Categories: ଜାତୀୟ

ବିବିସି ଡକ୍ୟୁମେଣ୍ଟାରି ବ୍ୟାନ୍‌ ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚାଲେଞ୍ଜ

ନୂଆଦିଲ୍ଲୀ,୩୦।୧(ପି.ଟି.) : ୨୦୦୨ ଗୁଜରାଟ ଦଙ୍ଗା ଉପରେ ବିବିସି ପ୍ରସ୍ତୁତ କରିଥିବା ଡକ୍ୟୁମେଣ୍ଟାରିକୁ କେନ୍ଦ୍ର ସରକାର ବେଆଇନ ଘୋଷଣା କରିବା ନିଷ୍ପତ୍ତିକୁ ଚାଲେଞ୍ଜ କରି ସୁପ୍ରିମକୋର୍ଟରେ ଜନସ୍ବାର୍ଥ ମାମଲା (ପିଆଇଏଲ୍‌) ଦାଏର ହୋଇଛି। ଏହା ଦୁର୍ଭାବନାପୂର୍ଣ୍ଣ, ସ୍ବେଚ୍ଛାଚାରୀ ଏବଂ ଅସାମ୍ବିଧାନିକ ବୋଲି ଅଭିଯୋଗ କରାଯାଇଥିଲା। ବିବିସି ଡକ୍ୟୁମେଣ୍ଟାରିର ଉଭୟ ଭାଗ ୧ ଏବଂ ୨ର ଅନୁଧ୍ୟାନ କରିବା ଲାଗି ଆବେଦନକାରୀ ଆଇନଜୀବୀ ଏମ୍‌.ଏଲ୍‌. ଶର୍ମା ସର୍ବୋଚ୍ଚ ଅଦାଲତଙ୍କୁ ଅନୁରୋଧ କରିଛନ୍ତି।

ଗୁଜରାଟ ଦଙ୍ଗା ପାଇଁ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ଯେଉଁମାନେ ଦାୟୀ, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଶର୍ମା ପିଟିଶନରେ ନିବେଦନ କରିଛନ୍ତି। ପିଆଇଏଲ୍‌ରେ ଶର୍ମା ସରକାରଙ୍କ ନିଷ୍ପତ୍ତି ଉପରେ ସାମ୍ବିଧାନିକ ପ୍ରଶ୍ନ ଉଠାଇଛନ୍ତି। ଅନୁଚ୍ଛେଦ ୧୯(୧)(୨) ଅନୁଯାୟୀ ଗୁଜରାଟ ଦଙ୍ଗା ଉପରେ ଖବର, ତଥ୍ୟ ଓ ରିପୋର୍ଟ ଦେଖିବା ଅଧିକାର ନାଗରିକମାନଙ୍କର ରହିଛି କି ନାହିଁ, ତାହା ସର୍ବୋଚ୍ଚ ଅଦାଲତ ନିଷ୍ପତ୍ତି ନେବାକୁ ସେ ନିବେଦନ କରିଛନ୍ତି। ଡକ୍ୟୁମେଣ୍ଟାରିକୁ ବ୍ୟାନ୍‌ କରିବା ଲାଗି ସୂଚନା ପ୍ରସାରଣ ମନ୍ତ୍ରଣାଳୟର ଗତ ୨୧ ତାରିଖ ନିର୍ଦ୍ଦେଶନାମାକୁ ଖାରଜ କରିବା ନିମନ୍ତେ ପିଆଇଏଲ୍‌ରେ ଅନୁରୋଧ କରାଯାଇଛି।

Share