ବ୍ଲାକ୍‌ ଫଙ୍ଗସ୍‌ ଔଷଧ ଯୋଗାଅ

ନୂଆଦିଲ୍ଲୀ, ୨୩।୫(ପି.ଟି.): ବିଭିନ୍ନ ରାଜ୍ୟରେ କରୋନାରୁ ଆରୋଗ୍ୟ ହୋଇଥିବା ଅନେକଙ୍କଠାରେ ବ୍ଲାକ୍‌ ଫଙ୍ଗସ୍‌ ସଂକ୍ରମଣ ଚିନ୍ତାର କାରଣ ପାଲଟିଛି। ଏହି ରୋଗର ଚିକିତ୍ସା ପାଇଁ ଆବଶ୍ୟକ ଔଷଧ ନ ମିଳିବା ସ୍ଥିତିକୁ ଆହୁରି ସଙ୍ଗିନ କରିଛି। ତେଣୁ ବ୍ଲାକ୍‌ ଫଙ୍ଗସ୍‌ ଚିକିତ୍ସା ପାଇଁ ଅତ୍ୟାବଶ୍ୟକ ଔଷଧ ଯୋଗାଣ ସୁନିଶ୍ଚିତ କରିବା ଲାଗି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପତ୍ର ଲେଖିଛନ୍ତି। ରୋଗୀମାନଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦେବାକୁ ସେ ଅନୁରୋଧ କରିଛନ୍ତି। ବ୍ଲାକ୍‌ ଫଙ୍ଗସ୍‌କୁ ଆୟୁଷ୍ମାନ ଭାରତ ଓ ଅନ୍ୟାନ୍ୟ ସ୍ବାସ୍ଥ୍ୟବୀମା ଯୋଜନାରେ ସାମିଲ କରାଯାଇ ନ ଥିବାରୁ ଏବାବଦରେ ତୁରନ୍ତ ପଦକ୍ଷେପ ନେବା ଲାଗି କଂଗ୍ରେସ ଅଧ୍ୟକ୍ଷା ପ୍ରଧାନମନ୍ତ୍ରୀଙ୍କୁ କହିଛନ୍ତି। ବ୍ଲାକ୍‌ ଫଙ୍ଗସ୍‌ ବା ମ୍ୟୁକୋରମାଇକୋସିସ୍‌କୁ ମହାମାରୀ ଘୋଷଣା କରିବା ଲାଗି କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ପରାମର୍ଶ ଦେଇଛନ୍ତି। ତେଣୁ ଏହି ରୋଗର ଚିକିତ୍ସା ପାଇଁ ଅତ୍ୟାବଶ୍ୟକ ଔଷଧ ପର୍ଯ୍ୟାପ୍ତ ଉତ୍ପାଦନ ଓ ଯୋଗାଣ ହେବା ଆବଶ୍ୟକ ବୋଲି ସୋନିଆ କହିଛନ୍ତି। ବ୍ଲାକ୍‌ ଫଙ୍ଗସ୍‌ ପାଇଁ ଲିପୋସୋମାଲ ଆମ୍ଫୋଟେରିସିନ-ବି ଅତି ଜରୁରୀ ହୋଇଥିବାବେଳେ ବଜାରରେ ଏହାର ଅଭାବ ଦେଖାଦେଇଛି।

ଅନ୍ତଃନଳୀରେ ବ୍ଲାକ୍‌ ଫଙ୍ଗସ୍‌

ବ୍ଲାକ୍‌ ଫଙ୍ଗସ୍‌ ଅନ୍ତଃନଳୀକୁ ବି ସଂକ୍ରମଣ କରୁଛି। ଏଭଳି ବିରଳ ଘଟଣା ଦିଲ୍ଲୀର ସାର୍‌ ଗଙ୍ଗାରାମ ହସ୍ପିଟାଲରେ ୨ ଜଣ ରୋଗୀଙ୍କଠାରେ ଦେଖାଯାଇଛି। ଉଭୟଙ୍କର ଡାଇବେଟିସ୍‌ ରହିଛି। କୋଭିଡ୍‌ ଚିକିତ୍ସା ବେଳେ ସେମାନଙ୍କ ମଧ୍ୟରୁ ଜଣେ ଷ୍ଟିରଏଡ୍‌ ନେଇଥିଲେ ବୋଲି ଡାକ୍ତର କହିଛନ୍ତି। ତଳିପେଟରେ ଯନ୍ତ୍ରଣା ହେବାରୁ ଗଙ୍ଗାରାମ ହସ୍ପିଟାଲକୁ ନିଆଯାଇଥିଲା। ସିଟି ସ୍କାନ୍‌ରୁ ଉଭୟଙ୍କ ଅନ୍ତଃନଳୀରେ ବ୍ଲାକ୍‌ ଫଙ୍ଗସ୍‌ ବା ମ୍ୟୁକୋର୍‌ମାଇକୋସିସ୍‌ ସଂକ୍ରମଣ ହୋଇଥିବା ଜଣାପଡ଼ିଥିଲା। ଏହି ରୋଗ ସାଧାରଣତଃ ରୋଗୀର ନାକ, ଆଖି, ମୁହଁ ଓ ଫୁସ୍‌ଫୁସ୍‌ ଆଦିକୁ ସଂକ୍ରମଣ କରୁଥିବାବେଳେ ଅନ୍ତଃନଳୀରେ ସଂକ୍ରମଣ ହେବା ପ୍ରଥମ ଘଟଣା। ବର୍ତ୍ତମାନ ସୁଦ୍ଧା ବ୍ଲାକ୍‌ ଫଙ୍ଗସ୍‌ରେ ୨୧୯ ଜଣଙ୍କ ମୃତ୍ୟୁ ହେଲାଣି ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

Share