ଲିକେଜ ଗ୍ୟାସ ଟାଙ୍କି ଯୋଗାଣ

ବୁଗୁଡ଼ା,୧୦ା୧(ଡି.ଏନ.ଏ.): ବୁଗୁଡ଼ା ସହର ତଥା ଆଖପାଖ ଅଞ୍ଚଳର ଲୋକେ ରୋଷେଇ ଗ୍ୟାସ ପାଇଁ ବୁଗୁଡ଼ା ସହରରେ ଥିବା ଏକ ମାତ୍ର ଗ୍ୟାସ ଏଜେନ୍ସି କନକ ଦୁର୍ଗା ଇଣ୍ଡେନ ଗ୍ୟାସ ଉପରେ ନିର୍ଭର କରୁଥିବା ବେଳେ ଗ୍ରାହକମାନଙ୍କୁ ଯୋଗାଣ କରାଯାଉଥିବା ଅଧିକାଂଶ ଗ୍ୟାସ ଟାଙ୍କି ଲିକେଜ ଆସୁଥିବାରୁ ଗ୍ରାହକମାନେ ଅସନ୍ତୋଷ ଜାହିର କରିଛନ୍ତି। ରୋଷେଇ ଚାଲିଥିବା ବେଳେ ଯଦି ହଠାତ ଗ୍ୟାସ ସରିଯାଏ ସେତେବେଳେ ପାଖରେ ଥିବା ସିଲିଣ୍ଡର ସିଲ ଖୋଲି ଲଗାଇଲା ବେଳକୁ ଗ୍ୟାସ ଲିକ ଥିବା ଜଣାପଡୁଛି। ଫଳରେ ଅଧାରେ ରୋଷେଇ ବନ୍ଦ ହୋଇଯାଉଛି। ଏ ନେଇ ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ପଚାରିଲେ ବାଲେଶ୍ୱର ପ୍ଲାଣ୍ଟରୁ ଯେମିତି ଟାଙ୍କି ଆସୁଛି ଆମେ ଦେଉଛୁ ବୋଲି ସଫେଇ ଦେଉଛନ୍ତି। କେବଳ ଲିକ ହାଣ୍ଡି ଯୋଗାଣ ନୁହେଁ, ଗ୍ରାହକ ମାନଙ୍କ ରେଗୁଲେଟର ଖରାପ ହେଲେ ପୁରୁଣା ରେଗୁଲେଟର ବଦଳରେ ଏକ ନୂଆ ରେଗୁଲେଟର ମାଗଣାରେ ଯୋଗାଇ ଦେବା ନିୟମ ଥିବା ବେଳେ ଏଥିପାଇଁ ସ୍ଥାନୀୟ ଗ୍ୟାସ ଏଜେନ୍ସି ଗ୍ରାହକଙ୍କ ଠାରୁ ୭୫ ଟଙ୍କା ଲେଖାଏଁ ଆଦାୟ କରୁଥିବା ଅଭିଯୋଗ ହେଉଛି। ଗ୍ୟାସ ଦେବା ବେଳେ ଓଜନ କରି ଦେବାକୁ ନିୟମ ଥିବା ବେଳେ ଓଜନ ନକରି ଗ୍ରାହକଙ୍କୁ ଗ୍ୟାସ ଟାଙ୍କି ଦିଆଯାଉଥିବାରୁ ଲୋକେ ଠକାମୀର ଶିକାର ହେଉଛନ୍ତି। ଏ ନେଇ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

Share