିଯାଉଥିଲା। ହେଲେ ହଠାତ୍‌ ତାଙ୍କ ଜୀବନରେ ପରିବର୍ତ୍ତନ ଆସିଲା ଆଉ ସେମାନେ ଘରୁ ବାହାରି ଏକ ନୂଆ ଦୁନିଆରେ ପାଦ ଦେଲେ। ସେମାନଙ୍କୁ ଏହି ରାସ୍ତା ପ୍ରକାଶୀଙ୍କ ଝିଅ ଦେଖାଇଲା। ପ୍ରକାଶୀଙ୍କର ଝିଅ ଶୁଟିଂ ଶିଖିବାକୁ ଚାହୁଁଥିଲେ। ସେଥିପାଇଁ ପ୍ରତିଦିନ ପ୍ରକାଶୀ ଝିଅକୁ ନେଇ ଘର ପାଖ ରାଇଫଲ୍‌ କ୍ଲବକୁ  ଯାଉଥିଲେ। ଥରେ ଝିଅର ମନୋବଳ ବଢ଼ାଇବା ପାଇଁ ପ୍ରକାଶୀ ହାତରେ ପିସ୍ତଲ ଧରି ଫାୟାରିଂ କରିବାରୁ ତାଙ୍କ ଲକ୍ଷ୍ୟଭେଦ କରିଗଲା। ତାଙ୍କର ନିଶାନାବାଜ୍‌କୁ ଦେଖି ଉକ୍ତ ଫାୟାରିଂ କ୍ଲବର କୋଚ୍‌ ପ୍ରକାଶୀଙ୍କୁ କ୍ଲବ ଜଏନ୍‌ କରିବା ପାଇଁ ପରାମର୍ଶ ଦେଲେ। ସେତେବେଳକୁ ପ୍ରକାଶୀଙ୍କୁ ପ୍ରାୟ ୬୫ ବର୍ଷ ହେବ। କ୍ଲବ ଜଏନ୍‌ କରିବା କଥା ଘରେ କହିବାରୁ ଘରେ ତାଙ୍କୁ କେହି ବି ପ୍ରୋତ୍ସାହନ ଦେଲେ ନାହିଁ। ହେଲେ ତାଙ୍କ ଯାଆ ଚନ୍ଦ୍ରୋ ତୋମର ପ୍ରକାଶୀଙ୍କୁ ସାହାଯ୍ୟ କଲେ। ଆଉ ଦୁହେଁ ମିଶି ଲୁଚିଲୁଚି କ୍ଲବ୍‌କୁ ଯାଇ ନିଶାନାବାଜ୍‌ର ଟ୍ରେନିଂ ନେଲେ। ପ୍ରଥମେ ପ୍ରଥମେ ଦେଖଣାହାରୀ ସେମାନଙ୍କୁ ପରିହାସ କରୁଥିଲେ। କିନ୍ତୁ ସମସ୍ତଙ୍କର ମୁହଁ ସେହି ଦିନ ବନ୍ଦ ହୋଇଯାଇଥିଲା, ଯେଉଁଦିନ ଶୁଟର୍‌ ଦାଦି ଦିଲ୍ଲୀରେ ଆୟୋଜିତ ହେଉଥିବା ନିଶାନାବାଜ୍‌ କମ୍ପିଟିଶନ୍‌ରେ ତତ୍କାଳୀନ ଦିଲ୍ଲୀ ଡିଆଇଜିଙ୍କୁ ଶୁଟିଂରେ ହରାଇ ଗୋଲ୍ଡ ମେଡାଲ୍‌ ଜିତିଥିଲେ। ତା’ପରଠୁ ଏହି ଶୁଟର୍‌ ଦାଦି ଦୁଇଜଣ ଅନେକ ପ୍ରତିଯୋଗିତାରେ ଭାଗ ନେଇ ଆଓ୍ବାର୍ଡ ପାଇବା ସହ ବହୁ ଲୋକପ୍ର୍ରିୟତା ମଧ୍ୟ ହାସଲ କରିସାରିଲେଣି। କେବଳ ସେତିକି ନୁହେଁ, ଏହି ଦୁଇଜଣ ଶୁଟର୍‌ ଦାଦିଙ୍କୁ ନେଇ ଷାଣ୍ଡ କି ଆଖ୍‌ ନାମରେ ଏକ ବାୟୋଗ୍ରାଫିକାଲ୍‌ ଫିଲ୍ମ ମଧ୍ୟ ହୋଇଛି। ତେବେ ଦୁଃଖର ବିଷୟ ୨୦୨୧ରେ କରୋନା ସମୟରେ ଚନ୍ଦ୍ରୋ ତୋମରଙ୍କର ମୃତ୍ୟୁ ହୋଇସାରିଛି ଆଉ ନିଜ ଯାଆଙ୍କର ଅଧୁରା ସ୍ବପ୍ନକୁ ପୂରଣ କରିବାରେ ଏବେ ବି ପ୍ରକାଶୀ ନିଜର ଶୁଟିଂ ଅଭ୍ୟାସ ସେମିତି ଜାରି ରଖିଛନ୍ତି।
କେବଳ ଏମାନେ ନୁହନ୍ତି, ଏହିପରି ଆହୁରି ବି କେତେଜଣ ବୟୋଜ୍ୟେଷ୍ଠ ମହିଳା ଅଛନ୍ତି, ଯେଉଁମାନେ ପରିଣତ ବୟସରେ ଏମିତି କିଛି କାମ କରୁଛନ୍ତି, ଯାହାକି ତାଙ୍କୁ ସମାଜରେ ଭିନ୍ନ ପରିଚିତି ଦେବା ସହ ସୁପର୍‌ ଦାଦିର ଆଖ୍ୟା ପ୍ରଦାନ କରୁଛି।

Enter your email to get our daily news in your inbox.

