ସୁପର ସ୍ପ୍ରେଡ଼ର ମୋଟର ସାଇକେଲ ରାଲି: ୨ ଲକ୍ଷ ୬୦ ହଜାରରେ ହେଲେ କରୋନା ଆକ୍ରାନ୍ତ

ଓ୍ବାଶିଂଟନ, ୯।୯: ଆମେରିକାରେ ହୋଇଥିବା ଏକ ମୋଟର ସାଇକେଲ ରାଲି କରୋନା ସଂକ୍ରମଣର ସୁପର ସ୍ପ୍ରେଡ଼ର ପାଲଟି ଥିବା ପ୍ରକାଶିତ ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ସାଉଥ୍‌ ଡକୋଟା ରାଜ୍ୟରେ ହୋଇଥିବା ଏହି ରାଲି ପରେ ୨ଲକ୍ଷ ୬୦ ହଜାରରୁ ଅଧିକ ଲୋକ କରୋନାରେ ଆକ୍ରାନ୍ତ ହୋଇଥିଲେ। କରୋନା ଆକ୍ରାନ୍ତ ସଂଖ୍ୟା ହଠାତ୍‌ ବଢ଼ିବାରୁ ସାନଡ଼ିଆଗୋ ଷ୍ଟେଟ୍‌ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏନେଇ ଏକ ସର୍ଭେ କରାଯାଇଥିଲା। ପରେ ୬୩ ପୃଷ୍ଠାର ସର୍ଭେ ରିପୋର୍ଟ ପ୍ରକାଶ ପାଇଥିଲା। ତେବେ ଏହି ସର୍ଭେ ରିପୋର୍ଟକୁ ସାଉଥ୍‌ ଡକୋଟା ଗଭର୍ନର କ୍ରିଷ୍ଟି ନୋଏମ୍‌ ମନଗଢ଼ା ବୋଲି କହିଛନ୍ତି। ଏଥିରେ କୌଣସି ସତ୍ୟତା ନ ଥିବା ସେ ପ୍ରକାଶ କରିଛନ୍ତି। ଏହା ପୂର୍ବରୁ ଗବେଷକ ଦଳ ଆମେରିକାର ଅନ୍ୟ ରାଜ୍ୟରେ ହୋଇଥିବା ପ୍ରଦର୍ଶନ ଏବଂ ରାଲିକୁ ନେଇ ସର୍ଭେ କରିଥିଲେ। ଜୁନ୍‌ରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଦ୍ୱାରା ଆୟୋଜିତ ହୋଇଥିବା ରାଜନୈତିକ ରାଲିର ମଧ୍ୟ ସର୍ଭେ ହୋଇଥିଲା। ସର୍ଭେରେ ମୋବାଇଲ୍‌ ଡାଟାର ମଧ୍ୟ ଉପଯୋଗ କରାଯାଇଥିଲା। ଅଗଷ୍ଟ ୭ରୁ ୧୬ ମଧ୍ୟରେ ହୋଇଥିବା ଏହି ମୋଟର ସାଇକେଲ ରାଲିରେ ୪ ଲକ୍ଷରୁ ଅଧିକ ଲୋକ ଯୋଗଦେଇଥିଲେ। ରାଲି ଯୋଗୁ ସ୍ଥାନୀୟ ସରକାରଙ୍କର ଆର୍ଥିକ ଫାଇଦା ହୋଇଥିବା ସର୍ଭେ କରିଥିବା ଏଣ୍ଡ୍ରୁ ଫ୍ରିଡସନ କହିଛନ୍ତି। ରାଲି ଯୋଗୁ ଆକ୍ରାନ୍ତଙ୍କ ଚିକିତ୍ସା ଖର୍ଚ୍ଚ ଏବେ ୧୨.୨ ବିଲିୟନ୍‌ ଡଲାରରେ ପହଞ୍ଚିଥିବା ରିପୋର୍ଟରେ ପ୍ରକାଶ ପାଇଛି।

Share