ଧର୍ମୀୟ ସ୍ବାଧୀନତାକୁ ସମର୍ଥନ: ବ୍ରାଜିଲରେ ବିଶାଳ ଶୋଭାଯାତ୍ରା

ରିଓ ଡି ଜେନେରୋ ,୧୭ା୯: ବ୍ରାଜିଲରେ ଗତ ୬ ବର୍ଷ ମଧ୍ୟରେ ଅସହିଷ୍ଣୁତା ମାମଲା ସଂଖ୍ୟା ଦ୍ୱିଗୁଣିତ ହୋଇଛି। ଦେଶରେ ଧର୍ମୀୟ ସ୍ବାଧୀନତାକୁ ସମର୍ଥନ ଜଣାଇ ରବିବାର ହଜାର ହଜାର ଲୋକ ରିଓ ଡି ଜେନିରୋ ସହରରେ ବିଶାଳ ଶୋଭାଯାତ୍ରା ବାହାର କରିଥିଲେ। ବିଭିନ୍ନ ଧର୍ମୀୟ ପରମ୍ପରାର ଲୋକମାନେ ଏଥିରେ ସାମିଲ ହୋଇଥିଲେ। ପୁରୁଷ, ମହିଳାଙ୍କ ସମେତ ପିଲାମାନେ ଧର୍ମୀୟ ସ୍ବାଧୀନତାର ସୁରକ୍ଷା ପାଇଁ ସ୍ଲୋଗାନ ଦେଉଥିବା ଦେଖାଯାଇଥିଲା।
ବ୍ରାଜିଲରେ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ସଦସ୍ୟମାନଙ୍କ ଦ୍ୱାରା ଆକ୍ରମଣର ସମ୍ମୁଖୀନ ହେଉଥିବା ଆଫ୍ରୋ-ବ୍ରାଜିଲିଆନ୍‌ ଧର୍ମର ଲୋକମାନେ ଶୋଭାଯାତ୍ରାରେ ଅଧିକ ସଂଖ୍ୟାରେ ସାମିଲ ହୋଇଥିଲେ। ଏପରିକି ବ୍ରାଜିଲର ନବନିଯୁକ୍ତ ମାନବାଧିକାର ମନ୍ତ୍ରୀ ମାକାଏ ଏଭାରିଷ୍ଟୋ ମଧ୍ୟ ଶୋଭାଯାତ୍ରାରେ ଯୋଗ ଦେଇଥିବା ଦେଖାଯାଇଥିଲା। ଧର୍ମୀୟ ସ୍ବାଧୀନତାର ସୁରକ୍ଷା ଦାବିରେ କ୍ରମାଗତ ୧୭ ବର୍ଷ ହେଲା ଏଭଳି ଶୋଭାଯାତ୍ରା ପ୍ରତିବର୍ଷ ଅନୁଷ୍ଠିତ ହୋଇଆସୁଛି। ଦେଶରୁ ଅସମାନତା ଦୂର କରିବା ବର୍ତ୍ତମାନର ସବୁଠୁ ବଡ଼ ଚ୍ୟାଲେଞ୍ଜ ବୋଲି ଏଭାରିଷ୍ଟୋ ଗଣମାଧ୍ୟମକୁ କହିଛନ୍ତି।

Share