Advertisement

ଗୁଣି ସନ୍ଦେହରୁ ଗୋଷ୍ଠୀ ସଂଘର୍ଷ: ବାପପୁଅଙ୍କ ସମେତ ୩ ମୃତ, ଖାରିପଲ୍ଲୀ ଗାଁରେ ଉତ୍ତେଜନା

ଧରାକୋଟ/ବ୍ରହ୍ମପୁର,୧୮ା୩(ବିଷ୍ଣୁକେଶରୀ ଆଚାର୍ଯ୍ୟ/ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲାରେ ଗୁଣିଗାରେଡ଼ି ଭଳି ଅନ୍ଧବିଶ୍ବାସ ପୁଣିଥରେ ମୁଣ୍ଡ ନେଇଛି। ବଡ଼ଗଡ଼ ଥାନା ଅନ୍ତର୍ଗତ ଧରାକୋଟ ବ୍ଲକ ବାହାରପୁର ପଞ୍ଚାୟତ ଖାରିପଲ୍ଲୀ ଗ୍ରାମରେ ଗୁଣିଗାରେଡ଼ିକୁ କେନ୍ଦ୍ରକରି ମଙ୍ଗଳବାର ସନ୍ଧ୍ୟାରେ ୨ ଗୋଷ୍ଠୀ ମଧ୍ୟରେ ହଣାକଟା ହୋଇଛି। ଏଥିରେ ବାପପୁଅଙ୍କ ସମେତ ୩ ଜଣଙ୍କର ମତ୍ୟୁ ଘଟିଥିବାବେଳେ ଅନ୍ୟ ୩ ଜଣ ଗୁରୁତର ହୋଇଛନ୍ତି। ମୃତକମାନେ ହେଲେ ଖାରିପଲ୍ଲୀ ଗାଁର ଖଦାଳ ବେହେରା(୬୫), ତାଙ୍କ ପୁଅ ରତ୍ନାକର ବେହେରା(୩୫) ଓ ଅନ୍ୟ ଗୋଷ୍ଠୀର ରମେଶ ବେହେରା(୩୨)। ଗ୍ରାମର ଅରୁଣ ବେହେରା (୩୦), ଭିକାରୀ ବେହେରା (୧୮), ଜଗା ବେହେରା (୧୮)ଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଧରାକୋଟ ମେଡିକାଲ ଓ ପରେ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଗାଁରେ ଉତ୍ତେଜନା ଲାଗି ରହିଛି। ପୋଲିସ ଫୋର୍ସ ଉପସ୍ଥିତ ରହି ସ୍ଥିତି ଉପରେ ନଜର ରଖିଛି। ୫ ଜଣଙ୍କୁ ଥାନାରେ ଅଟକ ରଖାଯାଇଛି।

ଖାରିପଲ୍ଲୀ ଗାଁର ଖଦାଳ ଗୁଣିଗାରେଡ଼ି କରୁଥିବା ଗ୍ରାମବାସୀ ସନ୍ଦେହ କରୁଥିଲେ। ତେଣୁ କିଛିବର୍ଷ ତଳେ ତାଙ୍କୁ ବିରୋଧ କରାଯିବାରୁ ସେ ଗାଁ ଛାଡ଼ି ଚାଲିଯାଇଥିଲେ। ପରେ ସେ ଥାନା ଦ୍ୱାରସ୍ଥ ହୋଇଥିଲେ। ପୋଲିସ ହସ୍ତକ୍ଷେପ ପରେ ଖଦାଳ କିଛିମାସ ହେଲା ଗାଁକୁ ଫେରି ନିଜ ଘରେ ରହୁଥିଲେ। ଗ୍ରାମବାସୀ ପୁଣି ତାଙ୍କୁ ସନ୍ଦେହ କରି ଗାଁରୁ ତଡ଼ି ଦେବାପାଇଁ ଯୋଜନା କରିଥିଲେ। ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୭ଟାରେ ଗ୍ରାମବାସୀ ଏକଜୁଟ ହୋଇ ଖଦାଳଙ୍କ ଘରକୁ ଯାଇ ପ୍ରବଳ ପାଟିତୁଣ୍ଡ କରିବା ସହିତ ଗାଁ ଛାଡ଼ି ଚାଲିଯିବାକୁ ଧମକ ଦେଇଥିଲେ। ଖଦାଳ ଓ ତାଙ୍କ ପୁଅ ରତ୍ନାକର ଏହାର ପ୍ରତିବାଦ କରିବାରୁ ଗ୍ରାମବାସୀ ଉଭୟଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲେ। ରତ୍ନାକର ମଧ୍ୟ ମାରଣାସ୍ତ୍ର ଧରି ପ୍ରତିଆକ୍ରମଣ କରିଥିଲେ। ଗାଁ ଦାଣ୍ଡରେ ବାପପୁଅଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଗୋଷ୍ଠୀର ଗୁରୁତର ରମେଶଙ୍କ ଧରାକୋଟ ମେଡିକାଲରେ ମୃତ୍ୟୁ ଘଟିଥିଲା। ଘଟଣାସ୍ଥଳରେ ଆସିକା ଉପଖଣ୍ଡ ଆରକ୍ଷୀ ଅଧିକାରୀ ସନ୍ତୋଷ କୁମାର ଜେନା ଓ ବଡ଼ଗଡ଼ ଥାନା ଅଧିକାରୀ ସନ୍ତୋଷ କୁମାର ବେହେରା, ଶେରଗଡ଼ ଥାନା ଅଧିକାରୀ ବୀରେନ୍ଦ୍ର ଶିଅଳ ଓ ଧରାକୋଟ ଥାନା ଅଧିକାରୀ ଚନ୍ଦ୍ରିକା ସୱାଇଁ ପୋଲିସ ଫୋର୍ସ ସହ ଉପସ୍ଥିତ ରହି ସ୍ଥିତି ଅନୁଧ୍ୟାନ କରୁଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share