All Right Reserved By Dharitri.Com

ସେଲ୍‌ଫି ନେଉଛନ୍ତି କି? ସାବଧାନ! ଖାଲି ହୋଇଯିବ ଆକାଉଣ୍ଟ, ଜାଣନ୍ତୁ କେମିତି…

ସାଇବର ଠକେଇର ନୂଆନୂଆ ମାମଲା ପ୍ରତିଦିନ ସାମ୍ନାକୁ ଆସୁଛି। ଏପରିକି ଲୋକଙ୍କ ଆଜୀବନ ରୋଜଗାର ମଧ୍ୟ ଲୁଟ୍‌ ହେଉଛି। ସାଇବର ଅପରାଧୀମାନେ ନୂଆ ଫର୍ମୂଲା ପକାଇ...

ଫ୍ଲାଇଟ୍‌ରେ ଦେଇଥିବା ଖାଦ୍ୟରୁ ବାହାରିଲା ଜୀବନ୍ତ ମୂଷା, ପରେ ହଠାତ୍‌…

ଖାଦ୍ୟରେ ଜୀଅନ୍ତା ମୂଷା ବାହାରିବା ପରେ ଜରୁରୀ କାଳୀନ ଅବତରଣ କଲା ବିମାନ। ଏହା ଅଆପଣଙ୍କୁ ନିହାତି ଆଶ୍ଚର୍ଯ୍ୟ କରିପାରେ। ଏଭଳି ଘଟଣା ଘଟିଛି ଡେନମାର୍କର...

‘ଜୀବନର ଜଳପଥ’

ନଦୀ ପ୍ରାକୃତିକ ଭାବେ ମଧୁର ଜଳକୁ ପ୍ରବାହ କରିଥାଏ। ଏହା ପାହାଡ଼, ପର୍ବତ କିମ୍ବା ହିମବାହରୁ ଉତ୍ପତ୍ତି ଲାଭକରି ସାଗର, ମହାସାଗର, ହ୍ରଦ କିମ୍ବା ଅନ୍ୟ...

ଆପଣ ବ୍ୟବହାର କରୁଥିବା ଘିଅରେ ମିଶୁଥାଇପାରେ ପଶୁଚର୍ବି-ମାଛତେଲ, ଜାଣନ୍ତୁ କିପରି ପ୍ରସ୍ତୁତ ହୁଏ ଏହି ଘିଅ

ନୂଆଦିଲ୍ଲୀ,୨୨।୯: ତିରୁପତି ବାଲାଜୀ ମନ୍ଦିର ପ୍ରସାଦ ଲଡୁରେ ପଶୁ ଚର୍ବି ଓ ମାଛ ତେଲ ମିଶାଇବା ଘଟଣାରେ ସାରା ଦେଶ ଉଠୁଛି ପଡୁଛି। ଏହାକୁ ନେଇ...

ଏତେ ଲମ୍ବା ଗୋଡ଼ !

ଟେକ୍ସାସ୍‌, ସେଦାର ପାର୍କର ୧୭ ବର୍ଷୀୟା ମ୍ୟାକି କୁରାନ। ତାଙ୍କୁ ଦେଖିଲେ ଲାଗିବ ସତେ ଯେମିତି ସେ ଏକ ଲମ୍ବା ବାଉଁଶ। କାରଣ ଏଇ ବୟସରେ...

ସୁନାଚେନ୍‌ର କେଶ

ଆଜିକାଲି ନାନା ପ୍ରକାରର ହେୟାର ଷ୍ଟାଇଲ ଲୋକେ କରୁଛନ୍ତି। ଖାସ୍‌କରି ସେଲିବ୍ରିଟି ଯେଉଁଭଳି ହେୟାରଷ୍ଟାଇଲ କରନ୍ତି ସାଧାରଣ ଲୋକେ ତାକୁ ଅନୁକରଣ କରନ୍ତି। ମେକ୍ସିକୋର ର଼୍ୟାପର୍‌...

ଘର କାମ କରିବ ଏହି ରୋବୋ

ଘର କାମ ପାଇଁ ଆଜିକାଲି ପ୍ରାୟ ସମସ୍ତେ ଚାକର ଚାକରାଣୀ ରଖୁଛନ୍ତି। ହେଲେ ସେମାନେ ସବୁ ସମୟରେ ମନ ଦେଇ କାମ କରି ନ ଥାଆନ୍ତି...

ବ୍ଲୁ ଟୁଥ୍‌ ନାମ କାହିଁକି ହେଲା

ବ୍ଲୁଟୁଥ୍‌ ଏକ ଓ୍ବେରଲେସ୍‌ ଟେକ୍ନୋଲୋଜି। ଯାହାକି ସାରା ପୃଥିବୀରେ ବେଶ୍‌ ଲୋକପ୍ରିୟ। ତେବେ ଜାଣନ୍ତିକି କମ୍‌ ରେଞ୍ଜରେ ଥିବା ଡିଭାଇସ୍‌କୁ ଯୋଡ଼ିବା ଲାଗି ବ୍ୟବହାର କରାଯାଉଥିବା...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri