Categories: ଜାତୀୟ

ଆଜୀବନ ବନ୍ଦୀଙ୍କୁ ଜାମିନ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୬।୧୨:୨୦୦୨ରେ ଗୋଧ୍ରା ଟ୍ରେନ୍‌ ପୋଡ଼ି ମାମଲାରେ ଆଜୀବନ ଜେଲଦଣ୍ଡ ଭୋଗୁଥିବା ଜଣେ ବନ୍ଦୀଙ୍କୁ ସୁପ୍ରିମକୋର୍ଟ ଗୁରୁବାର ଜାମିନ ପ୍ରଦାନ କରିଛନ୍ତି। ସେ ୧୭ ବର୍ଷ ହେଲା ଜେଲରେ ଥିଲେ। ଫାରୁକ୍‌ ନାମକ ଉକ୍ତ ଅପରାଧୀ ଦୀର୍ଘ ସମୟ ଜେଲରେ କାଟିସାରିଥିବାରୁ ଏହାକୁ ବିଚାରକୁ ନେଇ ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ଏବଂ ଜଷ୍ଟିସ୍‌ ପି.ଏସ୍‌. ନରସିଂହାଙ୍କ ଖଣ୍ଡପୀଠ ତାଙ୍କୁ ଜାମିନ ପ୍ରଦାନ ଲାଗି ରାଜି ହୋଇଛନ୍ତି। ୨୦୦୨ ଫେବୃୟାରୀ ୨୭ରେ ଗୋଧ୍ରା ରେଳ ଷ୍ଟେଶନରେ ସାବରମତୀ ଏକ୍ସପ୍ରେସ୍‌ ଟ୍ରେନ୍‌ର ଏସ୍‌-୬ କୋଚ୍‌ରେ ନିଆଁ ଲଗାଇଦେବାରୁ ମହିଳା ଓ ଶିଶୁଙ୍କ ସମେତ ୫୯ ଜଣ ଦଗ୍ଧ ହୋଇଥିଲେ। ଏହା ଅତି ବୀଭତ୍ସ ଅପରାଧ ବୋଲି ଗୁଜରାଟ ସରକରାଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିବା ସହ ଅପରାଧୀମାନଙ୍କ ଜାମିନ ଆବେଦନକୁ ବିରୋଧ କରିଥିଲେ। ଅପରାଧୀ ଟ୍ରେନ୍‌ ଯାତ୍ରୀମାନଙ୍କ ଉପରକୁ ଟେକାମାଡ଼ କରିବା ଲାଗି ଅନ୍ୟମାନଙ୍କୁ ଉସୁକାଇଥିଲେ। ଏହା ଏକ ଗୁରୁତର ଅପରାଧ ବୋଲି ମେହେଟ୍ଟା କୋର୍ଟଙ୍କୁ ଜଣାଇଥିଲେ। ୨୦୧୭ ଅକ୍ଟୋବର ୯ରେ ହାଇକୋର୍ଟ ଫାରୁକ୍‌ଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଥିଲେ।

Share