Categories: ଜାତୀୟ

ଗିରଫ ପୂର୍ବରୁ ଲିଖିତ କାରଣ ଦର୍ଶାଇବ ଇଡି: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୪।୧୦: ଗିରଫ କରିବା ପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଲିଖିତ ଆକାରରେ କାରଣ ଦର୍ଶାଇବାକୁ ପଡ଼ିବ। ଏକ ମାମଲାର ଶୁଣାଣି କରି ଏପରି ରାୟ ଦେଇଛନ୍ତି ସୁପ୍ରିମକୋର୍ଟ। କୋର୍ଟ କହିଛନ୍ତ, ଇଡି ପକ୍ଷରୁ ଏକପାଖିଆ ଓ ମନମୁଖୀ ଆଚରଣ ଆଶା କରାଯାଇପାରିବ ନାହିଁ। ଜଷ୍ଟିସ ଏସ ବୋପାନ୍ନା ଏବଂ ଜଷ୍ଟିସ ପିଭି ସଞ୍ଜୟ କୁମାରଙ୍କ ବେଞ୍ଚ କହିଛନ୍ତି, ଅଭିଯୁକ୍ତଙ୍କୁ ଗିରଫ କରିବା ପୂର୍ବରୁ ଲିଖିତ ଭାବେ କାରଣ ଦର୍ଶାଇବା ଉଚିତ୍‌। ତେବେ ତଦନ୍ତ ସ୍ବଚ୍ଛ ରଖିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ରିଅଲ ଇଷ୍ଟେଟ ଗ୍ରୁପ ଏମ୩ଏମର ନିର୍ଦ୍ଦେଶକ ପଙ୍କଜ ବନସଲ ଏବଂ ବସନ୍ତ ବନସଲଙ୍କ ଏକ ଆବେଦନ ଉପରେ ସୁପ୍ରିମକୋର୍ଟ ଶୁଣାଣି କରିଥିଲେ। ଏହି ଆବେଦନରେ ଉଭୟ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟଙ୍କ ଆଦେଶକୁ ଚ୍ୟାଲେଞ୍ଜ କରିଥିଲେ। ଯେଉଁଥିରେ କୋର୍ଟ ପିଏଏଲଏ ଅଧୀନରେ ସେମାନଙ୍କ ଗିରଫଦାରୀ ଉପରେ ରୋକ୍‌ ଲଗାଇବାକୁ ମନା କରିଦେଇଥିଲେ।

ଶୁଣାଣି ସମୟରେ ସୁପ୍ରିମକୋର୍ଟ ଜାଣିବାକୁ ପାଇଲେ ଯେ ଗିରଫ ସମୟରେ ଉଭୟ ଅଭିଯୁକ୍ତଙ୍କୁ କେବଳ ମୌଖିକ ଅଭିଯୋଗ ସମ୍ପର୍କରେ ଅବଗତ କରାଯାଇଥିଲା ଏବଂ ଲିଖିତ ଆକାରରେ କିଛି ଦିଆଯାଇ ନ ଥିଲା। ଏନେଇ କୋର୍ଟ ଏଥିରେ ଅସନ୍ତୋଷ ପ୍ରକାଶ କରିଥିଲେ। କୋର୍ଟ କହିଛନ୍ତି, ଇତିହାସକୁ ଦେଖିଲେ ଜଣାପଡୁଛି କି, ଇଡି କିପରି ଭୁଲ ପର୍ଯ୍ୟାୟରେ ତଦନ୍ତ କରୁଛି।

ସୁପ୍ରିମକୋର୍ଟ ପଙ୍କଜ ଓ ବସନ୍ତ ବନସାଲଙ୍କ ଗିରଫକୁ ବେଆଇନ ଘୋଷଣା କରିଛନ୍ତି। କୋର୍ଟ ଏହି ମାମଲାର ଶୁଣାଣିରେ କହିଛନ୍ତ, ଗିରଫ ଅଧିକାରୀ ଗିରଫର କାରଣକୁ କେବଳ ମୌଖିକଭାବେ ସ୍ପଷ୍ଟ କରିଛନ୍ତି। ଏହା ସମ୍ବିଧାନର ଧାରା ୨୨(୧) ଓ ପିଏମଏଲଏ ଆକ୍ଟର ୧୯(୧)କୁ ଉଲ୍ଲଂଘନ କରୁଛି। ଇଡି ହେଉଛି ଦେଶର ପ୍ରମୁଖ ଯାଞ୍ଚ ଏଜେନ୍ସି। ଏଭଳି ପରିସ୍ଥିତିରେ ତାଙ୍କ କାନ୍ଧରେ ବହୁତ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ରହିଛି। ତେଣୁ ପ୍ରତ୍ୟେକ କାର୍ଯ୍ୟରେ ସ୍ବଚ୍ଛତା ଓ ଉତ୍ତରଦାୟିତ୍ୱ ମଧ୍ୟ ରହିବା ଉଚିତ୍‌ ବୋଲି କୋର୍ଟ କହିଛନ୍ତି।

Share