ମା’ଙ୍କୁ ହରାଇଥିଲେ, ଏବେ ବାପା ଚାଲିଗଲେ: ଶୁଦ୍ଧିକ୍ରିୟା ପାଇଁ ଟଙ୍କା ଟିଏ ନାହିଁ

କେନ୍ଦୁଝର,୪।୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ପୌରପାଳିକା ଅନ୍ତର୍ଗତ ୨୧ ନମ୍ବର ୱାର୍ଡ ବ୍ରାହ୍ମଣୀ ଗାଁର ମା’ବାପା ଛେଉଣ୍ଡ ମହେଶ ନାଏକ (୮) ଙ୍କୁ ସହାୟତା ଯୋଗାଇ ଦେବାକୁ ସ୍ଥାନୀୟ ସାମାଜିକ ସଂଗଠନ ପକ୍ଷରୁ ଦାବି କରାଯାଇଛି। ତାଙ୍କର ମା’ ୨୦୨୨ ରେ କୌଣସି ରୋଗରେ ପଡ଼ି ମୃତ୍ୟୁବରଣ କରିଥିଲେ। ପିତା ଭ୍ରମର ନାଏକ ବହୁ ଦୁଃଖ କଷ୍ଟରେ କୁଲି ମଜୁରୀ କରି ପିଲାଟିକୁ ଲାଳନ ପାଳନ କରି ଆସୁଥିଲେ। କିନ୍ତୁ ବିଧିର ବିଧାନ ଅଲଗା ଥିଲା। ଭ୍ରମର ମଧ୍ୟ ଯକ୍ଷ୍ମା ରୋଗରେ ପୀଡ଼ିତ ହୋଇ ଗତ ମଙ୍ଗଳବାର ମୃତ୍ୟୁବରଣ କରିଛନ୍ତି।

ସେ ଅତି ଗରିବ ଶ୍ରେଣୀର ହୋଇଥିବାବେଳେ ବାଳକଟି ଶୁଦ୍ଧିକ୍ରିୟା ପାଇଁ ତାଙ୍କ ପାଖରେ ଟଙ୍କାଟିଏ ନାହିଁ। ତୁରନ୍ତ କେନ୍ଦୁଝରଗଡ଼ ପୌରପାଳିକା ପକ୍ଷରୁ ପରିବାରକୁ ଶୁଦ୍ଧିକ୍ରିୟା ପାଇଁ ସହଯୋଗ କରିବାକୁ ଯୁବ ଓ ଶ୍ରମ ବିକାଶ ମଞ୍ଚ କେନ୍ଦୁଝରଗଡ଼ ସଭାପତି ରଞ୍ଜନ ବେହେରା, ଉପସଭାପତି ଜୟକୃଷ୍ଣ ନାଏକ ଦାବି କରିଛନ୍ତି। ଉକ୍ତ ୮ ବର୍ଷର ବାଳକର ଶିକ୍ଷା ବ୍ୟବସ୍ଥା ଓ ସରକାରୀ ସହାୟତା ଯୋଗାଇଦେବାକୁ ଜିଲାପାଳଙ୍କୁ ନିବେଦନ କରିଛନ୍ତି।

Share