ସୁପର ସ୍ପ୍ରେଡର୍‌ ହେଲା ବିବାହ: ବର,କନ୍ୟା ସମେତ ୪୭ ଆକ୍ରାନ୍ତ

କାସରଗୋଡ,୨୭।୭: ସାରା ଦେଶରେ ବର୍ତ୍ତମାନ ମହାମାରୀ କରୋନା ସଂକ୍ରମଣ ସଙ୍କଟ ସଙ୍ଗୀନ ହେବାରେ ଲାଗିଛି। କରୋନା ସହ ମୁକାବିଲା କରିବା ପାଇଁ ସରକାରଙ୍କ ପକ୍ଷରୁ କେତେକ ଗାଇଡଲାଇନ୍‌ ଜାରି କରାଯାଇଛି। ସେଥିମଧ୍ୟରୁ ସାମାଜିକ ଦୂରତ୍ୱ ହେଉଛି ଅନ୍ୟତମ। କରୋନାରୁ ବର୍ତ୍ତିବା ପାଇଁ ଭିଡ଼ରୁ ଦୂରେଇ ରହିବା ସହ ସାମାଜିକ ଦୂରତାର ନିୟମ ପାଳନ କରିବାକୁ ପ୍ରଶାସନ ପକ୍ଷରୁ ଲୋକଙ୍କୁ ନିବେଦନ କରାଯାଉଛି। ହେଲେ ଏହା ସତ୍ତ୍ବେ ଲୋକମାନେ ସତର୍କ ନ ରହି ନିୟମ ଉଲ୍ଲଂଘନ କରୁଛନ୍ତି। ଯାହ ଦ୍ୱାରା ଦେଶରେ ସଂକ୍ରମଣ ଆହୁରି ବଢ଼ିବାରେ ଲାଗିଛି। କିଛି ଏଭଳି ଘଟଣା ଘଟିଛି କେରଳର କାସରଗୋଡ ଜିଲାର ପିଲାନକଟ୍ଟାଠାରେ। ଯେଉଁଠି ବିବାହ ସୁପର ସ୍ପ୍ରେଡର ସାଜିଛି।

ସୂଚନାଯୋଗ୍ୟ, ଉକ୍ତ ସହରରେ ଜୁଲାଇ ୧୭ରେ ଏକ ବିବାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଉତ୍ସବରେ ୧୨୮ଜଣ ଲୋକ ସାମିଲ ହୋଇଥିଲେ। ତେବେ ବିବାହରେ ସାମିଲ ହୋଇଥିବା ଲୋକଙ୍କ ମଧ୍ୟରୁ ବର-କନ୍ୟାଙ୍କ ସମେତ ୪୭ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାପରେ ସେମାନଙ୍କୁ ହୋମ୍‌ କ୍ୱାରାଣ୍ଟାଇନ୍‌କୁ ପଠାଇଦିଆଯାଇଛି। ଅନ୍ୟପଟେ ଏହି ଘଟଣା ସର୍ବ ସମ୍ମୁଖକୁ ଆସିବା ପରେ ନିୟମ ଉଲ୍ଲଂଘନ ଅଭିଯୋଗରେ ସ୍ଥାନୀୟ ପୋଲିସ କନ୍ୟାଙ୍କ ପିତାଙ୍କ ବିରୋଧରେ ମାମଲା ରୁଜୁ କରିଛି। କାରଣ କରୋନା କାଳରେ ହେଉଥିବା ବିବାହ ଉତ୍ସବରେ ମାତ୍ର ୫୦ଜଣ ଯୋଗଦେଇପାରିବେ। କିନ୍ତୁ ଏହାଠୁ ଅଧିକ ହେଲେ ଜରିମାନା ଦେବାକୁ ପଡ଼ିବା ସହ ୨ବର୍ଷ ଜେଲ୍‌ ମଧ୍ୟ ଯିବାକୁ ପଡ଼ିପାରେ ବୋଲି କାସରଗୋଡ ପ୍ରଶାସନ କହିଛନ୍ତି।

Share