ଏଲେକ୍ସି ନଭାଲନିଙ୍କ ମୁକ୍ତି ପାଇଁ ମାଇନସ୍ ୫୦ ଡିଗ୍ରୀରେ ପ୍ରଦର୍ଶନ କଲେ ସମର୍ଥକ

ମସ୍କୋ,୨୪ ।୧: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଆଲୋଚନା ଓ ବିରୋଧୀ ନେତା ଏଲେକ୍ସି ନଭାଲନିଙ୍କ ସମର୍ଥକ ଓ ପୋଲିସ ମଧ୍ୟରେ ଶନିବାର ଟଣାଭିଡା ହୋଇଯାଇଛି । ଯାହାକୁ ବିଭିନ୍ନ ନେତା ନିନ୍ଦା କରିଛନ୍ତି । ଏହି ପ୍ରଦର୍ଶନ ସମୟରେ ପୋଲିସ ପ୍ରଦର୍ଶନକାରୀଙ୍କୁ ପିଟିବା ଓ ଘୋଷାଡି ଘୋଷାଡି ନେବା ଦେଖାଯାଇଥିଲା । କେତେକ ସ୍ଥାନରେ ମାଇନସ୍ ୫୦ ଡିଗ୍ରୀ ତାପମାତ୍ରାରେ ବି ହଜାର ହଜାର ଲୋକ ବିରୋଧ ପ୍ରଦର୍ଶନରେ ଭାଗ ନେଇଥିବା ଦେଖାଯାଇଥିଲା । ଏହା ପୁଟିନଙ୍କ ବିରୋଧରେ ସବୁଠାରୁ ବଡ ପ୍ରଦର୍ଶନ ବୋଲି କୁହାଯାଉଛି । ସୂଚନାଯୋଗ୍ୟ, ସରକାରଙ୍କ ବିରୋଧରେ ଶନିବାର ୭୦ ସହରରେ ବିରୋଧୀ ପ୍ରଦର୍ଶନ କରୁଥିବା ଦେଖାଯାଇଥିଲା । ଏହି ପ୍ରଦର୍ଶନ ବିରୋଧୀ ନେତା ଏଲେକ୍ସି ନଭାଲନିଙ୍କୁ ଜେଲ୍‌ରେ ବନ୍ଦ କରିବାକୁ ନେଇ ହୋଇଥିଲା । ନଭାଲନି ଗତବର୍ଷ ଅଗଷ୍ଟରେ ରୁଷିଆରେ ହୋଇଥିବା ଜୀବନ ନେବାଭଳି ନର୍ଭ ଏଜେଣ୍ଡ ଆକ୍ରମଣ (ବିଷ ଦେଇ ମାରିବାକୁ ଉଦ୍ୟମ) ପରେ ବର୍ଲିନରେ ରିକଭର କରୁଥିଲେ । ସେ ନିକଟରେ ରୁଷିଆ ଫେରିଥିବା ବେଳେ ତାଙ୍କୁ ପୁଣିଥରେ ଜେଲକୁ ନିଆଯାଇଥିଲା । ସୂଚନାଯୋଗ୍ୟ, ନଭେଲନି ପୁଟିନଙ୍କର ହାଇ ପ୍ରୋଫାଇଲ ଆଲୋଚକ । ଶନିବାର ହୋଇଥିବା ପ୍ରଦର୍ଶନରେ ତାଙ୍କ ୪୪ ବର୍ଷିୟା ପତ୍ନୀ ୟୁଲିୟା ନଭଲନିଙ୍କ ସମେତ ପ୍ରାୟ ୩,୪୦୦ ଲୋକଙ୍କୁ ଗିରଫ କରାଯାଇ ଜେଲ୍ ପଠାଇ ଦିଆଯାଇଥିଲା ।

Share