ନୂଆଦିଲ୍ଲୀ,୪।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପିତାଙ୍କୁ ନେଇ ଆପତ୍ତିଜନକ ମନ୍ତବ୍ୟ ଦେବା ମାମଲାରେ କଂଗ୍ରେସ ନେତା ପୱନ ଖେରାଙ୍କୁ ବଡ଼ ଝଟକା ଲାଗିଛି। ଖେରାଙ୍କ ବିରୋଧରେ ପଞ୍ଜୀକୃତ ହୋଇଥିବା ଏଫଆଇଆର ତଥା ଆପରାଧିକ କାର୍ଯ୍ୟାନୁଷ୍ଠାନକୁ ରଦ୍ଦ କରିବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି। ଗୁରୁବାର ସୁପ୍ରିମକୋର୍ଟରେ ଜଷ୍ଟିସ ବି ଆର ଗାଭାଇ ଏବଂ ଜଷ୍ଟିସ ସନ୍ଦୀପ ମେହେଟ୍ଟାଙ୍କ ବେଞ୍ଚ କହିଛନ୍ତି ଯେ, ଆମେ ହାଇକୋର୍ଟଙ୍କ ଆଦେଶରେ ହସ୍ତକ୍ଷେପ କରିବାକୁ ଇଚ୍ଛୁକ ନୁହେଁ। ବେଞ୍ଚ କହିଛି, କ୍ଷମା କରିବେ, ଆମର କୌଣସି ଉଦ୍ଦେଶ୍ୟ ନାହିଁ।
ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ଭୁଲ ମନ୍ତବ୍ୟ ଦେଇଥିବାରୁ ଖେରାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା। ଏହାକୁ ରଦ୍ଦ କରିବାକୁ କଂଗ୍ରେସ ନେତା ସୁପ୍ରିମକୋର୍ଟରେ ଏକ ଆବେଦନ କରିଥିଲେ ମଧ୍ୟ ଗୁରୁବାର ଶୁଣାଣି ପରେ କୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ଏଫଆଇଆର ରଦ୍ଦ ହେବ ନାହିଁ। ଜଷ୍ଟିସ ବି ଆର ଗାଭାଇ ଏବଂ ଜଷ୍ଟିସ ସନ୍ଦୀପ ମେହେଟ୍ଟାଙ୍କ ଏକ ବେଞ୍ଚ ଗୁରୁବାର ଖେରାଙ୍କ ଆବେଦନ ଉପରେ ଶୁଣାଣି କରିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି, ଆପଣଙ୍କୁ ନିମ୍ନ ଅଦାଲତରେ ବିଚାରର ସମ୍ମୁଖୀନ ହେବାକୁ ପଡ଼ିବ।