ଉନ୍ନୟନ କାର୍ଯ୍ୟକୁ ଭାଙ୍ଗିଲେ ବିଧାୟକଙ୍କ ସମର୍ଥକ

ଦେବଗଡ଼, ୧୦।୧(ଡି.ଏନ୍‌.ଏ.): ଦେବଗଡ଼ର ଭାଜପା ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀଙ୍କ ସମର୍ଥକମାନେ ମହିଳା ସଶକ୍ତିକରଣ କାର୍ଯ୍ୟକୁ ବିରୋଧ କରିଛନ୍ତି। ପୌର ପରିଷଦ ପକ୍ଷରୁ ମୁକ୍ତା ଯୋଜନାରେ ମିଶନ ଶକ୍ତି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କ ଦ୍ୱାରା ନିର୍ମାଣ କରାଯାଇଥିବା ଟାଉନ ହଲ ସମ୍ମୁଖ ପାଚେରୀକୁ ବିଧାୟକଙ୍କ ଉପସ୍ଥିତିରେ ସମର୍ଥକମାନେ ଭାଙ୍ଗି ଦେଇଛନ୍ତି। ପୌର ପରିଷଦ କାର୍ଯ୍ୟାଦେଶ ସଂଖ୍ୟା ୧୪/୫।୧।୨୩ରେ ହରି ଓମ ଏସ୍‌ଏଚ୍‌ଜିକୁ ମିଳିଥିଲା ୧୪ ଲକ୍ଷ ୬୫ ହଜାର ୩୦୦ ଟଙ୍କାର କାର୍ଯ୍ୟାଦେଶ। ବିଧାୟକଙ୍କ ଏଭଳି କାର୍ଯ୍ୟରେ କାନ୍ଦିପକାଇଛନ୍ତି ଏସଏଚଜି ଗୋଷ୍ଠୀର ମହିଳା। ବହୁ କଷ୍ଟରେ ଟଙ୍କା ଯୋଗାଡ଼ କରି ସ୍ବାବଲମ୍ବୀ ହେବା ଉଦ୍ଦେଶ୍ୟରେ କରୁଥିଲେ ଉନ୍ନୟନ କାର୍ଯ୍ୟର ଠିକା କାମ। ବିଧାୟକଙ୍କ ଏଭଳି ବେଆଇନ କାର୍ଯ୍ୟ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ପୌର ପରିଷଦ ନିର୍ବାହୀ ଅଧିକାରୀ ତପନ ମହାପାତ୍ର ଓ ଏସ୍‌ଏଚଜି ଗୋଷ୍ଠୀ ସଭାନେତ୍ରୀ ଗୀତାଞ୍ଜଳି ପୃଷ୍ଟି ଓ ୩ ନମର ୱାର୍ଡମେମ୍ବର ବାସନ୍ତୀମଣି ମାଝୀ ପ୍ରମୁଖ ଥାନାରେ ବିଧାୟକ ଓ କେତେକ ୱାର୍ଡମେମ୍ବରଙ୍କ ବିରୋଧରେ ଏତଲା ଦେଇଛନ୍ତି। ବିଧାୟକଙ୍କ ଉପସ୍ଥିତିରେ ମିଶନ ଶକ୍ତିର କାର୍ଯ୍ୟ ଭଙ୍ଗାଯିବା ଖବର ପାଇ କାର୍ଯ୍ୟରତ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ସେଠାରେ ପହଞ୍ଚିବା ପରେ ଖୋଦ ବିଧାୟକ ପାଣିଗ୍ରାହୀ ସେମାନଙ୍କୁ ଫଟୋ ଉଠାଇବାକୁ ବାରଣ କରିବା ସହ ଜାଗା ଛାଡି ଚାଲିଯିବାକୁ କହିବାରୁ ଗଣମାଧ୍ୟମ ପ୍ରତିନିଧିମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ବିଧାୟକ ମନା କରିବା ସତ୍ତ୍ୱେ ସାଧାରଣ ଜନତା ଭଙ୍ଗାରୁଜା ଘଟଣାର ଭିଡିଓ ବହୁମାତ୍ରାରେ ଭାଇରାଲ କରିଥିବାବେଳେ ବିଧାୟକଙ୍କ ଏତାଦୃଶ କାର୍ଯ୍ୟକୁ ବିଭିନ୍ନ ମହଲରେ ଦୃଢ ନିନ୍ଦା କରାଯାଇଛି। ଅନ୍ୟ ପକ୍ଷରେ ଭାଜପା ସାଂସଦ ନୀତେଶ ଗଙ୍ଗଦେବଙ୍କ ଧର୍ମପତ୍ନୀ ଅରୁନ୍ଧତୀ ଦେବୀ ମଧ୍ୟ ବିଧାୟକଙ୍କ ସ୍ପଷ୍ଟ ଦିବାଲୋକରେ ଦାଦାଗିରିକୁ ନିନ୍ଦା କରିବାସହ ବିଧାୟକ ପାଣିଗ୍ରାହୀ ଜିଲାର ବିକାଶରେ ବାଧକ ସାଜିଥିବା ମତବ୍ୟକ୍ତ କରିଛନ୍ତି ଓ ନିଜ ସୋସିଆଲ ମିଡିଆ ଫେସବୁକରେ ଛାଡି ଥିବା ଦେଖିବାକୁ ମିଳିଛି। ତେବେ ବିଧାୟକ ସମର୍ଥନ ତଥା ଭାଜପା ପକ୍ଷରୁ କୁହାଯାଇଛି ଯେ, ମୁକ୍ତା ଯୋଜନାରେ ନିର୍ମାଣ କାର୍ଯ୍ୟ କରୁଥିଲା ପୌର ପ୍ରଶାସନ। ପ୍ରକଳ୍ପ ନିର୍ମାଣ ପାଇଁ ପୌରପରିଷଦରେ ଗୃହୀତ ହୋଇ ନ ଥିବା ଭାଜପା ତେନା ଅଭିଯୋଗ କରିଥିଲେ। ପୌର ନିର୍ବାହୀ ଅଧିକାରୀ, ଜିଲାପାଳ ଓ ଏସ୍‌ପିଙ୍କ ଦୃଷ୍ଟିକୁ ଆଣିଥିଲେ ଭାଜପା କାଉନସିଲରମାନେ। କୌଣସି କାର୍ଯ୍ୟାନୁଷ୍ଠାନ ନ ହେବାରୁ ଏମିତି କରାଯାଇଥିବା ଅଭିଯୋଗ କରିଛି ଭାଜପା। ତେବେ ଏହି ଘଟଣା ଜିଲାରେ ଚର୍ଚ୍ଚା ଜୋର ଧରିଛି।