Categories: ଜାତୀୟ

ସିସିଟିଭି ସଂଯୋଗ ନେଇ ହାଇକୋର୍ଟଙ୍କୁ ରିପୋର୍ଟ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, ୧୨ା୪ : କୋର୍ଟ ପରିସରରେ ସିସିଟିଭି ଲଗାଇବା କାର୍ଯ୍ୟର ଅଗ୍ରଗତି ସମ୍ପର୍କିତ ରିପୋର୍ଟ ଆମିକସ୍‌ କ୍ୟୁରି ସିଦ୍ଧାର୍ଥ ଲୁଥ୍ରାଙ୍କ ନିକଟରେ ଦାଖଲ କରିବା ଲାଗି ସୁପ୍ରିମକୋର୍ଟ ମଙ୍ଗଳବାର ଓଡ଼ିଶା ହାଇକୋର୍ଟ ସମେତ ସମସ୍ତ ଉଚ୍ଚ ଅଦାଲତଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଦେଶର କୋର୍ଟ ପରିସରରେ ସୁରକ୍ଷା ବଢ଼ାଇବାର ଲାଗି ସ୍ବତନ୍ତ୍ର ପଦକ୍ଷେପ ନେବା ଲାଗି ନିର୍ଦ୍ଦେଶ ଦେବାକୁ ସୁପ୍ରିମକୋର୍ଟରେ ଏକାଧିକ ପିଟିଶନ ଦାଏର ହୋଇଥିଲେ। ଜଷ୍ଟିସ୍‌ ରବୀନ୍ଦ୍ର ଭଟ୍ଟ ଏବଂ ଦୀପଙ୍କର ଦତ୍ତଙ୍କ ଖଣ୍ଡପୀଠ ସେଗୁଡ଼ିକର ଶୁଣାଣି କରିବା ଅବସରରେ ଉପରୋକ୍ତ ନିର୍ଦ୍ଦେଶ ଦେଇଛନ୍ତି। ଆମିକସ୍‌ କ୍ୟୁରିଙ୍କୁ ସହଯୋଗ କରିବା ଲାଗି ହାଇକୋର୍ଟଗୁଡ଼ିକୁ କୁହାଯାଇଛି।

ହାଇକୋର୍ଟ ରେଜିଷ୍ଟ୍ରାର ଜେନେରାଲମାନଙ୍କ ଭିଡିଓ କନ୍‌ଫରେନ୍ସ ବୈଠକର ସପ୍ତାହେ ପୂର୍ବରୁ ଆମିକସ୍‌ କ୍ୟୁରିଙ୍କ ପାଖରେ ସିସିଟିଭି ସ୍ଥାପନ ସମ୍ପର୍କିତ ତଥ୍ୟ ପହଞ୍ଚତ୍ବା ଆବଶ୍ୟକ ବୋଲି ସୁପ୍ରିମକୋର୍ଟ କହିିଛନ୍ତି। କୋର୍ଟ ପରିସରରେ ସିସିଟିଭି ଏବଂ ପ୍ରମାଣର ଅଡିଓ-ଭିଜୁଆଲ ରେକର୍ଡିଂର ବ୍ୟବହାର୍ଯ୍ୟତା ଉପରେ ହାଇକୋର୍ଟଗୁଡ଼ିକ ଜବାବ ରଖିବା ଆବଶ୍ୟକ ବୋଲି ଆମିକସ୍‌ କ୍ୟୁରି ସୁପ୍ରିମକୋର୍ଟଙ୍କୁ କହିଥିଲେ।

Share