ହିତାଧିକାରୀଙ୍କ ଇ-କଓ୍ବୋଇସି କରିବାକୁ ସୁରଟ ଯାଇଥିଲେ ଯୋଗାଣ ସହାୟକ: ପଡ଼ିଲା ଭାରି ମହଙ୍ଗା, ଆଇଲା ବେଳକୁ ନାହିଁ

ବୁଗୁଡ଼ା,୨୩।୧୦(କାଳିଚରଣ ଦାଶ): କୌଣସି ଅନୁମତି ନ ନେଇ ହିତାଧିକାରୀମାନଙ୍କ ଇ-କେୱାଇସି କରିବା ପାଇଁ ମେଶିନ ଧରି ସୁରଟ ଯାଇଥିବା ବୁଗୁଡ଼ା ବ୍ଲକ ଭାମଶ୍ୟାଳି ପଞ୍ଚାୟତର ଯୋଗାଣ ସହାୟକ ମିଥୁନ ବିଶ୍ୱାଳଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଛି। ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ହେଉଥିବା ଅନିୟମିତତା ରୋକିବା ପାଇଁ ସରକାର ହିତାଧିକାରୀମାନଙ୍କ ପାଇଁ ଇ-କେୱାଇସି କରିବା ବାଧ୍ୟତାମୂଳକ କରିଥିଲେ। ଫଳରେ ରାଶନ କାର୍ଡଧାରୀ ହିତାଧିକାରୀମାନେ ଇପୋସ୍‌ ମେଶିିନ ମାଧ୍ୟମରେ ନିଜର ଟିପ ଚିହ୍ନ ଦେଇ ଆଗକୁ ରାଶନ କାର୍ଡ ଜରିଆରେ ମାଗଣା ରାଶନ ପାଇପାରିବେ ବୋଲି ନିୟମ ହେଲା। ତେବେ ଭାମଶ୍ୟାଳି ପଞ୍ଚାୟତର ଯୋଗାଣ ସହାୟକ ମିଥୁନ ନିଜ ପଞ୍ଚାୟତରେ ଅଧିକାଂଶ ହିତାଧିକାରୀଙ୍କ ଇ-କେୱାଇସି କରି ବଳକା ହିତାଧିକାରୀ ଯେଉଁମାନେ ସୁରଟରେ ରହୁଛନ୍ତି ସେମାନଙ୍କ ଟିପଚିହ୍ନ ନେବାକୁ ଇପୋସ୍‌ ମେଶିନ ଧରି ଗତ ମାସରେ ସୁରଟ ଯାଇଥିଲେ। ସେଠାରେ ରହୁଥିବା ଭାମଶ୍ୟାଳି ପଞ୍ଚାୟତର ହିତାଧିକାରୀଙ୍କ ପିଛା ୨ଶହରୁ ୩ ଶହ ଟଙ୍କା ନେଇ ସେମାନଙ୍କ ଇକେୱାଇସି କରିଥିଲେ। ଏ ନେଇ ଭିଡିଓ ଫୁଟେଜ ସହ ଅଭିଯୋଗ ହେବା ପରେ ବିଡିଓ ଏହାର ତଦନ୍ତ କରି ଭଞ୍ଜନଗର ଉପ ଜିଲାପାଳଙ୍କୁ ରିପୋର୍ଟ ଦେଇଥିଲେ। ଏହାକୁ ଭିତ୍ତି କରି ଉପଜିଲାପାଳ ସମ୍ପୃକ୍ତ ଯୋଗାଣ ସହାୟକଙ୍କୁ ବହିଷ୍କାର କରିବା ପାଇଁ ଭାମଶ୍ୟାଳି ସରପଞ୍ଚଙ୍କୁ ଚିଠି କରିଥିଲେ। ତେବେ ସରପଞ୍ଚ କୌଣସି କାର୍ଯ୍ୟାନୁଷ୍ଠାନ ନ ନେବାରୁ ଉପଜିଲାପାଳ କାର୍ଯ୍ୟାଳୟ ପତ୍ରସଂଖ୍ୟା ୭୭୮୬, ତା ୧୮ା୧୦ା୨୪ରେ ସମ୍ପୃକ୍ତ ଯୋଗାଣ ସହାୟକ ମିଥୁନଙ୍କୁ ବହିଷ୍କୃତ କରି ୩ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ବୁଗୁଡ଼ା ବିଡିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସୋମବାର ବିଡିଓ ଦାୟିତ୍ୱରେ ଥିବା ତହସିଲଦାର ତାପସ ରାଉତ ଯୋଗାଣ ସହାୟକ ମିଥୁନଙ୍କୁ ବହିଷ୍କୃତ କରିଛନ୍ତି। ଉପଜିଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ ତାଙ୍କୁ ବହିଷ୍କୃତ କରାଯାଇଥିବା ତହସିଲଦାର ରାଉତ କହିଛନ୍ତି।

 

Share