Categories: ଜାତୀୟ

ବଦଳି ହେଲେ ଗୁଜୁରାଟ ହାଇକୋର୍ଟର ଜଷ୍ଟିସ ହେମନ୍ତ ଏମ ପ୍ରଚାକ; ମାନହାନି ମାମଲାରେ ରାହୁଲଙ୍କ ଆବେଦନକୁ କରିଥିଲେ ଖାରଜ

ନୂଆଦିଲ୍ଲୀ,୧୧।୮: ଦେଶର ବିଭିନ୍ନ ହାଇକୋର୍ଟର ୨୩ଜଣ ବିଚାରପତିଙ୍କୁ ବଦଳି କରିଛନ୍ତି ସୁପ୍ରିମକୋର୍ଟ କଲେଜିୟମ। ଯେଉଁ ବିଚାରପତମାନିଙ୍କୁ ବଦଳି କରାଯାଇଛି ସେମାନଙ୍କ ମଧ୍ୟରେ ଗୁଜୁରାଟ ହାଇକୋର୍ଟର ଜଷ୍ଟିସ ହେମନ୍ତ ଏମ ପ୍ରଚାକଙ୍କ ନାମ ମଧ୍ୟ ସାମିଲ ଅଛିି। ଜଷ୍ଟିସ ହେମନ୍ତ ମୋଦି ସାଙ୍ଗିଆ ଟିପ୍ପଣୀ ମାମଲାରେ ରାହୁଲ ଗାନ୍ଧୀଙ୍କ ଆବେଦନକୁ ଖାରଜ କରିଦେଇଥିଲେ। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ କିଶନ କୌଲ, ଜଷ୍ଟିସ ସଞ୍ଜୀବ ଖାନ୍ନା, ଜଷ୍ଟିସ ବି.ଆର ଗୋବାଇ ଏବଂ ଜଷ୍ଟିସ ସୂର୍ଯ୍ୟକାନ୍ତ ଏଥିରେ ସାମିଲ ଥିଲେ।

ଅଗଷ୍ଟ ୩ରେ ସୁପ୍ରିମକୋର୍ଟରେ କଲେଜିୟମ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଗୁଜୁରାଟ ହାଇକୋର୍ଟର ଚାରିଜଣ ବିଚାରପତି, ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟର ଚାରିଜଣ ବିଚାରପତି ଏବଂ ଆହ୍ଲାବାଦ ହାଇକୋର୍ଟର ଜଣେ ବିଚାରପତିଙ୍କୁ ବଦଳି କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା।

ଜଷ୍ଟିସ ହେମନ୍ତଙ୍କୁ ଗୁଜୁରାଟ ହାଇକୋର୍ଟରୁ ପାଟନା ହାଇକୋର୍ଟକୁ ବଦଳି କରାଯିବା ସହ ଗୁଜୁରାଟ ହାଇକୋର୍ଟର ଅନ୍ୟ ତିନିଜଣ ବିଚାରପତିଙ୍କୁ ସ୍ଥାନାନ୍ତର କରାଯାଇଛି। ଜଷ୍ଟିସ ଆଲପେଶ ୟ କୋଗଜେ, ଜଷ୍ଟିସ କୁମାରୀ ଗୀତା ଗୋପୀ ଏବଂ ଜଷ୍ଟିସ ସମୀର ଜେ ଡାଭେଙ୍କୁ ଯଥାକ୍ରମେ ଆହ୍ଲାବାଦ ହାଇକୋର୍ଟ, ମାଡ୍ରାସ ହାଇକୋର୍ଟ ଏବଂ ରାଜସ୍ଥାନ ହାଇକୋର୍ଟକୁ ପଠାଇବାକୁ ସୁପାରିଶ କରାଯାଇଛି।

ଅନ୍ୟପକ୍ଷରେ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟର ଜଷ୍ଟିସ ଅରବିନ୍ଦ ସିଂ ସାଙ୍ଗୱାନ, ଜଷ୍ଟିସ ଅବନୀଶ ଜିଙ୍ଗାନ, ଜଷ୍ଟିସ ରାଜ ମୋହନ ସିଂ ଏବଂ ଜଷ୍ଟିସ ଅରୁଣ ମୋଙ୍ଗାଙ୍କୁ ଆହ୍ଲାବାଦ ହାଇକୋର୍ଟ, ଗୁଜୁରାଟ ହାଇକୋର୍ଟ, ମଧ୍ୟପ୍ରଦେଶ ହାଇକୋର୍ଟ ଏବଂ ରାଜସ୍ଥାନ ହାଇକୋର୍ଟକୁ ପଠାଇବାକୁ ପରାମର୍ଶ ଦିଆଯାଇଛି। ଆହ୍ଲାବାଦ ହାଇକୋର୍ଟର ଜଷ୍ଟିସ ବିବେକ କୁମାର ସିଂଙ୍କୁ ମାଡ୍ରାସ ହାଇକୋର୍ଟ ପଠାଇବାକୁ ସୁପାରିଶ କରାଯାଇଛି।

Share