Categories: ଜାତୀୟ

କେନ୍ଦ୍ରକୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୩ା୫: ଜମ୍ମୁ-କଶ୍ମୀରର ସୀମା ପୁନଃ ନିର୍ଦ୍ଧାରଣକୁ ବିରୋଧ କରି ସୁପ୍ରିମକୋର୍ଟରେ ଏକ ପିଟିଶନ ଦାଖଲ କରାଯାଇଛି। ସର୍ବୋଚ୍ଚ ଅଦାଲତ ଶୁକ୍ରବାର ଏହାର ଶୁଣାଣି କରି କେନ୍ଦ୍ର ସରକାର, ଜମ୍ମୁ-କଶ୍ମୀର ପ୍ରଶାସନ ଓ ଭାରତର ନିର୍ବାଚନ କମିଶନ(ଇସିଆଇ)ଙ୍କୁ ଏହା ଉପରେ ଜବାବ ମାଗିଛନ୍ତି। ସୀମା ପୁନଃ ନିର୍ଦ୍ଧାରଣ କମିଶନ କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀରର ବିଧାନସଭା ଓ ଲୋକ ସଭା ନିର୍ବାଚନମଣ୍ଡଳୀଗୁଡ଼ିକର ସୀମା ପୁନଃ ନିର୍ଦ୍ଧାରଣ ପାଇଁ ନିକଟରେ ଚୂଡ଼ାନ୍ତ ରିପୋର୍ଟ ଦାଖଲ କରିଥିଲେ। ଏହା ଉପରେ ସରକାର ନିଷ୍ପତ୍ତି ନେବାକୁ ଯାଉଥିବା ବେଳେ ଶ୍ରୀନଗର ବାସିନ୍ଦା ହାଜି ଅବ୍‌ଦୁଲ ଗନି ଖାନ୍‌ ଏବଂ ଡ. ମହମ୍ମଦ ଆୟୁବ ମାଟ୍ଟୁ ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି। ଆବେଦନକାରୀ ଦ୍ୱୟଙ୍କ ମତରେ ସୀମା ପୁନଃ ନିର୍ଦ୍ଧାରଣ ସମ୍ବିଧାନର ନିୟମ ପରିପନ୍ଥୀ। ନିର୍ବାଚନମଣ୍ଡଳୀଗୁଡ଼ିକର ସୀମାରେ କୌଣସି ପରିବର୍ତ୍ତନ କରାଯାଇପାରିବ ନାହିଁ। ଜଷ୍ଟିସ୍‌ ସଞ୍ଜୟ କିଷାନ କୌଲ ଏବଂ ଏମ୍‌.ଏମ୍‌. ସୁନ୍ଦ୍ରେଶଙ୍କୁ ନେଇ ଗଠିତ ଖଣ୍ଡପୀଠ ୬ ସପ୍ତାହ ମଧ୍ୟରେ ଜବାବ ଦାଖଲ ପାଇଁ କେନ୍ଦ୍ର ସରକାରଙ୍କୁ ନୋଟିସ କରିଛନ୍ତି। ଅଗଷ୍ଟ ୩୦ରେ ଏହାର ପରବର୍ତ୍ତୀ ଶୁଣାଣି କରାଯିବ।

Share