Categories: ଜାତୀୟ

ସୁପରଟେକ୍‌ ଦେବାଳିଆ ଘୋଷିତ

ନୂଆଦିଲ୍ଲୀ,୨୬।୩: ରିଅଲ ଇଷ୍ଟେଟ୍‌ କମ୍ପାନୀ ସୁପରଟେକ୍‌ ଡେଭେଲପର୍ସକୁ ଜାତୀୟ କମ୍ପାନୀ ଆଇନ ଟ୍ରିବ୍ୟୁନାଲ(ଏନ୍‌ସିଏଲ୍‌ଟି) ଶୁକ୍ରବାର ଦେବାଳିଆ ଘୋଷଣା କରିଛନ୍ତି। ଫଳରେ ପ୍ରାୟ ୨୫ ହଜାର ଗୃହ କେତ୍ରା ପ୍ରଭାବିତ ହୋଇପାରନ୍ତି ବୋଲି କୁହାଯାଉଛି। ଉକ୍ତ କମ୍ପାନୀ ବିରୋଧରେ ଦେବାଳିଆ ଅବସ୍ଥା ନେଇ ମାମଲା ଚାଲିବ। ନୋଏଡ଼ାରେ ଉକ୍ତ କମ୍ପାନୀ ବେଆଇନ ଭାବେ ନିର୍ମାଣ କରିଥିବା ୨ଟି ଟାଓ୍ବାରକୁ ଭାଙ୍ଗିଦେବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଫଳରେ ରିଅଲ ଇଷ୍ଟେଟ୍‌ କମ୍ପାନୀ ଉପରେ ଚାପ ବଢ଼ିବାରେ ଲାଗିଛି। କମ୍ପାନୀର ଋଣ ପରିମାଣ ୧,୨୦୦ କୋଟି ଟଙ୍କା ରହିଛି। ସୁପରଟେକ୍‌ ଋଣ ପରିଶୋଧ କରୁ ନ ଥିବାରୁ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ପକ୍ଷରୁ ଏନ୍‌ସିଏଲ୍‌ଟିରେ ଆବେଦନ କରାଯାଇଥିଲା। ଏନ୍‌ସିଏଲ୍‌ଟି କାର୍ଯ୍ୟାନୁଷ୍ଠାନ ବିରୋଧରେ ନ୍ୟାଶନାଲ କମ୍ପାନୀ ଲ’ ଆପିଲେଟ୍‌ ଟ୍ରିବ୍ୟୁନାଲ (ଏନ୍‌ସିଏଲ୍‌ଏଟି)ରେ ଆବେଦନ କରିବ ବୋଲି ସୁପରଟେକ୍‌ କହିଛି।

Share