ଜିଲା ମୁଖ୍ୟ ଚିକିତ୍ସାଳୟରେ ସୁଇପର କଲେ ଚିକିତ୍ସା

ସମ୍ବଲପୁର,୧୯ା୨(ଭବାନୀ ଶଙ୍କର ଭୋଇ):ସମ୍ବଲପୁର ଜିଲା ମୁଖ୍ୟ ଚିକିତ୍ସାଳୟ (ଡିଏଚ୍‌ଏଚ୍‌)ରେ ସୁଇପର ରୋଗୀଚିକିତ୍ସା କରୁଥିବା ଅଭିଯୋଗ ହୋଇଛି। ଅଭିଯୋଗକ୍ରମେ ଶନିବାର ଯୁଯୁମୁରା ହାତୀବାରିରେ ସଡ଼କ ଦୁର୍ଘଟଣାରେ ପ୍ରାୟ ୭ଜଣ ଆହତଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ଏମାନଙ୍କ ମଧ୍ୟରୁ ୪ଜଣ ଗୁରୁତରଙ୍କୁ କାଜୁଆଲଟିରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଡାକ୍ତରଙ୍କ ବଦଳରେ ସୁଇପରମାନେ ରୋଗୀଙ୍କୁ ଚିକିତ୍ସା କରୁଥିବା ଦେଖିବାକୁ ମିଳିଥିଲା। ଫାର୍ମାସିଷ୍ଟଙ୍କ ବଦଳରେ ହସ୍ପିଟାଲରେ ସଫେଇ କାମ କରୁଥିବା ୨ ବ୍ୟକ୍ତି ହାତରେ କଇଁଚି ଏବଂ ତୁଳା ଧରି ଡ୍ରେସିଂ, ପଟିବାନ୍ଧିବା କାମ କରିଥିଲେ। ଏ ସମ୍ପର୍କରେ ଜିଲା ଅତିରିକ୍ତ ଚିକିତ୍ସା ଅଧିକାରୀ ଅଲେଖ ମହାପାତ୍ର କହିଛନ୍ତି, ଫାର୍ମାସିଷ୍ଟ ନ ଥିବାରୁ ଅନ୍ୟ ଜଣେ ପଟି ବାନ୍ଧିବାରେ ସହଯୋଗ କରିଥିଲେ। ରୋଗ ଦେଖି ଓଷଧ ଦେବା ଭଳି କୌଣସି ଗୁରୁତର କାମ କରିନାହାନ୍ତି। ଦୀର୍ଘଦିନ ଧରି ସେମାନେ ଡାକ୍ତରଖାନାରେ କାମ କରୁଥିବାରୁ ଆବଶ୍ୟକ ସମୟରେ ସହଯୋଗ କରିଛନ୍ତି। ତେଣୁ ଏହାକୁ ମାନବିକତା ଭାବେ ଗ୍ରହଣ କରିବା ଉଚିତ ବୋଲି ମହାପାତ୍ର କହିଛନ୍ତି।

Share