Categories: ଜାତୀୟ

ଜାତିଗତ ସର୍ଭେ ତଥ୍ୟ ପ୍ରକାଶନରେ ରୋକ ଲଗାଇଲେନି ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୭ା୧୦: ବିହାର ସରକାର ଜାତିଗତ ସର୍ଭେ ତଥ୍ୟ ପ୍ରକାଶ କରିଥିବାରୁ ସୁପ୍ରିମକୋର୍ଟ ଶୁକ୍ରବାର ଏନେଇ ପ୍ରଶ୍ନ ଉଠାଇଛନ୍ତି। ତେବେ ଜାତି ଜନଗଣନା ସମ୍ପର୍କିତ ଅଧିକ ତଥ୍ୟ ପ୍ରକାଶ କରିବା ଉପରେ ରୋକ୍‌ ଲଗାଇବାକୁ ସର୍ବୋଚ୍ଚ ଅଦାଲତ ମନା କରିଦେଇଛନ୍ତି। ଜାତି ଜନଗଣନା କରିବା କ୍ଷମତା ରାଜ୍ୟ ସରକାରଙ୍କର ଅଛି କି ନାହିଁ, ତାହା ଅଦାଲତ ଅନୁଧ୍ୟାନ କରିବେ ବୋଲି କହିଛନ୍ତି। ବିହାରରେ ଜାତି ଜନଗଣନାକୁ ପାଟନା ହାଇକୋର୍ଟ ଅନୁମତି ଦେଇଥିଲେ। ହାଇକୋର୍ଟଙ୍କ ଅଗଷ୍ଟ ୧ ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଅନେକ ପିଟିଶନ ଦାଏର ହୋଇଥିଲା। ଜଷ୍ଟିସ୍‌ ସଞ୍ଜୀବ ଖାନ୍ନା ଏବଂ ଏସ୍‌.ଭି.ଏନ୍‌. ଭଟ୍ଟିଙ୍କ ଖଣ୍ଡପୀଠ ଏନେଇ ବିହାର ସରକାରଙ୍କୁ ନୋଟିସ୍‌ ଜାରି କରିବା ସହ ପରବର୍ତ୍ତୀ ଶୁଣାଣି ୨୦୨୪ ଜାନୁୟାରୀକୁ ଧାର୍ଯ୍ୟ କରିଛନ୍ତି। ସ୍ଥଗିତାଦେଶ ପୂର୍ବରୁ ରାଜ୍ୟ ସରକାର କେତେକ ତଥ୍ୟ ପ୍ରକାଶ କରିଦେଇଥିବାରୁ ପରବର୍ତ୍ତୀ ତଥ୍ୟ ପ୍ରକାଶନ ଉପରେ ସମ୍ପୂର୍ଣ୍ଣ ସ୍ଥଗିତାଦେଶ ଲଗାଇବା ପାଇଁ ଆବେଦନକାରୀମାନେ କରିଥିବା ଆବେଦନକୁ ଖଣ୍ଡପୀଠ ଖାରଜ କରିଦେଇଛନ୍ତି। ନୀତିଗତ ନିଷ୍ପତ୍ତି ନେବାରେ ଆମେ ସରକାରଙ୍କୁ ଅଟକାଇ ପାରିବୁ ନାହିଁ। ରାଜ୍ୟ ସରକାରଙ୍କ ଜାତିଗତ ସର୍ଭେ କରିବା କ୍ଷମତା ଅଛି କି ନାହିଁ, ଅନୁଧ୍ୟାନ କରିବୁ ବୋଲି ଖଣ୍ଡପୀଠ କହିଥିଲେ।
ଅନ୍ୟପକ୍ଷରେ ବିହାର ସରକାର କାହିଁକି ତଥ୍ୟ ପ୍ରକାଶ କଲେ ବୋଲି ସର୍ବୋଚ୍ଚ ଅଦାଲତ ପ୍ରଶ୍ନ କରିଥିଲେ। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଅପରାଜିତା ସିଂ କହିଥିଲେ, ଏହି ମାମଲାରେ ଗୋପନୀୟତାର ଉଲ୍ଲଂଘନ ହୋଇଛି। ହାଇକୋର୍ଟଙ୍କ ନିର୍ଦ୍ଦେଶ ଭୁଲ୍‌ ଥିବା ସେ ଦର୍ଶାଇଥିଲେ। ବେଆଇନ ଭାବେ ତଥ୍ୟ ସଂଗ୍ରହ କରାଯାଇଥିବାରୁ ଏହାକୁ ସରକାର ଯୋଜନା ପ୍ରସ୍ତୁତିରେ ଲଗାଇପାରିବେ ନାହିଁ ବୋଲି ସିଂ କହିଥିଲେ। ତେବେ ଜାତିଗତ ସର୍ଭେରେ କୌଣସି ବ୍ୟକ୍ତିଙ୍କ ନାଁ ପ୍ରକାଶ ପାଇ ନ ଥିବାରୁ ଏହାକୁ ଗୋପନୀୟତାର ଉଲ୍ଲଂଘନ କହିବା ଠିକ୍‌ ନୁହେଁ ବୋଲି ଖଣ୍ଡପୀଠ କହିଥିଲେ।

Share