ପ୍ରବାସୀ ଶିଶୁଙ୍କ ସଂଖ୍ୟା ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୪ା୪: ଦେଶବ୍ୟାପୀ କୋଭିଡ୍‌-୧୯ ମହାମାରୀ ସଂକ୍ରମଣ ବଢ଼ିଚାଲିଥିବାବେଳେ ପ୍ରବାସୀ ଶ୍ରମିକମାନଙ୍କ ଦୁଃଖ ବହୁଗୁଣିତ ହେବାରେ ଲାଗିଛି। ଗତବର୍ଷ ଲକ୍‌ଡାଉନ୍‌ ବେଳେ ମହାମାରୀ ପ୍ରବାସୀ ପରିବାରଗୁଡ଼ିକର ଦୁର୍ଦ୍ଦଶା ବଢ଼ାଇଦେଇଥିଲା। ଏହାକୁ ଦୃଷ୍ଟିରେ ରଖି ପ୍ରବାସୀଙ୍କ ଛୋଟ ଛୋଟ ପିଲାଙ୍କ ସଂଖ୍ୟା କେତେ ଓ ସେମାନେ କେଉଁ ସ୍ଥିତିରେ ଅଛନ୍ତି ସେନେଇ ରାଜ୍ୟଗୁଡ଼ିକୁ ମଙ୍ଗଳବାର ସୁପ୍ରିମକୋର୍ଟ ରିପୋର୍ଟ ମାଗିଛନ୍ତି। କରୋନା ମହାମାରୀ ସମୟରେ ପ୍ରବାସୀ ଶିଶୁଙ୍କ ମୌଳିକ ଅଧିକାରଗୁଡ଼ିକର ସୁରକ୍ଷା ନିମନ୍ତେ ସୁପ୍ରିମକୋର୍ଟରେ ଏକ ଆବେଦନ କରାଯାଇଥିଲା। ଚାଇଲ୍ଡ ରାଇଟ୍ସ ଟ୍ରଷ୍ଟ ଏବଂ ବେଙ୍ଗାଲୁରୁର ଜଣେ ବାସିନ୍ଦାଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଜୟନା କୋଠାରୀ ଏକ ପିଟିଶନ ଦାଏର କରିଥିଲେ। ଗତବର୍ଷ ମହାମାରୀ ପ୍ରଭାବର ଗମ୍ଭୀରତାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଦେଶବ୍ୟାପୀ ଲକ୍‌ଡାଉନ୍‌ ଘୋଷଣା କରିଥିତ୍ବାବେଳେ ପ୍ରବାସୀଙ୍କ ପିଲାମାନେ ସର୍ବାଧିକ ପ୍ରଭାବିତ ହୋଇଥିଲେ। ପ୍ରବାସୀ ଶିଶୁଙ୍କ ଶିକ୍ଷା, ସ୍ବାସ୍ଥ୍ୟ ଓ ପୁଷ୍ଟିକର ଖାଦ୍ୟ ଭଳି ମୌଳିକ ଅଧିକାର ସୁନିଶ୍ଚିତ କରିବା ଲାଗି ଉପଯୁକ୍ତ ନିର୍ଦ୍ଦେଶନାମା ଜାରି ପାଇଁ ଆବେଦନକାରୀ ଅନୁରୋଧ କରିଥିଲେ। ସଂକ୍ରମଣର ଦ୍ୱିତୀୟ ଲହରର ପ୍ରକୋପ ଦେଖିବାକୁ ମିଳିଥିବାବେଳେ ସିଜେଆଇ ଏସ୍‌.ଏ. ବୋବ୍‌ଡେଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ଖଣ୍ଡପୀଠ ମାର୍ଚ୍ଚ ୮ରେ ସବୁ ରାଜ୍ୟକୁ ପକ୍ଷଭୁକ୍ତ କରି ନୋଟିସ ଜାରି କରିଥିଲେ। ଖଣ୍ଡପୀଠ ସମସ୍ତ ରାଜ୍ୟକୁ ଏନେଇ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟଗୁଡ଼ିକର କାର୍ଯ୍ୟସ୍ଥଳରେ କେତେ ପ୍ରବାସୀ ପରିବାର ଅଛନ୍ତି। ସେମାନଙ୍କର କେତେ ଶିଶୁ ଓ ଛୋଟପିଲା ଅଛନ୍ତି। ପଞ୍ଚାୟତସ୍ତରରେ ସ୍ଥାନୀୟ ଅଧିକାରୀ ଓ ଓ୍ବାର୍ଡ ଅଫିସ ସହାୟତାରେ ଏହି ତଥ୍ୟ ସଂଗ୍ରହ କରି ଜବାବ ଦାଖଲ ପାଇଁ ଏଥିରେ ନିର୍ଦ୍ଦେଶ ରହିଛି।

 

Share