ସିଏ ଛାତ୍ରଙ୍କ ପାଇଁ ବଡ଼ ଘୋଷଣା: ପରୀକ୍ଷା ଦେଇପାରି ନ ଥିବା ଛାତ୍ରୀଛାତ୍ରଙ୍କୁ ମିଳିବ ସୁଯୋଗ

ନୂଆଦିଲ୍ଲୀ,୨୯।୬: ଦେଶରେ କରୋନା ଭାଇରସ୍‌ ସଂକ୍ରମଣ ସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ନିକଟରେ ଛାତ୍ରମାନେ ‘ଅପ୍ଟ ଆଉଟ୍‌’ ସମ୍ବନ୍ଧରେ ସୁପ୍ରିମକୋର୍ଟରେ ଏକ ଆବେଦନ କରିଥିଲେ। ତେବେ ଏହି ଆବେଦନର ଶୁଣାଣି କରି ସୋମବାର ସୁପ୍ରିମକୋର୍ଟ ଛାତ୍ରୀଛାତ୍ରମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ଚଳିତ ବର୍ଷ ଯେଉଁ ଛାତ୍ରମାନେ ସିଏ ପରୀକ୍ଷା ଦେବା ପାଇଁ ଅସମର୍ଥ ହେବେ, ସେମାନଙ୍କୁ ‘ଅପ୍ଟ ଆଉଟ୍‌’ କେସ୍‌ ଭାବେ ବିବେଚିତ କରାଯିବ ବୋଲି ଇନଷ୍ଟିଚ୍ୟୁଟ ଅଫ୍‌ ଚାଟାର୍ଡ ଆକାଉଣ୍ଟାଣ୍ଟ୍ସ ଅଫ୍‌ ଇଣ୍ଡିଆ(ଆଇସିଏଆଇ)କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଅର୍ଥାତ୍‌ କରୋନା ଯୋଗୁ ଯଦି କୌଣସି ସିଏ ଛାତ୍ରୀଛାତ୍ର ପରୀକ୍ଷା ଦେବାରୁ ବଞ୍ଚିତ ହୁଅନ୍ତି ତେବେ ସେମାନଙ୍କୁ ପୁଣି ଥରେ ପରୀକ୍ଷା ଦେବା ପାଇଁ ମିଳିବ ସୁଯୋଗ। ସୂଚନାଯୋଗ୍ୟ, ଦେଶରେ କରୋନା ସଂକ୍ରମଣ ପ୍ରତିଦିନ ହୁ ହୁ ହୋଇ ବ୍ୟାପିବାରେ ଲାଗିଛି। ଯଦି କୌଣସି ଛାତ୍ର ଅପ୍ଟ ଆଉଟ୍‌ ଅପଶନ୍‌କୁ ଚୟନ କରିନାହାନ୍ତି କିନ୍ତୁ ତାଙ୍କ ଅଞ୍ଚଳ ହଠାତ୍‌ କଣ୍ଟେନମେଣ୍ଟ ଜୋନ ଘୋଷଣା ହେଉଛି, ତେବେ ଉକ୍ତ ଛାତ୍ର ପରୀକ୍ଷା ଦେଇପାରିବେ ନାହିଁ। ଏଭଳି ସ୍ଥିତିରେ ଆଇସିଏଆଇ ଉକ୍ତ ଛାତ୍ରଙ୍କୁ ଅପ୍ଟ ଆଉଟ୍‌ କେସ୍‌ ଭାବେ ଗ୍ରହଣ କରିବେ। ପରବର୍ତ୍ତୀ ସମୟରେ ଉକ୍ତ ଛାତ୍ରଙ୍କୁ ପରୀକ୍ଷା ଦେବାକୁ ସୁଯୋଗ ମିଳିବ ବୋଲି ସୁପ୍ରିମକୋ ସ୍ପଷ୍ଟ କରିଛନ୍ତି। ସୂଚନା ମୁତାବକ ଇନଷ୍ଟିଚ୍ୟୁଟ ଅଫ୍‌ ଚାଟାର୍ଡ ଆକାଉଣ୍ଟାଣ୍ଟ୍ସ ଅଫ୍‌ ଇଣ୍ଡିଆର ଜୁନରେ ହେବାକୁ ଥିବା ସିଏ ପରୀକ୍ଷା ଏବେ ଜୁଲାଇ ୨୯ରେ ଆୟୋଜିତ ହେବ।

 

 

Share