Categories: ଜାତୀୟ

ଅସନ୍ତୋଷ ବ୍ୟକ୍ତ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, ୫ା୫: ହାଇକୋର୍ଟଗୁଡ଼ିକରେ ବହୁ ଆପରାଧିକ ମାମଲାର ଅପିଲ ବିଚାର ନ ହୋଇ ପଡ଼ିରହିଥିବାରୁ ବୁଧବାର ସୁପ୍ରିମକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏଥିସହ ଗତ ୩୦ରୁ ୪୦ ବର୍ଷ ମଧ୍ୟରେ କେଉଁ ହାଇକୋର୍ଟରେ ଅଧିକ ସଂଖ୍ୟକ ମାମଲା ଗଡ଼ୁଛି ବୋଲି ରିପୋର୍ଟ ମାଗିଛନ୍ତି। ଜଷ୍ଟିସ୍‌ ଏଲ୍‌ ନାଗେଶ୍ୱର ରାଓ ଏବଂ ବି. ଆର୍‌ ଗବାଇଙ୍କୁ ନେଇ ଗଠିତ ଖଣ୍ଡପୀଠ ଉଚ୍ଚ ଅଦାଲତରେ ବିଚାରାଧୀନ ମାମଲା ବୋଝ ହ୍ରାସ ନିମନ୍ତେ ଦେଶର ଅନ୍ୟ ଅଦାଲତଗୁଡ଼ିକୁ ପ୍ରସ୍ତାବ ମାଗିଛନ୍ତି।

ଖଣ୍ଡପୀଠ କହିଛନ୍ତି, ଆଲ୍ଲାହାବାଦ ହାଇକୋର୍ଟରେ ୪୦ ବର୍ଷ ପୁରୁଣା ଅପିଲ ପିଟିଶନର ଶୁଣାଣି ନ ହେବା ଭଳି ଦୃଷ୍ଟାନ୍ତ ଅତ୍ୟନ୍ତ ଚିନ୍ତାଜନକ। ମଧ୍ୟପ୍ରଦେଶ ହାଇକୋର୍ଟ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଆଇନଜୀବୀ କହିଥିଲେ, ସର୍ବୋଚ୍ଚ ଅଦାଲତ ମାଗିଥିବା ରିପୋର୍ଟ ଦାଖଲ କରାସରିଛି। ଉତ୍ତରପ୍ରଦେଶର ଖୁର୍ସିଦ ଅହମ୍ମଦଙ୍କୁ ଆଇପିସି ଦଫା ୩୦୨ ବଳରେ ଦୋଷୀ ସାବ୍ୟସ୍ତ କରି ଦଣ୍ଡାଦେଶ ଦିଆଯାଇଥିଲା। ଆଲ୍ଲାହାବାଦ ହାଇକୋର୍ଟରେ ଖୁର୍ସିଦ ଏହାକୁ ଚ୍ୟାଲେଞ୍ଜ କରିଥିବାବେଳେ ଅଦ୍ୟାବଧି ତାହାର ଫଇସଲା ହୋଇପାରିନାହିଁ। ତେଣୁ ସେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି, ଯାହାର ଶୁଣାଣି ଚାଲିଛି। ରାଜ୍ୟଗୁଡ଼ିକ ସମେତ କେନ୍ଦ୍ର ସରକାରଙ୍କୁ ମଧ୍ୟ ସୁପ୍ରିମକୋର୍ଟ ଏହି ପ୍ରସଙ୍ଗର ସମାଧାନ ପାଇଁ ପରାମର୍ଶ ମାଗିଛନ୍ତି।

Share