Categories: ଜାତୀୟ

୨୬ ସପ୍ତାହ ଭ୍ରୁଣ ଗର୍ଭପାତ ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ…

ନୂଆଦିଲ୍ଲୀ,୧୬।୧୦ : ସୁପ୍ରିମକୋର୍ଟ ୨୬ ସପ୍ତାହର ଭ୍ରୁଣ ଗର୍ଭପାତ କରିବାକୁ ଚାହୁଁଥିବା ମହିଳାଙ୍କ ଆବେଦନକୁ ଖାରଜ କରିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଏମ୍ସ ରିପୋର୍ଟ ଅନୁଯାୟୀ ଭ୍ରୁଣରେ କୌଣସି ଅସ୍ବାଭାବିକତା ନାହିଁ। ଏମ୍ସ କର୍ତ୍ତୃପକ୍ଷ ଠିକ ସମୟରେ ଡେଲିଭରୀ କରିବେ।

ସୋମବାର କୋର୍ଟ କହିଛନ୍ତି ଗର୍ଭସ୍ଥ ଶିଶୁ ସୁସ୍ଥ ରହିଛି। ଯଦି ଗର୍ଭଧାରଣ ୨୪ ସପ୍ତାହରୁ ଅଧିକ ହୁଏ, ତେବେ ଗର୍ଭପାତ ଅନୁମତି ଦିଆଯାଇପାରିବ ନାହିଁ। ମହିଳାଙ୍କ ଗର୍ଭଧାରଣ ୨୬ ସପ୍ତାହ ପାଞ୍ଚ ଦିନ ଥିଲା। ଏହି ମାମଲାରେ ମହିଳାଙ୍କ ପାଇଁ କୌଣସି ବିପଦ ନାହିଁ ଏବଂ ଏହା ଅସ୍ବାଭାବିକ ଭ୍ରୁଣ ମାମଲା ନୁହେଁ। ତେଣୁ ଗର୍ଭପାତ ପାଇଁ ଅନୁମତି ଦିଆଯାଇ ପାରିବ ନାହିଁ।

ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୂଡ଼, ଜଷ୍ଟିସ ଜେ.ବି ପାରଦୀୱାଲା ଏବଂ ମନୋଜ ମିଶ୍ରଙ୍କ ଏକ ଖଣ୍ଡପୀଠ ଅକ୍ଟୋବର ୯ ର ସର୍ବୋଚ୍ଚ ନ୍ୟାୟାଳୟର ଆଦେଶକୁ ପ୍ରତ୍ୟାହାର କରିବାକୁ କେନ୍ଦ୍ରର ଆବେଦନ ଉପରେ ଶୁଣାଣି କରିଥିଲେ।

ଗୁରୁବାର ସମାନ ମାମଲାର ଶୁଣାଣି ବେଳେ ଖଣ୍ଡପୀଠକହିଥିଲେ ଆମେ ଶିଶୁକୁ ହତ୍ୟା କରିପାରିବୁ ନାହିଁ। ଏଥିସହ ଖଣ୍ଡପୀଠ କହିଥିଲେ ଏକ ଜନ୍ମିତ ଶିଶୁର ଅଧିକାର ଏବଂ ମା’ଙ୍କ ସ୍ବାସ୍ଥ୍ୟ ଆଧାରରେ ନିଷ୍ପତ୍ତି ନେବା ଅଧିକାର ମଧ୍ୟରେ ସନ୍ତୁଳନ ସ୍ଥାପନ କରିବାର ଆବଶ୍ୟକତା ରହିଛି। ଅକ୍ଟୋବର ୧୦ ରେ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ (ଏମ୍ସ) ମେଡିକାଲ ବୋର୍ଡର ଜଣେ ଡାକ୍ତର ଏକ ଇ-ମେଲ ପଠାଇବା ପରେ ଏହି ସମସ୍ୟା ଉପୁଜିଥିଲା। କୁହାଯାଇଥିଲା ଯଦି ଏହି ପର୍ଯ୍ୟାୟରେ ଗର୍ଭପାତ କରାଯାଏ ତେବେ ଗର୍ଭସ୍ଥ ଶିଶୁର ବଞ୍ଚିବାର ସମ୍ଭାବନା ଅଛି। ଏହାପୂର୍ବରୁ ବୋର୍ଡ ଉକ୍ତ ମହିଳାଙ୍କ ଅନୁସନ୍ଧାନ କରି ଅକ୍ଟୋବର ୬ରେ ସର୍ବୋଚ୍ଚ ନ୍ୟାୟାଳୟରେ ରିପୋର୍ଟ ଉପସ୍ଥାପନ କରିଥିଲେ।

ଅକ୍ଟୋବର ୯ ରେ, ମହିଳା ଜଣକ ଉଦାସୀନତା ଏବଂ ଭାବପ୍ରବଣ ହେବା ସହିତ ଆର୍ଥିକସ୍ତରରେ ତୃତୀୟ ସନ୍ତାନ ଲାଳନପାଳନ ସ୍ଥିତିରେ ନ ଥିବା ଦର୍ଶାଇ ମହିଳାଙ୍କୁ ତାଙ୍କ ଗର୍ଭପାତ ମେଡିକାଲରେ କରିବାକୁ କୋର୍ଟ ଅନୁମତି ଦେଇଥିଲେ।

 

Share