ନୂଆଦିଲ୍ଲୀ, ୨୦ା୫(ପି.ଟି.): ୧୯୯୪ରେ ବିହାର ଗୋପାଳଗଞ୍ଜ ଜିଲାପାଳ ଜି. କ୍ରିଷ୍ଣେୟାଙ୍କୁ ହତ୍ୟା ମାମଲାରେ ଆଜୀବନ ଜେଲଦଣ୍ଡ ଭୋଗୁଥିବା ପୂର୍ବତନ ଏମ୍ପି ଆନନ୍ଦ ମୋହନଙ୍କ ଦଣ୍ଡ କୋହଳ କରାଯାଇ ଅବଧି ପୂର୍ବରୁ ମୁକ୍ତ କରାଯିବା ଘଟଣାରେ ସୁପ୍ରିମକୋର୍ଟ ବିହାର ସରକାରଙ୍କୁ ଜବାବ ମାଗିଛନ୍ତି। ଆନନ୍ଦ ମୋହନଙ୍କ ଦଣ୍ଡ କୋହଳ କରାଯିବା ସମ୍ପର୍କିତ ସମସ୍ତ ମୂଳ ରେକର୍ଡ ଦାଖଲ କରିବା ପାଇଁ ଶୁକ୍ରବାର ସର୍ବୋଚ୍ଚ ଅଦାଲତ ରାଜ୍ୟ ସରକାରଙ୍କୁ କହିଛନ୍ତି। ମାମଲାର ଶୁଣାଣିକୁ ଅଧିକ ଦିନ ସ୍ଥଗିତ ରଖାଯାଇପାରିବ ନାହିଁ ବୋଲି ଜଷ୍ଟିସ ସୂର୍ଯ୍ୟ କାନ୍ତ ଏବଂ ଜେ.ବି. ପର୍ଡିଓ୍ବାଲାଙ୍କ ଖଣ୍ଡପୀଠ ବିହାର ସରକାରଙ୍କ ଓକିଲ ମନୀଷ କୁମାରଙ୍କୁ କହିବା ସହ ତୁରନ୍ତ ସମସ୍ତ ରେକର୍ଡ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ରେକର୍ଡ ଦାଖଲ ପାଇଁ ମନୀଷ ସମୟ ଚାହିଁବାରୁ ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୮କୁ ଧାର୍ଯ୍ୟ କରାଯାଇଛି। ଆନନ୍ଦ ମୋହନଙ୍କୁ ଜେଲ୍ରୁ ମୁକ୍ତ କରାଯିବା ଘଟଣାକୁ କ୍ରିଷ୍ଣେୟାଙ୍କ ସ୍ତ୍ରୀ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ।