Categories: ଜାତୀୟ

ଅବସର ନେବେ ସିଜେଆଇ ଡି.ଓ୍ବାଇ ଚନ୍ଦ୍ରଚୂଡଙ୍କ ସମେତ ୪ବିଚାରପତି, ଜାଣନ୍ତୁ କିଏ ହେବେ ପରବର୍ତ୍ତୀ ସିଜେଆଇ

ନୂଆଦିଲ୍ଲୀ,୨୮।୧୨: ଆସନ୍ତା ବର୍ଷ ଦେଶରେ ଅନେକ କିଛି ହେବାକୁ ଯାଉଛି। ବର୍ଷ ଆରମ୍ଭରୁ ରାଜନୈତିକ ହଲଚଲ ଦେଖିବାକୁ ମିଳିବ। ୫ବର୍ଷ ପରେ ପୁଣି ୨୪ରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ସେହିପରି କୋର୍ଟ-କଚେରୀ ମାମଲାରେ କେଇଜଣ ବିଚାରପତି ଅବସର ନେବାକୁ ଯାଉଛନ୍ତି। ଆସନ୍ତା ବର୍ଷ ସୁପ୍ରମିକୋର୍ଟର ୩ଜଣ ବିଚାରପତି ଅବସର ନେବାକୁ ଯାଉଛନ୍ତି। ଏହା ବ୍ୟତୀତ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଡି. ଓ୍ବାଇ ଚନ୍ଦ୍ରଚୂଡ ମଧ୍ୟ ଅବସର ନେବାକୁ ଯାଉଛନ୍ତି।

ଇଣ୍ଡିଆ ଟୁଡେ ରିପୋର୍ଟ ଅନୁସାରେ, ସୁପ୍ରିମକୋର୍ଟରେ ଏବେ ୩୪ଜଣ ବିଚାରପତି ଅଛନ୍ତି। ଡିସେମ୍ବର ତୃତୀୟ ସପ୍ତାହରେ ଜଷ୍ଟିସ ସଞ୍ଜୟ କୌଲ ଅବସର ନେଇଛନ୍ତି। ଆସନ୍ତା ବର୍ଷ ଅର୍ଥାତ ୨୦୨୪ରେ ୩ଜଣ ବିଚାରପତି ଅବସର ନେବାକୁ ଯାଉଛନ୍ତି। ଜଷ୍ଟିସ ଅନିରୁଦ୍ଧ ବୋସ ୨୦୨୪ ଏପ୍ରିଲରେ ଅବସର ନେଉଥିବାବେଳେ ମଇରେ ଜଷ୍ଟିସ ଏଏସ ବୋପନ୍ନା ଏବଂ ସେପ୍ଟେମ୍ବରରେ ଜଷ୍ଟିସ ହିମା କୋହଲି ଅବସର ନେଉଛନ୍ତି। ତେବେ ଏହି ୩ବିଚାରପତିଙ୍କ ଅବସର ସମୟ ଧାର୍ଯ୍ୟ କରାଯାଇ ସାରିଛି।

ଜଷ୍ଟିସ ହିମା କୋହଲିଙ୍କ ଅବସର ପରେ ଶୀର୍ଷ କୋର୍ଟରେ ୨ଜଣ ମହିଳା ବିଚାରପତି ରହିବେ। ଏହି ୩ବିଚାରପତି ସୁପ୍ରିମକୋର୍ଟରେ ସର୍ବାଧିକ ୪ବର୍ଷ କାମ କରିଛନ୍ତି। ସେହିପରି ଆସନ୍ତାବର୍ଷ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୂଡ ଅବସର ନେଉଛନ୍ତି। ତାଙ୍କର କାର୍ଯ୍ୟକାଳ ୨୦୨୪ ନଭେମ୍ବରରେ ଶେଷ ହେଉଛି। ଏହାପରେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଭାବେ ସଞ୍ଜୀବ ଖନ୍ନା ନିଯୁକ୍ତି ହେବେ। ତାଙ୍କର କାର୍ଯ୍ୟକାଳ ୨୦୨୪ ନଭେମ୍ବର ୧୧ରେ ଆରମ୍ଭ ହୋଇ ୨୦୨୫ ମଇ ୧୩ରେ ଶେଷ ହେବ। ଚନ୍ଦ୍ରଚୂଡ ସିଜେଆଇ ହେବା ପରେ ଅନେକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରି ଲୋକପ୍ରିୟ ହୋଇଛନ୍ତି। ଶୁଣାଣି ସମୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ଦେଇ ସେ ଚର୍ଚ୍ଚାରେ ରହିଛନ୍ତି। ତାଙ୍କର ଉଲ୍ଲେଖନୀୟ ଶୁଣାଣି ଗୁଡିକ ହେଲା, ଦିଲ୍ଲୀ ସରକାର-ରାଜ୍ୟପାଳ ବିବାଦ, ମହାରାଷ୍ଟ୍ର ରାଜନୈତିକ ସଙ୍କଟ, ସମଲିଙ୍ଗୀ ବିବାହ, ପ୍ରେସ ସ୍ବାଧୀନତା, ପୈତୃକ ସମ୍ପତ୍ତି ମାମଲା, ମଣିପୁର ହିଂସା, ଜମ୍ମୁ-କଶ୍ମିର ଉଚ୍ଛେଦ ମାମଲା ଇତ୍ୟାଦି।

ସିଜେଆଇ ଚନ୍ଦ୍ରଚୂଡଙ୍କ ନେତୃତ୍ୱରେ ଶୀର୍ଷ କୋର୍ଟ ଜାନୁୟାରୀ ୧ରୁ ଡିସେମ୍ବର ୧୫ ୨୦୨୩ ଭିତରେ ୫୨ହଜାର ୧୯୧ଟି ମାମଲାର ଶୁଣାଣି କରି ରେକର୍ଡ ସୃଷ୍ଟି କରିଛି। ଗତବର୍ଷ କୋର୍ଟ ୪୦ହଜାର ମାମଲାର ଶୁଣାଣି କରିଥିଲା।

Share