କୋଇଲା ଖଣି ଖନନକୁ ସମର୍ଥନ

ଅନୁଗୋଳ,୩୦୮(ଅମିତ କୁମାର ସାମଲ): ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସ୍‌ପି)ର ଉତ୍କଳ ବି୧ ଏବଂ ବି୨ କୋଇଲା ଖଣି ପାଇଁ ଥଇଥାନ ଓ ପାରିପାର୍ଶ୍ୱିକ ଉନ୍ନୟନ ପରାମର୍ଶଦାତା କମିଟି ବୈଠକ ମଙ୍ଗଳବାର ଉତ୍ତରାଞ୍ଚଳ ରାଜସ୍ବ କମିଶନର ଡ. ସୁରେଶ ଚନ୍ଦ୍ର ଦଲାଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅନୁଗୋଳ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଆରକ୍ଷୀ ଅଧୀକ୍ଷକ ସୁଧାଂଶୁ ଶେଖର ମିଶ୍ର, ଉପଜିଲାପାଳ ବରଣ୍ୟେନ୍ଦୁ ମହାନ୍ତି, ଭୂ-ଅର୍ଜନ ଅଧିକାରୀ ଇଶାନୀ ପଣ୍ଡା, ଛେଣ୍ଡିପଦା ବିଧାୟକ ସୁଶାନ୍ତ ବେହେରା, ସମ୍ବଲପୁର ଏମ୍‌ପିଙ୍କ ପ୍ରତିନିଧି ଅଗସ୍ତି ବେହେରା, ଜିଲା ପରିଷଦ ସଭାପତି ବବିତା ପ୍ରଧାନ, ଛେଣ୍ଡିପଦା ବ୍ଲକ ଅଧ୍ୟକ୍ଷା ସୁମିତ୍ରା ସାହୁ, ପ୍ରକଳ୍ପ ପ୍ରଭାବିତ ଗ୍ରାମବାସୀଙ୍କ ପ୍ରତିନିଧି, ସ୍ଥାନୀୟ ସ୍ବେଚ୍ଛାସେବୀ ସଂସ୍ଥାଙ୍କ ପ୍ରତିନିଧି, ଜେଏସ୍‌ପି ନିର୍ବାହୀ ନିର୍ଦ୍ଦେଶକ ହୃଦୟେଶ୍ୱର ଝା, ଉପସଭାପତି ଆଶିଷ ପାଣ୍ଡେ, ଏଭିପି (ଜମି ଅଧିଗ୍ରହଣ) ସୁଜିତ ପ୍ରଧାନ, ଗ୍ରୁପ୍‌ ସିଏସ୍‌ଆର୍‌ ମୁଖ୍ୟ ପ୍ରଶାନ୍ତ ହୋତା ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
ଶାନ୍ତିପୂର୍ଣ୍ଣ ଭାବରେ ଅନୁଷ୍ଠିତ ଏହି ବୈଠକରେ ଗ୍ରାମବାସୀ ପ୍ରତିନିଧିଙ୍କ ଦାବି ରକ୍ଷା କରାଯାଇ ଆସନ୍ତା ସେପ୍ଟେମ୍ବର ୧୦ ଏବଂ ୨୦ ତାରିଖରେ ପ୍ରକଳ୍ପ ବିସ୍ଥାପିତ ପରିବାରମାନଙ୍କ ସମୀକ୍ଷା ଏବଂ ତାଲିକା ଚୂଡ଼ାନ୍ତ କରିବା ପାଇଁ ଏକ ଶିବିର ଅନୁଷ୍ଠିତ ହେବ ବୋଲି ନିଷ୍ପତ୍ତି ନିଆଯାଇଥିଲା। ଜିଲାପାଳ ସ୍ବାଇଁ ପୁନର୍ବାସ ଏବଂ ପୁନଃଥଇଥାନ (ଆର୍‌ଆଣ୍ଡଆର୍‌) ପ୍ୟାକେଜ ଘୋଷଣା କରିଥିଲେ। ଏଥିରେ ଘର, ଜମି ଏବଂ ଆଗୁଆ ସ୍ଥାନ ଛାଡିବା ପାଇଁ ୧୫ ଲକ୍ଷ ଟଙ୍କା ଓ ଚାକିରି ବଦଳରେ ୨୦ ଲକ୍ଷ ଟଙ୍କା ମିଳିବ ବୋଲି ଜିଲାପାଳ କହିଥିଲେ। ଏହା ବ୍ୟତୀତ ଏକର ପ୍ରତି ୧୨ ଲକ୍ଷ ଟଙ୍କାର ଏକ୍ସ-ଗ୍ରାସିଆ ମଧ୍ୟ ଘୋଷଣା କରାଯାଇଥିଲା। ଗ୍ରାମବାସୀ ଏହାକୁ ଗ୍ରହଣ କଲେ ଖଣି କାର୍ଯ୍ୟ ଶୀଘ୍ର ଆରମ୍ଭ କରାଯାଇ ପାରିବ ବୋଲି ଜିଲାପାଳ କହିଥିଲେ। ଗ୍ରାମବାସୀ ଏହି ଖଣି ପ୍ରକଳ୍ପକୁ ସମର୍ଥନ କରିବା ସହ ଖଣି କାର୍ଯ୍ୟ ଆରମ୍ଭ ନିମନ୍ତେ ସମସ୍ତ ପ୍ରକାର ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଏଥିସହ କ୍ଷତିପୂରଣ ବାବଦକୁ ଅଧିକ ଅର୍ଥ ମଧ୍ୟ ଦାବି କରିଥିଲେ।